ସୁବର୍ଣ୍ଣରେଖା ନଦୀରୁ ବେଆଇନ ବାଲି ଚୋରା ଚାଲାଣ, ୧ ଜେସିବି ଓ ୨ ଟ୍ରାକ୍ଟର ଜବତ

ବାଲେଶ୍ଵର,(ନାଗରାଜ ନ୍ୟୁଜ): ବାଲେଶ୍ଵର ଜିଲ୍ଲା ସୁବର୍ଣ୍ଣରେଖା ନଦୀରୁ ବେଆଇନ ବାଲି ଚୋରା ଚାଲାଣ ସମୟରେ ୧ ଜେସିବି ଓ ୨ ଟ୍ରାକ୍ଟର ଜବତ କରାଯାଇଛି । ସଂଗୃହିତ ଖବରରୁ ଜଣାପଡିଛିଯେ, ବାଲିଆପାଳ ପୋଲିସ ଗତ ଶୁକ୍ରବାର ରାତିରେ ସୁବର୍ଣ୍ଣରେଖା ନଦୀରୁ ବେଆଇନ ବାଲି ଚୋରା ଚାଲାଣ ହେଉଥିବାର ଖବରପାଇ ଘଟଣା ସ୍ଥଳରେ ପହଞ୍ଚି ୧ ଜେସିବି ଓ ୨ ଟ୍ରାକ୍ଟର ଜବତ କରି ଥାନାକୁ ନେଇଥିଲା । ବେଆଇନ ବାଲି ଓ ପଥର ଚୋରା ଚାଲାଣ ହେଉଥିବା ସମୟରେ ବିଭିନ୍ନ ସ୍ଥାନରେ ଚଢାଉ କରି ବହୁ ଟ୍ରାକ୍ଟର, ଡମ୍ପର, ମିନି ଟ୍ରକ ଆଦି ଜବତ କରି ଥାନାରେ ଅଟକ ରଖିଥିବାର ଦେଖାଯାଇଛି । ବାଲିଆପାଳ ପୋଲିସ ବେଶ କିଛିଦିନ ହେବ ସକ୍ରିୟ ହୋଇ ଉଠିଥିବାର ଦେଖିବାକୁ ମିଳିଛି । ବେଆଇନ ଲଘୁ ଖଣିଜ ପଦାର୍ଥ ଚୋରାଚାଲାଣକୁ ରୋକିବା ପାଇଁ ବିଭିନ୍ନ ସ୍ଥାନରେ ପୋଲିସ ପକ୍ଷରୁ ଘନ ଘନ ଚଢ଼ାଉ ଜାରି ରହିଛି ।

ସେହିପରି ଚଢାଉ ପ୍ରତି ମାଫିଆମାନେ ତୀକ୍ଷଣ ନଜର ରଖି ଚୋରା ଚାଲାଣର ସାମ୍ରାଜ୍ୟ ବିସ୍ତାର କରିବାକୁ ଚେଷ୍ଟା ଜାରି ରଖିଛନ୍ତି । ସେହିପରି ଅଦିନିଆ ବର୍ଷାର ସୁଯୋଗ ନେଇ ମାଫିଆମାନେ ପାରୁଳିଆସ୍ଥ ସୁବର୍ଣ୍ଣରେଖା ପୋଲ ତଳେ ଶୁକ୍ରବାର ର।ତିରେ ବେଆଇନ ବାଲି ଚୋରା ଚାଲାଣ କରୁଥିବାର ବାଲିଆପାଳ ଆଇଆଇସି ପର୍ଶୁରାମ ସାହୁ ଖବର ପାଇଥିଲେ । ଘଟଣା ସ୍ଥଳରେ ପହଞ୍ଚିବାରୁ ଡ୍ରାଇଭର ଗାଡି ଛାଡ଼ି ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲେ। ଘଟଣା ସ୍ଥଳରୁ ୧ ଜେସିବି ଓ ୨ ଟ୍ରାକ୍ଟର ଜବତ କରି ଥାନାକୁ ନେଇଥିଲେ । ଉକ୍ତ ଗାଡିଗୁଡିକୁ ତହସିଲକୁ ହସ୍ତାନ୍ତର କରାଯିବାର ସୂଚନା ମିଳିଛି । ପ୍ରଶାସନ ଯେତେ ସଜାଗ ହେଲେ ବି ଚୋରାଚାଲାଣ ବନ୍ଦ ନହେବା ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି ।

Leave a Reply

Your email address will not be published.