ବଲାଙ୍ଗିର , (ନୀଳାଞ୍ଚି ବିଶି): ଆଷାଢ଼ ମାସ ଶେଷ ପର୍ଯ୍ୟନ୍ତ ବର୍ଷା ନହେବାରୁ ଆଦିବାସୀ ମାନେ ବର୍ନେଇ ବୁଢାକୁ ପାରମ୍ପରିକ ଢଙ୍ଗରେ ପୂଜା ଅର୍ଚ୍ଚନା କରିଥିଲେ । ଟିଟିଲାଗଡ଼ ବ୍ଲକର ଶାଗଡ଼ଘାଟ, ଗୁଦଗୁଦା, ପିପିଲିବନ୍ଧ, ଶୁଆଗପୁରର ଆଦିବାସୀ ଝାଙ୍କର ଓ ଦେହେରି ସହିତ ଶତାଧିକ ଲୋକ ଆଦିବାସୀ ବାଦ୍ୟ ଓ ଅସ୍ତ୍ରଶସ୍ତ୍ର ସହିତ ତିନି କିଲୋମିଟର ଦୂରରେ ଥିବା ସିକେର ବର୍ଣ୍ଣି ପାହାଡ଼କୁ ଚଢି ଚଢି ଯାଇଥିଲେ ଏବଂ କଦଳୀଝରଣ ନିକଟରେ ଥିବା ସର୍ବ ପ୍ରାଚୀନ ପୀଠରେ ପୂଜାପାଠ କରିଥିଲେ ।
କିମ୍ବଦନ୍ତୀ ଏବଂ ଲୋକକଥା ଅନୁସାରେ ଆବାହମାନ କାଳରୁ ଆଦିବାସୀ ମାନେ ଇନ୍ଦ୍ରଦେବତାକୁ ଆହ୍ୱାନ କରିବା ପାଇଁ ବର୍ଣ୍ଣି ଡ଼ଙ୍ଗର ଉପରେ ଡ଼ଙ୍ଗର ବୁଢା, ବର୍ନେଇ ବୁଢାକୁ ପୂଜା ପାଠ କରିଆସୁଛନ୍ତି । ବର୍ଷା ହେଲେ ପ୍ରଜାମାନେ ଚାଷ କରିବେ । ଡ଼ଙ୍ଗରର ଦେବାଦେବୀ ଡ଼ଙ୍ଗର ବୁଢା, ଧରଣୀ ଓ ବର୍ନେଇ ଦେବଦେବୀଙ୍କୁ ନୂଆଁ ଫସଲ ଭୋଗ ଲଗାଇବେ ବୋଲି ଦେହେରି ଫୁଲଫଳ ସହିତ ଦେବଦେବୀଙ୍କୁ ସନ୍ତୁଷ୍ଟ କରିବା ସକାଶେ ପଶୁ ବଳି ପୂର୍ବକ ରକ୍ତଧାର ଦେଇଥିଲେ । ଭର୍ଣ୍ଣି ବାଦ୍ୟ ବାଜିବା ବେଳେ ଆଦିବାସୀ ଝାଙ୍କର ଦେହେରି ଦେହରେ ବର୍ନେଇ, ଡ଼ଙ୍ଗରବୁଢା, ଜାଡେନ ଦେବଦେବୀ ସବାର ହୋଇ ଭକ୍ତ ମାନଙ୍କୁ ଆଶୀର୍ବାଦ ଦେଇଥିଲେ । ପ୍ରତିବର୍ଷ ଶ୍ରାବଣ ମାସ ପ୍ରଥମ ମଙ୍ଗଳବାର ଦିନ ଡ଼ଙ୍ଗର ଯାତ୍ରା ହୋଇଥାଏ ।
ଏହି ଯାତ୍ରା ପରେ ବର୍ଷା ହୁଏ ବୋଲି ଆଦିବାସୀଙ୍କ ମଧ୍ୟରେ ବିଶ୍ୱାସ ରହିଛି । ପ୍ରଥାଗତ ଯାତ୍ରା କାର୍ଯ୍ୟକୁ ଡମ ମାଝି, ଗୌତମ ମାଝି, ଶଙ୍କର ମାଝି, ସୀତାରାମ ମାଝି, ଜଗ ମାଝି, ତ୍ରିନାଥ ମାଝି ଓ ନାଭ ମାଝି ପରିଚାଳନା କରିଥିଲେ । ଗ୍ରାମବାସୀଙ୍କ ସହିତ ନାଏବ ସରପଞ୍ଚ ତହସିଲ ଦାର ୱାର୍ଡ ମେମ୍ବର ତରୁ ମାଝି ପ୍ରମୁଖ ଉପସ୍ଥିତ ଥିଲେ ।