ମା ରାମଚଣ୍ଡୀଙ୍କ ଜଳଶାୟୀ ଉତ୍ସବ

ପୁରୀ, (ନାଗରାଜ ନ୍ୟୁଜ): ଦୋଳମଣ୍ଡପ ସାହି ଜେନାରୀଗଛ ଛକ ସ୍ଥିତ ମା ରାମଚଣ୍ଡୀ ଠାକୁରାଣଙ୍କ ଜଳଶାୟୀ ଉତ୍ସବ ପବିତ୍ର ଜଳକ୍ରୀଡା ଏକାଦଶୀ ତିଥିରେ ଅନୁଷ୍ଠିତ ହୋଇଯାଇଛି | ଭୋରରୁ ମାଙ୍କ ଦ୍ୱାର ଫିଟିବା ପରେ ମଙ୍ଗଳଆଳତି, ଅବକାଶ, ବାଳ ଭୋଗ ଓ ସଙ୍ଖୁଡି ଭୋଗ ବଢିବା ପରେ ମାଙ୍କ ଅସ୍ଥାନରେ ମାଟି ପ୍ରଲେପ କରାଯାଇଥିଲା | ପରେ ଦିବ୍ୟଜ୍ୟୋତି ଦାଶ, ଚୌଧୁରୀ ସତ୍ୟନାରାୟଣ ଦାଶ, ରଞ୍ଜନ ଦାଶ, ଅକ୍ଷୟ କର, ସବ୍ୟସାଚୀ ରଥ, ଅମିତାଭ ମହାପାତ୍ର ପ୍ରମୁଖ ନିକଟସ୍ଥ କୂଅରୁ ଗରୁରେ ଜଳ ତୋଳି ଆଣି ମାଙ୍କ ଅସ୍ଥାନ ନିକଟରେ ଥୋଇବା ପରେ ମାଙ୍କ ପୂଜକ ସୋମନାଥ ଦାଶ ଓ ପିନାକ ଦାଶ ଜଳରେ ଅଗୁର, ଚନ୍ଦନ, ଚୁଆ, କେସର ଓ ସୁବାସିତ ପୁଷ୍ପ ମିଶ୍ରଣ କରିବା ପରେ ମାଙ୍କ ମସ୍ତକରେ ଜଳ ଲାଗି କରାଯାଇଥିଲା | ପରେ ପଣା ଭୋଗ କରାଯାଇଥିଲା | ସନ୍ଧ୍ୟାରେ ମାଙ୍କ ଅସ୍ଥାନରୁ ଜଳ ନିଷ୍କାସନ କରାଯିବା ପରେ ମାଆଙ୍କୁ ଚନ୍ଦନ ବେଶରେ ସଜିତ କରାଯାଇ ସନ୍ଧ୍ୟା ଆଳତି କରାଯାଇଥିଲା | ସ୍ଥାନୀୟ ଅଂଚଳର ବହୁ ଶ୍ରଦ୍ଧାଳୁ ମାଙ୍କ ଜଳଶାୟୀ ଓ ବେଶ ଦର୍ଶନ କରି ମାଙ୍କ ଆଶିଷ ଲାଭ କରିଥିଲେ | ରାତିରେ ମାଙ୍କୁ ପ୍ରସ୍ତୁତ ବିଭିନ୍ନ ପ୍ରକାରର ସୁସ୍ୱାଦୁ ବ୍ୟଞ୍ଜନ ଭୋଗ କରାଯାଇଥିଲା | ଏହି ଅବସରରେ ମାଆଙ୍କ ଉଜ୍ୱଳ ଆଲୋକମାଳାରେ ସଜିତ କରାଯାଇଥିଲା | ମା ରାମଚଣ୍ଡୀ ଠାକୁରାଣୀ ପରିଚାଳନା କମିଟି ସମ୍ପାଦକ ମାଗୁଣି ପୃଷ୍ଟି, ସହ ସମ୍ପାଦକ ରାଜେନ୍ଦ୍ର ପାତ୍ର, ଗୋବିନ୍ଦ ଦତ୍ତ ଓ କୋଷାଧକ୍ଷ ବୁଲୁ ପଢ଼ିଆରୀ ସମସ୍ତ କାର୍ଯ୍ୟ ସମ୍ପାଦନ କରିଥିଲେ |

Leave a Reply

Your email address will not be published.