କୁଟୁରାକେନ୍ଦ ଗାଁକୁ ମନ୍ତ୍ରୀଙ୍କ ପରିଦର୍ଶନ, ନିର୍ମାଣ ହେବ ବ୍ରିଜ, ଗ୍ରାମବାସୀ ଆଶ୍ବସ୍ତ

ବଲାଙ୍ଗିର, ( ନୀଳାଞ୍ଚି ବିଶି ): ଟିଟିଲାଗଡ଼ ବ୍ଲକ ମହୁଲପଡା ପଞ୍ଚାୟତ କୁଟୁରାକେନ୍ଦ ଗାଁର ଲୋକଙ୍କ ଯାତାୟାତ ସୁବିଧା ପାଇଁ ଗାଁ ନିକଟରେ ଯାଇଥିବା ତିନି ଗୋଟି ନାଳରେ ବ୍ରିଜ ନିର୍ମାଣ ପାଇଁ ଉଦ୍ୟମ ଆରମ୍ଭ ହୋଇଛି । ଶନିବାର ଟିଟିଲାଗଡ଼ ବିଧାୟିକା ତଥା ମହିଳା ଶିଶୁ ବିକାଶ ମନ୍ତ୍ରୀ ଟୁକୁନି ସାହୁ କୁଟୁରାକେନ୍ଦ ଗାଁରେ ପହଞ୍ଚି ଅନୁଧ୍ୟାନ କରିଛନ୍ତି । ମନ୍ତ୍ରୀଙ୍କ ସହିତ ବଲାଙ୍ଗିର ଗ୍ରାମ୍ୟ ଉନ୍ନୟନ ବିଭାଗର ମୁଖ୍ୟ ନିର୍ବାହୀ ଯନ୍ତ୍ରୀ ଇଂ ଦେବେନ୍ଦ୍ର ସେଠ, ଟିଟିଲାଗଡ଼ ନିର୍ବାହୀ ଯନ୍ତ୍ରୀ ସଂଜୀବ ଦାଶ, କନିଷ୍ଠ ଯନ୍ତ୍ରୀ ନାରାୟଣ ସ୍ୱାଇଁ, ମହୁଲପଡା ସରପଞ୍ଚ ଇନ୍ଦ୍ରାଣୀ ପୁଞ୍ଜି ପ୍ରମୁଖ ଉପସ୍ଥିତ ଥିଲେ । ନାଳ ଗୁଡିକର ନିର୍ମାଣ ପାଇଁ ପ୍ଲାନ ଏସ୍ଟିମେଟ ପ୍ରସ୍ତୁତି କରିଥିବା ଜଣାପଡିଛି ।

ଚାରି ମାସ ମଧ୍ୟରେ ପୋଲ ନିର୍ମାଣ ପାଇଁ ଟେଣ୍ଡର ପ୍ରକ୍ରିୟା କରାଯିବ ବୋଲି ବିଭାଗୀୟ ମୁଖ୍ୟ ନିର୍ବାହୀ ଯନ୍ତ୍ରୀ ସେଠ ସୂଚନା ଦେଇଛନ୍ତି । ସୂଚନାଯୋଗ୍ୟଯେ, ଆଦିବାସୀ ଅଧ୍ୟୁଷିତ କୁଟୁରାକେନ୍ଦ ଗାଁକୁ ଯାତାୟାତ ପାଇଁ ରାସ୍ତା ନାହିଁ । ନଈନାଳ ଯୋଗୁଁ ବର୍ଷା ଦିନେ ଏହି ଗାଁ ବାହ୍ୟ ଜଗତରୁ ବିଛିନ୍ନ ହୋଇଯାଏ । ଗାଁକୁ ରାସ୍ତା ଏବଂ ବ୍ରିଜ ପାଇଁ ଗ୍ରାମବାସୀ ଏବଂ ଆଦିବାସୀ ସଂଘ ଜୋରଦାର ଦାବୀ କରି ଆସୁଥିଲେ । ନିରାଶ ହେବା ପରେ ଗାଁ ଲୋକେ ନିଜସ୍ଵ ଉଦ୍ୟମରେ ଆରମ୍ଭ କରିଛନ୍ତି ଏକ କାଠର ପୋଲ। ଗାଁର ଲୋକ ମାନେ ଶ୍ରମଦାନ କରି ଦୁଇ ମୁହାଁ ନାଳ ଉପରେ କରିଛନ୍ତି ଏକ କାଠର ବ୍ରିଜ ।

ଗାଁରେ ପହଂଚିବା ପୂର୍ବରୁ ଦୁଇ ମୁହାଁ ନାଳ ଉପରେ ଏକ କାଠର ବ୍ରିଜ ନିର୍ମାଣ କରିଛନ୍ତି ଗ୍ରାମବାସୀ । ଦୁଇ ମୁହାଁ ନାଳରେ ଛଅମାସ ଧରି ଛଅ ଫୁଟରୁ ଉପରେ ପାଣି ରହୁଥିବାରୁ ଗାଁ ଲୋକେ ଏକ ବ୍ରିଜ ତିଆରି କରିଥିଲେ ।
ବର୍ଷା ଦିନ ଆସିଲେ କୁଟୁରାକେନ୍ଦ ଗ୍ରାମବାସୀଙ୍କ ଦୁଃଖ ଦୁର୍ଦ୍ଦଶା ଅସମ୍ଭାଳ ହୋଇପଡେ । ଗାଁ ପାଖରେ ଥିବା ତିନୋଟି ନାଳରେ ବର୍ଷା ପାଣି ଭରି ରହେ । ଜଳବନ୍ଦୀ ଅବସ୍ଥାରେ ତିନିମାସ ଗାଁ ଲୋକେ ରହିଥାନ୍ତି । ଯୋଗାଯୋଗ ଏବଂ ଗମନାଗମନ ବିଛିନ୍ନ ହୋଇପଡେ । ମନ୍ତ୍ରୀ ଶ୍ରିମତୀ ସାହୁ ଏବଂ ପ୍ରଶାସନ ର ତତ୍ପରତା ପରେ ଗାଁ ଲୋକଙ୍କ ମନରେ ନୂତନ ଆଶାର ସଂଚାର ହୋଇଛି ।

Leave a Reply

Your email address will not be published.