କଟକ, (ଭରତ ମହାରଣା): ଚରମ ଶିକ୍ଷା ବିରୋଧୀ ଜାତୀୟ ଶିକ୍ଷାନୀତି ୨୦୨୦ କୁ ତୁରନ୍ତ ବାତିଲ କରିବା ଦାବିରେ ଏଆଇଡିଏସ୍ଓ ଅଗଷ୍ଟ ୯ ତାରିଖକୁ ଛାତ୍ର ସଂକଳ୍ପ ଦିବସର ଡାକରା ଦିଆଯାଇଥିଲା । ଏହି ଅବସରରେ ସଂଗଠନର କଟକ ଜିଲ୍ଲା କମିଟି ପକ୍ଷରୁ ରେଭେନ୍ସା ବିଶ୍ୱବିଦ୍ୟାଳୟ ସମ୍ମୁଖରେ ଏକ ବିକ୍ଷୋଭ ପ୍ରଦର୍ଶନ କରାଯାଇ ଜାତୀୟ ଶିକ୍ଷାନୀତି ୨୦୨୦ର ନକଲ ପୋଡାଯିବା ସହ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ କରାଯାଇଛି । ଏଆଇଡିଏସ୍ଓ କଟକ ଜିଲ୍ଲା କମିଟି ସଭାପତି ଭାଗ୍ୟରବି ଦାସ, ଉପସଭାପତି ତରୁଣସେନ ନାୟକ, ସଂପାଦକ ବିନୋଦ ସେଠୀ, କୋଷାଧ୍ୟକ୍ଷ ଇଶା ଧର, ସଂପାଦକ ମଣ୍ଡଳୀ ସଦସ୍ୟ ଜ୍ୟୋସ୍ନାରାଣୀ ଦାସ, ଅମରେନ୍ଦ୍ର ନାୟକ, ଛାତ୍ରନେତା ସରୋଜ ମାନସିଂ, ଆରତୀ ମେହେର ପ୍ରମୁଖଙ୍କ ନେତୃତ୍ୱରେ ଏହି ବିକ୍ଷୋଭ ଅନୁଷ୍ଠିତ ହୋଇଥିଲା ।
ସୁଚନାଯୋଗ୍ୟ ଯେ, ଲକ୍ଡାଉନ୍ର ସୁଯୋଗ ନେଇ ସମସ୍ତ ଗଣତାନ୍ତ୍ରିକ ରୀତିନୀତିକୁ ପଦଦଳିତ କରି ତଥା ଛାତ୍ର ସଂଗଠନ, ଶିକ୍ଷକ ସମାଜ ଏବଂ ବୁଦ୍ଧିଜୀବୀ ମାନଙ୍କ ମତାମତ ଓ ପ୍ରସ୍ତାବକୁ ଭୃକ୍ଷେପ ନକରି ଗତବର୍ଷ କେନ୍ଦ୍ର କ୍ୟାବିନେଟ୍ ଯେଉଁ ଜାତୀୟ ଶିକ୍ଷାନୀତି-୨୦୨୦କୁ ମଞ୍ଜୁରୀ ଦେଇଛି ତାହାକୁ କୌଣସି ମତେ କାର୍ଯ୍ୟକାରୀ କରିବା ପାଇଁ କେନ୍ଦ୍ର ସରକାର ଏକପାଖିଆ ଭାବେ ସମସ୍ତ ଧରଣର ପଦକ୍ଷେପ ଗ୍ରହଣ କରି ଚାଲିଛନ୍ତି । ଏହି ଶିକ୍ଷାନୀତି ଶିକ୍ଷାର ବ୍ୟବସାୟୀକରଣ, ଘରୋଇକରଣ ଓ ସାଂପ୍ରଦାୟୀକରଣ ପାଇଁ ଉଦ୍ଦିଷ୍ଟ ଏବଂ ଏହା ଉଭୟ ଦେଶୀ ଓ ବିଦେଶୀ ପୁଞ୍ଜିପତିମାନଙ୍କୁ ପ୍ରଚୁର ମୁନାଫା ଲୁଟ୍ କରିବାରେ ସାହାଯ୍ୟ କରିବ । ଏହି ନୀତିରେ ୫+୩+୩+୪ ପ୍ରଣାଳୀ ପାଇଁ ଯେଉଁ ସୁପାରିଶ୍ ହୋଇଛି ତାହା ପ୍ରାଥମିକ, ମାଧ୍ୟମିକ ଉଚ୍ଚ ମାଧ୍ୟମିକ ଶିକ୍ଷାକୁ ଧ୍ୱଂସ କରିବ । ଉକ୍ତ ପ୍ରଣାଳୀରେ ଅଙ୍ଗନବାଡୀକୁ ସ୍କୁଲରେ ମିଶାଇ ୩ ରୁ ୫ ବର୍ଷ ପର୍ଯ୍ୟନ୍ତ ଫାଉଣ୍ଡେସନ୍ କୋର୍ସ, ତୃତୀୟ, ଚତୁର୍ଥ, ପଞ୍ଚମକୁ ପ୍ରିପାରେଟୋରୀ, ଷଷ୍ଠ, ସପ୍ତମ, ଅଷ୍ଟମକୁ ମିଡିଲ୍ ଷ୍ଟେଜ୍, ନବମରୁ ଦ୍ୱାଦଶ ପର୍ଯ୍ୟନ୍ତ ସେକେଣ୍ଡାରୀ ଷ୍ଟେଜ୍ ବୋଲି ବିବେଚନା କରାଯିବ । ଧ୍ୱଂସ ପ୍ରାୟ ଅଙ୍ଗନବାଡୀ ଶିକ୍ଷାକୁ ନ ସଜାଡି ସ୍କୁଲରେ ମିଶାଇଲେ ଯାହା ବି ସ୍କୁଲ ଶିକ୍ଷା ଅଛି ତାହା ମଧ୍ୟ ଧ୍ୱଂସ ପାଇବ ଏବଂ ପ୍ରାଥମିକ ଶିକ୍ଷାର ପ୍ରଥମ ଓ ଦ୍ୱିତୀୟ ଶ୍ରେଣୀକୁ ଫାଉଣ୍ଡେସନ୍ରେ ମିଶାଇବା ଅତ୍ୟନ୍ତ ଅଯୌକ୍ତିକ ।
ସେହିଭଳି ଷଷ୍ଠ ଶ୍ରେଣୀରୁ ଭୋକେସନାଲ ଶିକ୍ଷା ଚାଲୁ ପାଇଁ ସୁପାରିଶ କରିବା, ତୃତୀୟ, ପଞ୍ଚମ ଓ ଅଷ୍ଟମରୁ ଓପନ୍ ଲର୍ଣ୍ଣିଂ ଆରମ୍ଭର ସୁପାରିଶ ଅତ୍ୟନ୍ତ ମାରାତ୍ମକ । ଜାତୀୟ ଶିକ୍ଷାନୀତି-୨୦୨୦ ପାଶ୍-ଫେଲ୍ ପ୍ରଚଳନ ପାଇଁ ସଂପୂର୍ଣ୍ଣ ନୀରବ ରହିଛି । ଏହାଦ୍ୱାରା ସ୍କୁଲ ଶିକ୍ଷାର ଗୁଣାତ୍ମକମାନ ଆଦୌ ବୃଦ୍ଧି ହେବ ନାହିଁ । ସେହିଭଳି ଡିଗ୍ରୀରେ କଳା, ବିଜ୍ଞାନ ଓ ବାଣିଜ୍ୟ ବିଭକ୍ତି କରଣକୁ ଉଠେଇବା, ଚାରି ବର୍ଷିଆ ଡିଗ୍ରୀ କୋର୍ସ ପାଇଁ ସୁପାରିଶ କରିବା, ସାରା ଦେଶ ପାଇଁ ଏକକ ଏଣ୍ଟ୍ରାନ୍ସ ପ୍ରଚଳନ କରିବା, ସଂସ୍କୃତ ଶିକ୍ଷାକୁ ଗୁରତ୍ୱ ଦିଆଯାଇ ଇଂରାଜୀର ଗୁରୁତ୍ୱ ହ୍ରାସ କରିବା, ଇଂରାଜୀକୁ କେବଳ କଥୋପକଥନ ଓ ବ୍ୟବହାରିକ ଜ୍ଞାନ ବିକାଶ ପାଇଁ ସୀମିତ କରିଦେବାଭଳି ବହୁ ଶିକ୍ଷା ବିରୋଧି ଓ ଅଗଣତାନ୍ତ୍ରିକ ପଦକ୍ଷେପ ପାଇଁ ଜାତୀୟ ଶିକ୍ଷାନୀତି-୨୦୨୦ ସୁପାରିଶ କରିଛି । ଇଣ୍ଟରଡିସିପ୍ଳିନାରୀ ନାମରେ ଉଚ୍ଚ ଶିକ୍ଷାରେ ବିଭକ୍ତିକରଣକୁ ଉଠାଇ ଏହାକୁ ବିଶ୍ୱ ବଜାରରେ ବ୍ୟବସାୟ ପାଇଁ ଉନ୍ମୁକ୍ତ କରାଯାଇଛି । ଉଚ୍ଚ ଶିକ୍ଷା କ୍ଷେତ୍ରରେ ସର୍ବୋଚ୍ଚ ସଂସ୍ଥାମାନଙ୍କୁ ଭାଙ୍ଗି କେବଳ ଗୋଟିଏ ସ୍ୱେଚ୍ଛାଚାରୀ ଏଚ୍.