ପୁରୀ,(ନାଗରାଜ ନ୍ୟୁଜ): ଜିଲ୍ଲାର ନିମାପଡା, ପିପିଲି ଓ କୋଣାର୍କ ବିଜ୍ଞାପିତ ଅଞ୍ଚଳରେ ନିର୍ବାଚନ ନେଇ ଜିଲ୍ଲାପାଳ ଶ୍ରୀ ସମର୍ଥ ବର୍ମାଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ପ୍ରଦକ୍ଷଣ ଗୃହ ସମ୍ମିଳନୀ କକ୍ଷରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି । ଆସନ୍ତା ୨୪ ତାରିଖରେ ମତଦାନ ହୋଇ ଆସନ୍ତା ୨୬ ତାରିଖରେ ଭୋଟ ଗଣତି ହେବ । ନିମାପଡାର ୧୧ଟି ୱାର୍ଡର ୧୯ଟି ବୁଥ, ପିପିଲିର ୧୬ଟି ୱାର୍ଡର ୨୦ଟି ବୁଥ ଏବଂ କୋଣାର୍କର ୧୩ଟି ୱାର୍ଡର ୧୫ଟି ବୁଥରେ ମତଦାନ ହେବ । ନିମାପଡାରେ ୧୫୭୮୨, ପିପିଲିରେ ୧୫୫୦୧ ଏବଂ କୋଣାର୍କରେ ୧୨୧୬୧ ଜଣ ମତଦାତା ମତାଧିକାର ସାବ୍ୟସ୍ତ କରିବେ । ନିମାପଡାରେ କାଉଲସିଲର ନିମନ୍ତେ ୨୪ ଜଣ ଓ ଚେୟାରମ୍ୟାନ ନିମନ୍ତେ ୩ ଜଣ, ପିପିଲି ପାଇଁ ୫୧ ଜଣ କାଉନସିଲର ଓ ଚେୟାରମ୍ୟାନ ନିମନ୍ତେ ୫ ଜଣ ଏବଂ କୋଣାର୍କ ନିମନ୍ତେ ୫୦ ଜଣ କାଉନସିଲର ଓ ୬ ଜଣ ଚେୟାରମ୍ୟାନ ଭାବେ ପ୍ରତିଦ୍ବନ୍ଦିତା କରୁଛନ୍ତି । ତିନୋଟି ବିଜ୍ଞାପିତ ଅଞ୍ଚଳର ୪୦ଟି ୱାର୍ଡର ୫୪ଟି ବୁଥରେ ୪୩୪୪୪ ଜଣ ମତାଧିକାର ସାବ୍ୟସ୍ତ କରିବେ । ନିର୍ବାଚନରେ ୧୦୮ଟି ଇଭିଏମ୍ ବ୍ୟବହୃତ ହେବ । ପ୍ରତ୍ୟେକ ବିଜ୍ଞାପିତ ଅଞ୍ଚଳରେ ପିଙ୍କ ବୁଥ ଓ ଆଦର୍ଶ ମତଦାନ କେନ୍ଦ୍ର କରାଯିବ । ପ୍ରାୟ ୩୦୦ ଜଣ ପୋଲିଂ ଅଧିକାରୀ ଓ ୬ ଜଣ ସେକ୍ଟର ଅଧିକାରୀ ନିୟୋଜିତ ହେବେ । ପିପିଲି ନିମନ୍ତେ ଜବାହର ବିଦ୍ୟାପୀଠ, ନିମାପଡା ପାଇଁ ବିଜୁ ପଟ୍ଟନାୟକ କଲ୍ୟାଣ ମଣ୍ତପ, କୋଣାର୍କ ନିମନ୍ତେ ଆଶ୍ରମ ସ୍କୁଲରେ ଷ୍ଟ୍ରଙ୍ଗରୁମ କରାଯିବ । ଆସନ୍ତା ୨୩ ତାରିଖ ମଧ୍ୟାହ୍ନ ସୁଦ୍ଧା ପୋଲିଂ ଅଧିକାରୀ ମାନେ ସେମାନଙ୍କ ମତଦାନ କେନ୍ଦ୍ରରେ ପହଞ୍ଚିବେ । ସକାଳ ୮ ଘଟିକାରୁ ସନ୍ଧ୍ୟା ଘଟିକା ପର୍ଯ୍ୟନ୍ତ ମତଦାନ ହେବ । ଏହି ଅବସରରେ ପୋଲିଂ ଅବାଧ ଓ ନିରପେକ୍ଷ ନିର୍ବାଚନ ନିମନ୍ତେ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି । ନିର୍ବାଚନ ସହ ସଂଶ୍ଲିଷ୍ଟ ସମସ୍ତ ପ୍ରଶାସନିକ ଅଧିକାରୀ, ପୋଲିସ ଏବଂ ରାଜନୈତିକ ଦଳର ପ୍ରତିନିଧି ମାନଙ୍କ ସହ ବିଭିନ୍ନ ପ୍ରସଙ୍ଗ ଉପରେ ଜିଲ୍ଲାପାଳ ଆଲୋଚନା କରିଥିଲେ ।
ନିର୍ବାଚନର ୪୮ ଘଣ୍ଟା ପୂର୍ବରୁ ପ୍ରଚାର କାର୍ଯ୍ୟ ଶେଷ ହେବ । କାଉନସିଲର ମାନଙ୍କ ନିମନ୍ତେ ୫୦ ହଜାର ଓ ଚେୟାରମ୍ୟାନ ମାନଙ୍କ ନିମନ୍ତେ ୨ ଲକ୍ଷ ଟଙ୍କା ନିର୍ବାଚନୀ ଖର୍ଚ୍ଚ ରଖାଯାଇଛି । ସରକାରୀ ସ୍ଥାନରେ ପ୍ରାର୍ଥୀ ମାନେ କୌଣସି ପୋଷ୍ଟର ଓ ବ୍ୟାନର ଲଗାଇ ପାରିବେ ନାହିଁ । ଷ୍ଟ୍ରଙ୍ଗରୁମ ଗୁଡିକରେ ସିସିଟିଭ୍ ଲଗାଯିବ ବୋଲି ସାଧାରଣ ପର୍ଯ୍ୟବେକ୍ଷକ ଶ୍ରୀ ଜ୍ୟୋତିରଞ୍ଜନ ପ୍ରଧାନ କହିଥିଲେ । ଏହି ଅବସରରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପ୍ରଦୀପ କୁମାର ସାହୁ, ସ୍ବତନ୍ତ୍ର ଭୂଅର୍ଜନ ଅଧିକାରୀ ଶ୍ରୀ କୈଳାଶ ଚନ୍ଦ୍ର ନାୟକ, ଉପ ଜିଲ୍ଲାପାଳ ଶ୍ରୀ ଭବତାରଣ ସାହୁ, ପିକେଡିଏ ସଚିବ ଶ୍ରୀ ଲଲାଟେନ୍ଦୁ ସାହୁ,ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଶ୍ରୀ ପୂର୍ଣ୍ଣଚନ୍ଦ୍ର ପ୍ରଧାନ, ଜିଲ୍ଲା ନିର୍ବାଚନ ଅଧିକାରୀ ଶ୍ରୀ ଜିତେନ୍ଦ୍ର କୁମାର ପାତ୍ର, ପ୍ରତ୍ୟେକ ବିଜ୍ଞାପିତ ଅଞ୍ଚଳର ନିର୍ବାଚନ ଅଧିକାରୀ, ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧି ପ୍ରମୁଖ ଉପସ୍ଥିତ ଥିଲେ ।
ପୁରୀରୁ ଲକ୍ଷ୍ମଣ ପଣ୍ଡାଙ୍କ ରିପୋର୍ଟ