ବାଲେଶ୍ବର, (ନରେନ୍ଦ୍ର ପ୍ରସାଦ ବେହେରା): ଅବହେଳିତ ଅବସ୍ଥାରେ ପଡିରହିଛି ଭାରତ ସରକାରଙ୍କ ଡାକ ବିଭାଗର ଡାଟଘର । ସେବାରୁ ବଞ୍ଚିତ ହେଉଛନ୍ତି ଜନସାଧାରଣ । ଏପରି ଏକ ଘଟଣା ଦେଖିବାକୁ ମିଳିଛି ବାଲେଶ୍ବର ଜିଲ୍ଲା ଖଇରା ବ୍ଲକ ଜଳଙ୍ଗ ଗଣ୍ଡିବେଡ ଗ୍ରାମରେ ଥିବା ଡାକଘର କ୍ଷେତ୍ରରେ । ଉକ୍ତ ଗ୍ରାମଟି ଖଇରା ତହସିଲର ଏକ ରାଜସ୍ବ ଗ୍ରାମ । ଏହି ଗ୍ରାମରେ ରହିଛି ଏକ ଡାକଘର । କିନ୍ତୁ ବଡ଼ ଦୁଃଖର ବିଷୟ ଦୀର୍ଘ ପ୍ରାୟ ୭୦ ବର୍ଷର ଡାକଘର ଏବେ ଅବହେଳିତ । ବିଭିନ୍ନ ସମୟରେ ଡାକଘର ସମସ୍ୟା ନେଇ ନିର୍ବାଚିତ ପ୍ରତିନିଧିଙ୍କ ଠାରୁ ଆରମ୍ଭ କରି ବିଭାଗ ପର୍ଯ୍ୟନ୍ତ ଗ୍ରାମବାସୀ ତରଫରୁ ଅଭିଯୋଗ ହୋଇଆସୁଥିଲେ ମଧ୍ଯ ସୁଧୁରିନି ଅବସ୍ଥା ।
ବିଭାଗୀୟ କେନ୍ଦ୍ର ଡାକ ବିଭାଗ ମନ୍ତ୍ରୀଙ୍କୁ ଅଭିଯୋଗ କରିଛନ୍ତି ଗ୍ରାମବାସୀ । ପ୍ରକାଶ ଥାଉକି ଗ୍ରାମଟି ସରକାରଙ୍କ ଦ୍ବାରା ଆଦର୍ଶ ଗ୍ରାମରେ ନାମିତ ହୋଇଛି । ଲୋକ ସଂଖ୍ଯା ପ୍ରାୟ ୧୫୦୦ରୁ ଉର୍ଦ୍ଧ୍ବ ହେବ । ୩ଟି ବିଦ୍ଯାଳୟ,ଚଣ୍ଡୀ ମନ୍ଦିର ସମେତ ଅନ୍ୟାନ୍ୟ ମନ୍ଦିର ସଂଖ୍ଯା ପ୍ରାୟ ୧୦ରୁ ଅଧିକ, ଏଏନଏମ ସେଣ୍ଟର,୨ଟି ଅଙ୍ଗନବାଡି କେନ୍ଦ୍ର ଥାଇ ମଧ୍ୟ ଶାଖା ଡାକ ଘରଟି ଅବହେଳିତ । ଯେହେତୁ ଏହା ଏକ ବ୍ରାଞ୍ଚ ପୋଷ୍ଟ ଅଫିସ୍ ,ଲୋକମାନେ କୌଣସି ପ୍ରକାର ବିଭାଗୀୟ ସେବା ପାଇପାରୁ ନାହାନ୍ତି । ଡାକଘର ନିମନ୍ତେ ଉଦ୍ଦିଷ୍ଟ ଥିବା ଜାଗାରେ ହେଉନି ପକ୍କାଘର, ଚିଠି ପକାଇବା ପାଇଁ ନାହିଁ ଡାକବାକ୍ସ , ଅନଲାଇନ୍ ପ୍ରେରଣ ସୁବିଧା ମଧ୍ୟ ନାହିଁ । ଟଙ୍କା ସଞ୍ଚୟର ବ୍ଯସ୍ଥା ମଧ୍ୟ ଏଠାରେ ଉପଲବ୍ଧ ନାହିଁ । ଭଦ୍ରକ ଜିଲ୍ଲା ମୁଖ୍ୟ ଡାକଘର ଏବଂ ନିକଟସ୍ଥ ଅଡା ପୋଷ୍ଟ ଅଫିସ୍ ଅଧିନରେ କାର୍ଯ୍ୟ କରୁଛି ଉକ୍ତ ଡାକଘର ।
ତେଣୁ ଏହି ଅବହେଳିତ ଜଳଙ୍ଗ ଗଣ୍ଡିବେଡ ବ୍ରାଞ୍ଚ ପୋଷ୍ଟ ଅଫିସର ବିଭିନ୍ନ ସମସ୍ୟା ଦୂର କରିବା ସଙ୍ଗେ ସଙ୍ଗେ ଏହାକୁ ସବ୍ ପୋଷ୍ଟ ଅଫିସର ମାନ୍ଯତା ଦେବାପାଇଁ ଗ୍ରାମବାସୀମାନେ ଭଦ୍ରକ ଲୋକସଭା ସାଂସଦ, ଭଦ୍ରକ ମୁଖ୍ୟ ଡାକଘର, ରାଜ୍ୟ ମୁଖ୍ୟ ଡାକଘର ଭୁବନେଶ୍ୱର ଓ ବିଭାଗୀୟ କେନ୍ଦ୍ର ମନ୍ତ୍ରୀଙ୍କୁ ଅଭିଯୋଗ ପତ୍ର ପ୍ରଦାନ କରିଛନ୍ତି । ଅଭିଯୋଗକାରୀଙ୍କ ମଧ୍ୟରେ ପୂର୍ବତନ ସମିତି ସଭ୍ଯ ପ୍ରଫୁଲ୍ଲ କୁମାର ଦାସଙ୍କ ସମେତ କହ୍ନେଇ ଦାସ, ଗଙ୍ଗାଧର ପଣ୍ଡା, ଜଗବନ୍ଧୁ ସାହୁ, ଜୟକୃଷ୍ଣ ବନ୍ଧ, ପଦ୍ମଲୋଚନ ସାହୁ, ପୂର୍ଣ୍ଣଚନ୍ଦ୍ର ବେହେରା, ପ୍ରଶାନ୍ତ ମହାପାତ୍ର, ଗିରିଶଙ୍କର ଦାସ, ଉର୍ମିଳା ଦାସ, ଅମୂଲ୍ୟ ବାରିକ, ଉମାକାନ୍ତ ପଣ୍ଡା ଓ ମହେନ୍ଦ୍ର ଦାସ ପ୍ରମୁଖ ଗ୍ରାମବାସୀମାନେ ଅନ୍ତର୍ଭୁକ୍ତ । ଏଥିପ୍ରତି ବିଭାଗୀୟ ମନ୍ତ୍ରୀ ଓ ଅଧିକାରୀଙ୍କ ତୁରନ୍ତ ପଦକ୍ଷେପ ପାଇଁ ସମ୍ପୃକ୍ତ ଅଞ୍ଚଳବାସୀ ଦାବି କରିଛନ୍ତି ।