ଦୁଇଦିନିଆ ପୁରୀ ଗସ୍ତରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପ୍ରସ୍ତୁତି ଆରମ୍ଭ

ପୁରୀ, (ନାଗରାଜ ନ୍ୟୁଜ): ପୁରୀ ଗସ୍ତରେ ଆସୁଛନ୍ତି ମହାମହିମ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ରାଷ୍ଟ୍ରପତି ପୁରୀ ଗସ୍ତରେ ଆସି ମହାପ୍ରଭୁଙ୍କୁ ଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି । ୨୦ ତାରିଖରେ ଗୌଡିୟ ମଠ ଏବଂ ମିଶନର ସଂସ୍ଥାପକ ଶ୍ରୀଳ ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଗୌସ୍ୱାମୀ ପ୍ରଭୁପାଦଙ୍କ ୧୫୦ତମ ବର୍ଷପୁର୍ତ୍ତି ଆବିର୍ଭାବ ଦିବସ ଉପଲକ୍ଷେ ତ୍ରୀବର୍ଷ ବ୍ୟାପି ପାଳନ ଉତ୍ସବରେ ଯୋଗଦେବେ । ରାଷ୍ଟ୍ରପତିଙ୍କ ରହଣିସ୍ଥଳ ପୁନର୍ବାର ପରିବର୍ତ୍ତନ କରାଯାଇଛି । ଘରୋଇ ହୋଟେଲ ପରିବର୍ତ୍ତେ ରାଜଭବନରେ ଅବସ୍ଥାନ କରିବେ ରାଷ୍ଟ୍ରପତି । ସେପଟେ ସୁରକ୍ଷା ବ୍ୟବସ୍ଥାକୁ ନେଇ ମକଡ୍ରୀଲ କରାଯାଇଛି । ତାଳବଣିଆ ହେଲିପ୍ୟାଡରୁ କାରକେଟ ବାହାରି ରାଜଭବନ ଆଉ ତାପରେ ଶ୍ରୀମନ୍ଦିରରେ ପହଞ୍ଚିଥିଲା । ମକଡ୍ରୀଲ ସହ ସୁରକ୍ଷା ବ୍ୟବସ୍ଥାର ଯାଞ୍ଚ କରିଛନ୍ତି ଅତିରିକ୍ତ ଡିଜି ।
ରାଷ୍ଟ୍ରପତିଙ୍କ ଦୁଇଦିନିଆ ପୁରୀ ଗସ୍ତକୁ ନେଇ ପ୍ରସ୍ତୁତି ଶେଷ ପର୍ୟ୍ୟାୟରେ । ହେଲିପ୍ୟାଡ଼ ଠାରୁ ଆରମ୍ଭ କରି ରାଜଭବନ ଓ ରାଜଭବନରୁ ଭିଆଇପି ରୋଡ ଦେଇ ମେଡିକାଲ ଛକ ଓ ଶ୍ରୀମନ୍ଦିର ପର୍ଯ୍ୟନ୍ତ କରାଯାଇଛି କାର୍କେଡର ମକଡ୍ରିଲ । ପରେ କାର୍କେଡ ଶ୍ରୀମନ୍ଦିରରୁ ବାହାରି ଗୌଡିୟ ମଠ ଏବଂ ସିଧାସଳଖ ଶରଧାବାଲିରେ ପହଁଚିବା ପରେ ସେଠାରେ ବରିଷ୍ଠ ପୋଲିସ ଅଧିକାରୀ ମାନେ ସଭା ସ୍ଥଳର ଅନୁଧ୍ୟାନ କରିଥିଲେ । ସେପଟେ ବମ୍ବ ସ୍କୁଆଡ, ଆଂଟି ସାବଟେଜ ଟିମ ସଭାସ୍ଥଳରେ ଯାଞ୍ଚ କରିଛନ୍ତି । ଅନ୍ୟପଟରେ ସୁରକ୍ଷା ଦୃଷ୍ଟିରୁ ୪୦ ପ୍ଲାଟୁନ ଫୋର୍ସ ଓ ୨୦୦ ଅଧିକାରୀଙ୍କୁ ନିୟୋଜିତ କରାଯାଇଛି । ରାଷ୍ଟ୍ରପତିଙ୍କ ଗସ୍ତକୁ ନେଇ ହେଲିପ୍ୟାଡ ଠାରୁ ଆରମ୍ଭ କରି ବଡଦାଣ୍ଡ ଓ ଶ୍ରୀମନ୍ଦିର ପର୍ୟ୍ୟନ୍ତ ବ୍ୟାରିକେଡିଂ କରାଯାଇଛି । ରାଷ୍ଟ୍ରପତିଙ୍କ କାର୍ୟ୍ୟକ୍ରମକୁ ସୃଙ୍ଖଳିତ ଓ ସୁରକ୍ଷିତ କରିବା ପାଇଁ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି ଅତିରିକ୍ତ ଡିଜି । ତାଳବଣିଆ ସ୍ଥିତ ହେଲିପ୍ୟାଡ୍ ଠାରୁ ଆରମ୍ଭ କରି ରାଷ୍ଟ୍ରପତିଙ୍କ ରୁଟ ଚାଟ ପ୍ରତ୍ୟକଟି ଦିଗକୁ ନେଇ ଆଜି ହୋଇଛି କ୍ୟାରକେଡ୍ ରିହରସଲ୍ ।

