ବ୍ରାଉନସୁଗାର ବିକ୍ରୀ ଅଭିଯୋଗରେ ୮ ଗିରଫ

ପୁରୀ, (ନାଗରାଜ ନ୍ୟୁଜ): ଦିନ ଦ୍ବିପ୍ରହରରେ ଖୁଲମଖୁଲା ବ୍ରାଉନ ସୁଗାର ବିକ୍ରୀ ଅଭିଯୋଗରେ ବନ୍ଧା ହେଲେ ୮ଜଣ ବ୍ରାଉନ ସୁଗାର ବେପାରୀ ଓ ଚାଲାଣକାରୀ। ପୁରୀ ମିଶ୍ର ନୋଳିଆ ସାହିରେ ପ୍ରତିଦିନ ବ୍ରାଉନ ସୁଗାର ବିକ୍ରୀ ହେଉଥିବା ନେଇ ଗତକାଲି ଗଣମାଧ୍ୟମରେ ଖବର ପ୍ରସାରଣ ହେବା ପରେ ଆଜି ଆକ୍ସନ ମୋଡକୁ ଆସିଛି ବାସେଳୀ ସାହି ଥାନା ପୋଲିସ। ବ୍ରାଉନ ସୁଗାର ବିକ୍ରୀ ଓ ଚାଲାଣ ଅଭିଯୋଗରେ ମିଶ୍ର ନୋଳିଆ ସାହିର ୮ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଥିବା ବେଳେ ସେଥିରେ ୩ ଜଣ ପୁରୁଷ ଓ ୫ ଜଣ ମହିଳା ଅଭିଯୁକ୍ତ ଅଛନ୍ତି। ଅଭିଯୁକ୍ତଙ୍କ ଠାରୁ ୨୬୭ ଗ୍ରାମ ବ୍ରାଉନ ସୁଗାର ଜବତ ହୋଇଥିବା ବେଳେ ଏହାର ଆନୁମାନିକ ବଜାର ମୁଲ୍ୟ ୨୬ ଲକ୍ଷ ଟଙ୍କା ହେବ ବୋଲି କହିଛି ପୋଲିସ। ସେହିପରି ୫ଟି ମୋବାଇଲ ଫୋନ, ୩୫ ହଜାର ନଗଦ ଟଙ୍କା ମଧ୍ୟ ଅଭିଯୁକ୍ତଙ୍କ ଠାରୁ ଜବତ ହୋଇଛି। ଗିରଫ ଅଭିଯୁକ୍ତମାନେ ହେଲେ ବାସେଳୀ ସାହି ଥାନା ଅଧିନ ମିଶ୍ର ନୋଳିଆ ସାହିର ସନ୍ତୁ ବେହେରା, କମଳ ବେହେରା, ମିଟୁ ବେହେରା, ବବିତା ବେହେରା, ବିନି ନାୟକ, ନିଳମଣୀ ନାୟକ, କନକ ବେହେରା ଓ ଗୀତା ବେହେରା। ସମସ୍ତ ଅଭିଯୁକ୍ତଙ୍କୁ ଆଜି ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିବା ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଅତିରିକ୍ତ ଏସପି ମିହିର ପଣ୍ଡା, ସିଟି ଡିଏସପି ଜନାର୍ଦ୍ଦନ ପାଢୀ ଓ ବାସେଳୀ ସାହି ଥାନା ଅଧିକାରୀ କୁଳମଣି ସେଠୀ।

Leave a Reply

Your email address will not be published.