ମହାନଗର ନିଗମ ପକ୍ଷରୁ ସ୍ୱାୟତ୍ତ ଶାସନ ଦିବସରେ ପ୍ରକଳ୍ପ ଉଦଘାଟନ ଏବଂ ପ୍ରକଳ୍ପର ଶିଳାନ୍ୟାସ

କଟକ,(ନାଗରାଜ ନ୍ୟୁଜ): କଟକ ଆଜି ସ୍ୱାୟତ୍ତ ଶାସନ ଦିବସ। ସ୍ଵଚ୍ଛ ଶାସନ ବ୍ୟବସ୍ଥା ଏବଂ ନାଗରିକ ମାନଙ୍କୁ ମୌଳିକ ସେବା ଯୋଗାଇ ଦେବା ସ୍ୱାୟତ୍ତ ଶାସନ ଦିବସର ମୂଳ ଲକ୍ଷ୍ୟ। ଆଜି କଟକ ମହାନଗର ନିଗମ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ସ୍ୱାୟତ୍ତ ଶାସନ ଦିବସ ପାଳନ କରାଯାଇଛି। ସକାଳେ ନିଗମ କାର୍ଯ୍ଯାଳୟ ଠାରେ ମେୟର ଶ୍ରୀ ସୁବାସ ସିଂ ପତାକା ଉତ୍ତୋଳନ କରିଥିଲେ। ଛାତ୍ରଛାତ୍ରୀମାନେ ଜାତୀୟ ସଙ୍ଗୀତ ପରିବେଷଣ କରିଥିଲେ। ଡେପୁଟି ମେୟର ଦମୟନ୍ତୀ ମାଝି, ସି ଏମ ସି କମିଶନର ନିଖିଲ ପବନ କଲ୍ୟାଣ, ଡେପୁଟି କମିଶନର ଅଜୟ ମହାନ୍ତି ପ୍ରମୁଖ ପତାକା ଉତ୍ତୋଳନ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। ଦୟାଶ୍ରମ, ଶିଶୁଭବନ, ଓ ଅନ୍ଧ, ବଧିର ବିଦ୍ୟାଳୟର ଅନ୍ତେବାସୀମାନଙ୍କୁ ଫଳ ବିତରଣ କରାଯାଇଥିଲା। କଟକ ମହାନଗର ନିଗମ ଅଞ୍ଚଳରେ କେତେକ ପ୍ରକଳ୍ପ ଉଦଘାଟନ ଏବଂ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି। ରାଜ୍ୟ କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପଶୁସମ୍ପଦ ବିଭାଗ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ଵାଇଁ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ବିଭିନ୍ନ ପ୍ରକଳ୍ପର ଉଦଘାଟନ ଏବଂ ଆଉ କେତେକ ପ୍ରକଳ୍ପର ଶିଳାନ୍ୟାସ କରିଥିଲେ। ଏହି କାର୍ଯ୍ୟକ୍ରମରେ କଟକ ବାରବାଟୀ ବିଧାୟକ ଇଂ ମହମ୍ମଦ ମୋକିମ, ପୂର୍ବତନ କର୍ପୋରେଟର ଗିରିବାଲା ବେହେରା ଏବଂ ସ୍ଥାନୀୟ କର୍ପୋରେଟର ଉପସ୍ଥିତ ଥିଲେ। ସି ଡି ଏ ୱାର୍ଡ ନମ୍ବର ୪ ରେ କେନ୍ଦ୍ରୀୟ ଚାରା ବିକ୍ରୟ କେନ୍ଦ୍ର ଏବଂ ସେକ୍ଟର ୯ ରେ ବିକ୍ରୟ କେନ୍ଦ୍ର ଓ ଉଦ୍ୟାନର ଉଦଘାଟନ ହୋଇଥିଲା। ସ୍ଵାଧୀନତା ସଂଗ୍ରାମୀ ବିଶ୍ଵନାଥ ପଶାୟତ ପାର୍କ, ୧୧ ନମ୍ବର ସେକ୍ଟର ରେ ରଣଜୀତ ମହାନ୍ତି ପାର୍କ, ଷଣ୍ଢପୁର ସ୍ଥିତ ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଠାରେ ୬ ଶଯ୍ୟା ବିଶିଷ୍ଟ କୋଭିଡ ୱାର୍ଡ ଉଦଘାଟନ କରିଥିଲେ। ଏହା ବ୍ୟତୀତ ତୁଳସୀପୁର ଠାରେ ରାଧାନାଥ ରଥ ପାର୍କ, ବିକାଶ ଭବନ ଠାରେ ଦୁଇ ଚକିଆ ଏବଂ ଚାରି ଚକିଆ ଯାନର ପାର୍କିଂ ବ୍ୟବସ୍ଥା ଉଦଘାଟିତ ହୋଇଯାଇଛି। ସେହିଭଳି କଟକ ଚୌଦ୍ବାର ନିର୍ବାଚନ ମଣ୍ଡଳୀରେ କେତେକ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରଯାଇଥିଲା। ମେୟର ଶ୍ରୀ ସୁବାସ ସିଂ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ସନ୍ଧ୍ୟାରେ ସହିଦ ଭବନ ଠାରେ ସାଧାରଣ ସଭା ଅନୁଷ୍ଠିତ ହୋଇ କେତେକ ବିଶିଷ୍ଟ ବ୍ୟକ୍ତିଙ୍କୁ ସମ୍ବର୍ଦ୍ଧିତ କରାଯାଇଛି।

Leave a Reply

Your email address will not be published.