ଖଇରା,(ନାଗରାଜ ନ୍ୟୁଜ): ବିଦ୍ୟୁତ ସମସ୍ୟା ନେଇ ଉପଭୋକ୍ତା ମାନେ ଇଲେକ୍ଟ୍ରି ଏସଡିଓ ଟାଟା ପାୱାର ଖଇରା ନିକଟରେ ଅଭିଯୋଗ କରିଛନ୍ତି । ଅଭିଯୋଗରୁ ଜଣାଯାଇଛି ଯେ ଝାଟିଆ ଷ୍ଟକ୍ଚର ଅଧିନରେ ଶ୍ଯାମସୁନ୍ଦରପୁର, ଅଚ୍ଯୁତପୁର ଓ କୁରୁଣ୍ଟା ପଞ୍ଚାୟତର ଅଧିବାସୀମାନେ ଅଛନ୍ତି । ଟାଟା ପାୱାର ଦାୟିତ୍ୱ ନେବାଠାରୁ ବିଭିନ୍ନ ସମୟରେ ପାୱାର କଟ୍ କରି ଜନସାଧାରଣଙ୍କୁ ବଡ଼ ହଇରାଣ କରୁଛି । ଯାହା ବ୍ରିଟିଶ ଶାସନକୁ ବଳେଇ ଗଲାଣି । ପୁଣି ଆଗକୁ ଆସୁଛି ମେଟ୍ରିକ ପରୀକ୍ଷା । ବିଭାଗର ଏଭଳି ମନମୁଖି ବିଦ୍ଯୁତ୍ କାଟ କାର୍ଯ୍ୟକୁ ଉପଭୋକ୍ତା ତଥା ଜନସାଧାରଣଙ୍କୁ ଅତିଷ୍ଠ କଲାଣି, ଯାହା ସହ୍ଯ କରିବାର ସୀମା ଟପିଗଲାଣି । ବିଦ୍ୟୁତ ଯୋଗାଣ ଠିକ୍ ଭାବରେ ଦେଉ ନାହାନ୍ତି, ୨/୩ ମାସରେ ବିଦ୍ୟୁତ ବିଲ୍ ଆଦାୟ କରୁଛନ୍ତି, ପୁଣି ଜୋରିମାନା ସହିତ । ବିଭାଗର ଏପରି ମନମୁଖି କାର୍ଯ୍ୟକଳାପକୁ ସମ୍ପୃକ୍ତ ଅଞ୍ଚଳବାସୀ ଘୋର ନିନ୍ଦା କରୁଛନ୍ତି । ଯଦି ଆଗାମୀ ୮ ଦିନ ଭିତରେ ଏ ସମସ୍ୟାର ସମାଧାନ ନହୁଏ, ଅଫିସ୍ ଘେରାଉ ସଙ୍ଗେ ସଙ୍ଗେ ରାଜରାସ୍ତାକୁ ଉହ୍ଲାଇବା ନିମନ୍ତେ ସାବିତ୍ରୀ ରାଉଳ, ବିଶ୍ବ ଭୂଷଣ ପ୍ରଧାନ, ଶ୍ରୀଧର ପତି, ମିତାଲୀ ଯେନା ପ୍ରମୁଖ ଚେତାବନୀ ଦେଇଛନ୍ତି । ଏଥିସହିତ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ, ବିଦ୍ୟୁତ ନିର୍ବାହୀ ଅଧିକାରୀ, ସୋର, ବିଦ୍ୟୁତ ସହକାରୀ ଯନ୍ତ୍ରୀ, ବାଲେଶ୍ବର ଏବଂ ଖଇରା ଥାନା ଅଧିକାରୀଙ୍କୁ ଅଭିଯୋଗର କପି ମଧ୍ୟ ପ୍ରଦାନ କରିଛନ୍ତି ।
ବାଲେଶ୍ଵର ଜିଲ୍ଲା ଖଇରାରୁ ଲୋଚନ ରାଉତଙ୍କ ରିପୋର୍ଟ