କାର୍ତ୍ତିକ ପୂର୍ଣ୍ଣିମାରେ ଚଳଚଞ୍ଚଳ ଶୂନ୍ୟ ମଣ୍ଡପ ପୀଠ

ବାଲେଶ୍ୱର, (ନାଗରାଜ ନ୍ୟୁଜ ): ଆଜି ହେଉଛି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ବା ଡଙ୍ଗାଭସା ପୂର୍ଣ୍ଣିମା । ଏହି ଉପଲକ୍ଷେ ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକ କୁପାରୀ ଶୂନ୍ୟ ମଣ୍ଡପ ପୀଠ ଭକ୍ତମାନଙ୍କ ଗହଳିରେ ଚଳଚଞ୍ଚଳ ହୋଇଉଠିଛି । ଉକ୍ତ ପୀଠଟି ଭଦ୍ରକ, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାକୁ ସଂଯୋଗ କରୁଥିବାରୁ ହଜାର ହଜାର ଜନ ସମାଗମ ହୋଇଥିଲା । ସ୍ୱର୍ଗତ ବାବା ପ୍ରଭାକର ଦାସ ଜଣେ ଗୃହତ୍ୟାଗୀ ଓ ପତ୍ର କୁଡିଆ ନିବାସୀ ଆଧ୍ୟାତ୍ମିକ ଚେତନା ସମ୍ପନ୍ନ ବାବା ଥିଲେ । ସେ ନିଜର ପାଦୁକା ବଳରେ ବହୁ ଦୁରାରୋଗକୁ ମଧ୍ୟ ଭଲ କରିପାରୁଥିଲେ । ଗ୍ରୀଷ୍ମ ଋତୁରେ ଉପସ୍ଥିତ ଭକ୍ତମାନେ ଗରମ ଅନୁଭବ କଲେ ଥଣ୍ଡା ଶୀତଳ ପବନକୁ ଡାକି ଭକ୍ତଙ୍କୁ ଆରାମ ଦେବାରେ ସକ୍ଷମ ହେଉଥିଲେ । ଏହିପରି ବାବାଙ୍କର ଅନେକ ପ୍ରକାର ଚମତ୍କାର ମହିମାରୁ ପୀଠଟି ଆଜି ବିଖ୍ୟାତ । ପ୍ରତିବର୍ଷ ଏହି କାର୍ତ୍ତିକ ପୂର୍ଣ୍ଣିମା ବା ଡଙ୍ଗାଭସା ପୂର୍ଣ୍ଣିମା ଦିନ ହଜାର ହଜାର ଭକ୍ତଙ୍କ ମେଳରେ ପୀଠଟି ଚଳଚଞ୍ଚଳ ହୋଇ ଉଠିଥାଏ । ୫୦/୬୦ ବର୍ଷ ଧରି ପୀଠଟି ଭକ୍ତଙ୍କ ମେଳରେ କମ୍ପି ଉଠୁଥିବା ଭକ୍ତମାନେ ପ୍ରକାଶ କରିଛନ୍ତି । ବିଳମ୍ବିତ ରାତି ଠାରୁ ପୀଠର ରୀତିନୀତି ଆରମ୍ଭ ହୋଇ ସନ୍ଧ୍ୟା ପର୍ଯ୍ୟନ୍ତ ଲାଗି ରହିଥାଏ । ପ୍ରବଳ ଜନଗହଳିକୁ ରୋକିବା ଏବଂ ଶାନ୍ତିଶୃଙ୍ଖଳା ରକ୍ଷା ନିମନ୍ତେ ସ୍ଥାନୀୟ ତହସିଲ ଓ ପୋଲିସ ପ୍ରଶାସନ ତତ୍ପର ଥିଲେ । କୌଣସି ପ୍ରକାର ଅପ୍ରୀତିକର ଘଟଣା ଘଟିନାହିଁ । ଶାନ୍ତି ଶୃଙ୍ଖଳାର ସହିତ ବ୍ରତଧାରୀମାନେ ଡଙ୍ଗା ଭସାଇ ବ୍ରତ ସମାପନ ପୂର୍ବକ ପ୍ରସାଦ ସେବନ କରି ଘରକୁ ଫେରିଥିଲେ ।

Leave a Reply

Your email address will not be published.