ବାଲେଶ୍ଵର,(ନାଗରାଜ ନ୍ୟୁଜ): ପବିତ୍ର ଗଣେଶ ପୂଜାରେ ଦୁଇ ଶକ୍ତିପୀଠର ରୂପାନ୍ତକରଣ ନିମନ୍ତେ ସ୍ଥାନୀୟ ବିଧାୟକ କଲେ ଶୁଭ ପୂଜନ । ଖବର ସଂଗ୍ରହରୁ ଜଣାଯାଇଛି ଯେ, ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକ ମାଣତ୍ରୀ ଓ ବରଦା ପଞ୍ଚାୟତରେ ଅବସ୍ଥିତ ଦୁଇ ଶକ୍ତିପୀଠ । ମାଣତ୍ରୀ ପଞ୍ଚାୟତ ଜଳଙ୍ଗ-ଗଣ୍ଡିବେଡ ଗ୍ରାମରେ ଥିବା ମା ଚଣ୍ଡିମାତା ମନ୍ଦିର ଏବଂ ବରଦା ପଞ୍ଚାୟତ ବରଦା ଠାରେ ଥିବା ମା ଭଗବତୀ ମନ୍ଦିରର ରୂପାନ୍ତକରଣ ନିମନ୍ତେ ପବିତ୍ର ଗଣେଶ ପୂଜାରେ ସ୍ଥାନୀୟ ବିଧାୟକ ଜ୍ଯୋତିପ୍ରକାଶ ପାଣିଗ୍ରାହୀ ଶୁଭ ପୂଜନ କରିଛନ୍ତି । ରୂପାନ୍ତକରଣ ପ୍ରକ୍ରିୟାରେ କିପରି ଦୁଇ ଶକ୍ତିପୀଠର ସର୍ବବିଧ ଉନ୍ନତି ହୋଇପାରିବ ସେଥିପାଇଁ ବିଧାୟକ ମହୋଦୟ ଅହରହ ଚିନ୍ତାରେ ଅଛନ୍ତି । ଏହି ପରିପ୍ରେକ୍ଷୀରେ ବିଭିନ୍ନ ମଞ୍ଚାସୀନ ଅତିଥି ମାନଙ୍କୁ ନେଇ ଚଣ୍ଡିମାତା ମନ୍ଦିର ପରିସରରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ଆଧ୍ୟାତ୍ମିକ ଭାବନା ଜୀବନକୁ ଶୃଙ୍ଖଳିତ କରିଥାଏ ବୋଲି ବିଧାୟକ ଭାଷଣରେ କହିଥିଲେ । ଏଥିସହିତ ଶକ୍ତିପୀଠର ଚତୁପାର୍ଶ୍ବ ପକ୍କା ପାଚେରୀ, ପରିସରରେ ଥିବା ସମସ୍ତ ଦେବାଦେବୀଙ୍କ ରୂପାନ୍ତକରଣ, ବାକି ରହିଥିବା କାର୍ଯ୍ୟକୁ ପୂର୍ଣ୍ଣାଙ୍ଗ ନିମନ୍ତେ ମାନ୍ଯବର ବିଧାୟକଙ୍କୁ ମନ୍ଦିର ଟ୍ରଷ୍ଟ ବୋର୍ଡ ପକ୍ଷରୁ ଅନୁରୋଧ କରାଯାଇଥିଲା । ସମସ୍ତ କାର୍ଯ୍ୟ ଧୀରେ ଧୀରେ ପୂର୍ଣ୍ଣାଙ୍ଗ ହେବ ବୋଲି ବିଧାୟକ କହିଥିଲେ । ପୂର୍ବତନ ସମିତି ସଭ୍ୟ ପ୍ରଫୁଲ୍ଲ କୁମାର ଦାସଙ୍କ ଆୟୋଜନରେ ସମସ୍ତ କାର୍ଯ୍ୟ ଶାନ୍ତି ଶୃଙ୍ଖଳାର ସହିତ ସମାପନ ହୋଇଥିଲା । ଶକ୍ତିପୀଠର ଏତାଦୃଶ୍ଯ କାର୍ଯ୍ୟ ପାଇଁ ଗ୍ରାମବାସୀ ମାନଙ୍କ ତରଫରୁ ବିଧାୟକଙ୍କୁ ପ୍ରଶଂସା କରାଯାଇଛି । ହେଲେ କୁପାରୀ-ରାଣୀତାଲ ମୁଖ୍ୟ ରାସ୍ତାରୁ ଶକ୍ତିପୀଠ ପର୍ଯ୍ୟନ୍ତ ଭକ୍ତ ମାନଙ୍କ ଗମନାଗମନର ସୁବିଧା ନିମନ୍ତେ ରାସ୍ତାର ପ୍ରଶସ୍ତିକରଣ ଜରୁରୀ ଅଟେ । ଯଦି ଏହା ହୋଇପାରନ୍ତା ତେବେ ଶକ୍ତିପୀଠର ସୌନ୍ଦର୍ଯ୍ୟ ଆହୁରି ଅଧିକ ବୃଦ୍ଧି ପାଆନ୍ତା ବୋଲି ସାଧାରଣରେ ଆଲୋଚନା ହେଉଛି ।।
ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