କଟକ,(ନାଗରାଜ ନ୍ୟୁଜ): ସେ ଦିନଟି ଥିଲା ଭାଦ୍ରବମାସ କୃଷ୍ଣପକ୍ଷ ଅଷ୍ଟମୀତିଥି । ରୋହିଣୀ ନକ୍ଷତ୍ରର ସେଇ କଳା କିଟିକିଟି ମଧ୍ୟରାତ୍ରୀରେ ଦେବକୀ ମାଆଙ୍କ ଗର୍ଭରୁ, ବସୁଦେବଙ୍କ ଔରସରୁ ମଥୁରାରେ କଂସର କାରାଗାରର ଅନ୍ଧାର କୋଠରୀରେ ଜନ୍ମିଥିଲେ କୃଷ୍ଣ । ସେ ଜନ୍ମିଲା ବେଳକୁ ଏକ ପ୍ରଚଣ୍ଡ ଆଭା କୋଠରୀକୁ ଅପୂର୍ବଭାବେ ଦୀପ୍ତିମୟ କରିଥିଲା । ସେ ସମୟରେ ଯୋଗମାୟାଙ୍କ ପ୍ରଭାବରେ ସବୁଆଡ ନୀରବ ନିସ୍ତେଜ ଥିଲା । ସତେ ଯେମିତି ସଚରାଚର ବିଶ୍ବକୁ କିଏ ସମ୍ମୋହନ କରିଥିଲା । ଆକାଶର ଶୂନ୍ୟବାଣୀରୁ ସ୍ବୟଂର ମୃତ୍ୟୁ ଖବର ଶୁଣି ଆଗରୁ ଦେବକୀ ଓ ବସୁଦେବଙ୍କୁ ବନ୍ଦୀ କରି ରଖିଥିଲା କଂସାସୁର । ସେଇ ସମ୍ମୋହିତ ଅବସ୍ଥାରେ ଦେବକୀଙ୍କ ଅଗୋଚରରେ ଗୋଟିଏ ଟୋକେଇରେ ନବଜାତ କୃଷ୍ଣଙ୍କୁ ଧରି ବସୁଦେବ ବାହାରିଥିଲେ ଗୋପପୁର । କାରାଗାର ଆପେ ଫିଟିଯାଇଥିଲା ଆଉ ସୈନିକଗଣ ଅଚେତନ ଅବସ୍ଥାରେ ପଡିଯାଇଥିଲେ । କାରାଗାରରୁ ପ୍ରଭୁଙ୍କୁ ବସୁଦେବ ବାହାରକୁ ଆଣୁଆଣୁ ସତେ ଯେମିତି ଦେବତାମାନଙ୍କ ଭିତରେ ପ୍ରଭୁଙ୍କ ପାଦ ସ୍ପର୍ଶ ପାଇଁ ଆରମ୍ଭ ହେଇଯାଇଥିଲା ପ୍ରତିଯୋଗିତା । ଇନ୍ଦ୍ର ବର୍ଷା ମାଧ୍ୟମରେ କୃଷ୍ଣଙ୍କ ପାଦ ଛୁଇଁଥିଲେ । ପବନଦେବ ମଧ୍ୟ ତୀବ୍ରବେଗରେ ବହି ପ୍ରଭୁଙ୍କ ପାଦ ଛୁଇଁଥିଲେ । ବାଟରେ କେବଳ କଂସର ପିତା ଉଗ୍ରସେନ ହିଁ ଏକମାତ୍ର କୃଷ୍ଣଙ୍କ ଦର୍ଶନ କରିପାରିଥିଲେ । କାରଣ ସେ ପରମ ବିଷ୍ଣୁଭକ୍ତ ଥିଲେ । ମଥୁରାରୁ ଗୋପପୁର ଯିବା ବାଟରେ ପଡିଥିଲା ଯମୁନା ନଦୀ । ବସୁଦେବ ଟୋକେଇରେ ଥିବା କୃଷ୍ଣଙ୍କୁ ମୁଣ୍ଡରେ ଧରି ଯମୁନା ଭିତରେ ପଶିଲା ବେଳକୁ ଯମୁନା ମଧ୍ୟ ଉଛୁଳି ପ୍ରଭୁଙ୍କ ପାଦ ଛୁଇଁବାର ପ୍ରୟାସ କରିଥିଲା । ହେଲେ ଛଳିଆ ନିଜର ପାଦ ଛୁଆଁଇ ଦେଉନଥିଲେ । ବସୁଦେବ ବେକ ପର୍ଯ୍ୟନ୍ତ ବୁଡିସାରିଥିଲେ, କେବଳ ମୁଣ୍ଡଟି ବାକି ଥିଲା । ପ୍ରବଳ ବର୍ଷାରେ ପ୍ରଭୁଙ୍କର ପୁଙ୍ଗୁଳା ଶରୀରଟି ଭିଜିବାର ଦେଖି ସପ୍ତଫେଣୀ ନାଗ ନିଜ ଫଣା ସାହାଯ୍ୟରେ ପ୍ରଭୁଙ୍କର ଛତା ସାଜିଥିଲା । ନିଜର ଶେଷ ପ୍ରୟାସରେ ଯମୁନା ପ୍ରଭୁଙ୍କ ପାଦ ଛୁଇଁସାରିବା ପରେ ଶାନ୍ତ ପଡିଥିଲା, ଆଉ ଜଳସ୍ତର କମିଥିଲା । ଗୋପପୁରରେ ପହଞ୍ଚି ଯଶୋଦା ମାଆଙ୍କ ଗର୍ଭରୁ ତଥା ନନ୍ଦରାଜାଙ୍କ ଔରସରୁ ଆଗରୁ ଜନ୍ମିଥିବା ଯୋଗମାୟାଙ୍କୁ ବଦଳ କରି କୃଷ୍ଣଙ୍କୁ ଯଶୋଦାଙ୍କ କୋଳରେ ଶୁଆଇଦେଇ ଫେରି ଆସିଥିଲେ ବସୁଦେବ । ସେ ମଥୁରା କାରାଗାର ଫେରିବା ପରେ ସବୁ ପୂର୍ବବତ୍ ହେଇସାରିଥିଲା । କାରାଗାରରୁ କୁଆଁକୁଆଁ ଶବ୍ଦ ଶୁଣି ସୈନିକମାନେ କଂସକୁ ଖବର ଦେବାରୁ କଂସ ଆସି ବିଜୁଳିକନ୍ୟା ରୂପି ଯୋଗମାୟାଙ୍କୁ ନେଇ ଶିଳରେ କଚାଡି ମାରିବାକୁ ପ୍ରୟାସ କଲାବେଳେ ବିଜୁଳିବେଗରେ ଯୋଗମାୟା କଂସର ହାତରୁ ଖସି ଶୂନ୍ୟରେ ପ୍ରକଟହେଇ ଗୋପରେ ବଢୁଥିବା କୃଷ୍ଣ ହିଁ ତା’ର ମୃତ୍ୟୁର କାରଣ ହେବେ ବୋଲି ସୂଚାଇ ଅନ୍ତର୍ଦ୍ଧାନ ହେଇଥିଲେ । ଏହିଭଳି ଭାବେ ଦୁଷ୍ଟ ଓ ଖରାପ ଚରିତ୍ର ସବୁକୁ ବିନାଶ କରିବା ନିମନ୍ତେ ଯୋଗଜନ୍ମା କୃଷ୍ଣ ଙ୍କର ଧରାବତରଣ ହୋଇଥିଲା।