ରାଷ୍ଟ୍ରପତିଙ୍କ ଗସ୍ତ ସୁଚୀ ଅନୁଯାୟୀ ମହାମହିମ ରାଷ୍ଟ୍ରପତି ପୁରୀରେ ପହଞ୍ଚିବା ପରେ ସିଧାସଳଖ ରାଜଭବନ ଯିବେ । କିଛି ସମୟ ଅବସ୍ଥାନ କରିବା ପରେ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିବେ । ତେବେ ରାଷ୍ଟ୍ରପତି ୧୯ ତାରିଖ ଅପରାହ୍ନ ୨.୪୫ରେ ଭୁବନେଶ୍ୱର ବିମାନବନ୍ଦର ଓ ୩.୨୫ରେ ପୁରୀ ହେଲିପ୍ୟାଡରେ ପହଞ୍ଚି ରାଜଭବନରେ ଅବସ୍ଥାନ କରିବେ । ତା ପରେ ୫ଟା ରେ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରି ୫.୪୫ରେ ଶ୍ରୀମନ୍ଦିରରୁ ପ୍ରତ୍ୟାବର୍ତ୍ତନ କରିବେ । ଶ୍ରୀମନ୍ଦିର ଭିତରେ ସେ ୪୫ ମିନିଟ ଦର୍ଶନ କାର୍ୟ୍ୟକ୍ରମ ରହିଛି । ୨୦ତାରିଖ ସକାଳ ୧୦.୩୫ରେ ଗୌଡୀୟ ମଠ ପରିଦର୍ଶନ କରି ଆଳତୀ କାର୍ୟ୍ୟକ୍ରମରେ ଯୋଗଦେବେ। ପରେ ପୂର୍ବାହ୍ନ ୧୧ଟାରେ ଶରଧାବାଲିରେ ଆୟୋଜିତ ତ୍ରୀବର୍ଷୀୟ ଶ୍ରୀଚୈତନ୍ୟ ଗୌଡିୟ ମଠର ପ୍ରତିଷ୍ଠାତା ଶ୍ରୀଲ ପ୍ରଭୁପାଦଙ୍କ ୧୫୦ତମ ଜୟନ୍ତୀ କାର୍ଯ୍ୟକ୍ରମକୁ ଉଦଘାଟନ କରିବାର କାର୍ୟ୍ୟକ୍ରମ ରହିଛି । ସେପଟେ ରହଣିସ୍ଥଳକୁ ପରିବର୍ତ୍ତନ କରାଯାଇଛି । ଏକ ଘରୋଇ ହୋଟେଲ୍ ପରିବର୍ତ୍ତେ ରାଷ୍ଟ୍ରପତି ରାଜଭବନରେ ଅବସ୍ଥାନ କରିବେ । ବ୍ଲୁ ବୁକ୍ ସୁରକ୍ଷା ବ୍ୟବସ୍ଥା ଅନୁଯାୟୀ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ରାଷ୍ଟ୍ରପତିଙ୍କ ଗସ୍ତକୁ ନେଇ ସମ୍ପୁର୍ଣ୍ଣ ପ୍ରସ୍ତୁତ ପ୍ରଶାସନ । ବିଶେଷ କରି ମହାମହିମ ରାଷ୍ଟ୍ରପତିଙ୍କ ବ୍ଲୁବୁକ୍ ସିକ୍ୟୁରିଟି ରେ କିଭଳି ତୃଟି ନହେବ ତା’ଉପରେ ଦିଆଯାଇଛି ବିଶେଷ ଗୁରୁତ୍ୱ ।

Leave a Reply

Your email address will not be published.