ଇ.ସି.ଆଇ ଗଠନ କରିବା, ବିଦେଶୀ ବିଶ୍ୱବିଦ୍ୟାଳୟମାନଙ୍କୁ ଭାରତରେ ସେମାନଙ୍କର ଶାଖା ଖୋଲିବା ପାଇଁ ଅନୁମତି ଦେବା, ଡିଜିଟାଲାଇଜେସନ୍ ନାଁରେ ଅନ୍ଲାଇନ୍ ଶିକ୍ଷାକୁ ଶେଣୀଗୃହ ଶିକ୍ଷାର ବିକଳ୍ପଭାବେ ପ୍ରଚଳନ କରିବା ଉଦ୍ଦେଶ୍ୟରେ ସୁକୌଶଳରେ ଯେଉଁସବୁ ପଦକ୍ଷେପ ଜାତୀୟ ଶିକ୍ଷାନୀତି-୨୦୨୦ ଜରିଆରେ ଗ୍ରହଣ କରିବା ପାଇଁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି ତାହା ଶିକ୍ଷାକ୍ଷେତ୍ରକୁ ସଂପୂର୍ଣ୍ଣଭାବେ ଏକ ବଜାରରେ ପରିଣତ କରିବ ଏବଂ ଘରୋଇକଣ, ବ୍ୟବସାୟୀକରଣ ଓ ସାଂପ୍ରଦାୟୀକରଣ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବ ।
ବିଜ୍ଞାନଭିତ୍ତିକ ଶିକ୍ଷା ବଦଳରେ ସିଲାବସ୍ରେ ବିଭିନ୍ନ ପ୍ରଚଳିତ ବିଶ୍ୱାସକୁ ସ୍ଥାନ ଦେବାକୁ ଏହି ନୀତି ସୁପାରିଶ କରିଛି । ଏହା ଅତ୍ୟନ୍ତ ମାରାତ୍ମକ ପଦକ୍ଷେପ । ୧୯୮୬ କଂଗ୍ରେସ ଅମଳର ଜାତୀୟ ଶିକ୍ଷାନୀତିରେ ଶିକ୍ଷାର ଯେଉଁ ବ୍ୟବସାୟୀକରଣ, ସାଂପ୍ରଦାୟୀକରଣ ଓ ଧନ୍ଦାମୂଖୀକରଣ ଆରମ୍ଭ ହୋଇଥିଲା ୨୦୨୦ ଜାତୀୟ ଶିକ୍ଷାନୀତି ତାର ଏକ ଧାରାବାହିକ ମାତ୍ର । ଦେଶରେ ଜାତୀୟ ଶିକ୍ଷାନୀତି-୨୦୨୦ ମୂଳ ଖସଡାର ତୀବ୍ର ବିରୋଧ କରାଯାଇଥିଲା । କିନ୍ତୁ ସରକାର ତୃଣମୂଳ ସ୍ତରରୁ ଗଣତାନ୍ତ୍ରିକ ଉପାୟରେ ଆଲୋଚନା ନକରି ଯୋର ଜବରଦସ୍ତ ଜନଗଣଙ୍କ ଉପରେ ଏହି ଶିକ୍ଷା ଧ୍ୱଂସକାରୀ ନୀତିକୁ ଉପରୁ ଚପେଇ ଦେବାକୁ ଯାଉଛନ୍ତି । ଆଇନ୍ରେ ପରିଣତ ହେବା ପୂର୍ବରୁ ଏହା ବିରୁଦ୍ଧରେ ଦୃଢ ଆନ୍ଦୋଳନ ସଂଗଠିତ କରିବା ପାଇଁ ସର୍ବସ୍ତରର ଜନସାଧାରଣ ବିଶେଷକରି ଛାତ୍ର ସମାଜ ସଂଗଠିତ ହୋଇ ପ୍ରତିବାଦକୁ ଶକ୍ତିଶାଳୀ କରିବା ପାଇଁ ଏଆଇଡିଏସ୍ଓ ତରଫରୁ ଆହ୍ୱାନ କରାଯାଇଛି ।