ଢେଙ୍କାନାଳରେ ଇଂଜିନିୟରିଂ କଲେଜ ଛାତ୍ରଙ୍କ ନିଆରା ସଫଳତା

ଢେଙ୍କାନାଳ,(ନାଗରାଜ ନ୍ୟୁଜ): ଢେଙ୍କାନାଳରେ ଇଂଜିନିୟରିଂ କଲେଜ ଛାତ୍ରଙ୍କ ନିଆରା ସଫଳତା । ପୁରୁଣା ଅଦରକାରୀ ଗାଡିକୁ ଇ-ବାଇକରେ ରୁପାନ୍ତରିତ କରି ଏବେ ଚର୍ଚ୍ଚାରେ ସିନର୍ଜୀ କଲେଜର ଇଲେକ୍ଟ୍ରିକାଲ ଓ ମେକାନିକାଲ ଛାତ୍ର। ଜିଲ୍ଲା ପ୍ରଶାସନ ଓ ଶିଳ୍ପ ନିଗମର ସହଯୋଗ ମିଳିଲେ ଆଗକୁ ଅଧିକ ଉତ୍ପାଦନ ଓ ବ୍ୟବସାୟୀକରଣ କରାଯିବ। ଗୋଟିଏ ପଟେ ଆକାଶଛୁଆଁ ପେଟ୍ରୋଲ ଦର। ଅନ୍ୟପଟେ ପେଟ୍ରୋଲ ଗାଡିର ବହୁଳ ବ୍ୟବହାର ପାଇଁ ପ୍ରଦୁଶିତ ହେଉଛି ବାୟୁ ମଣ୍ଡଳ।ଏଭଳି ଘଡିସନ୍ଧି ପରିସ୍ଥିତିରେ ଢେଙ୍କାନାଳ ସିନର୍ଜୀ ଇଂଜିନିୟରିଂ କଲେଜର ଛାତ୍ର ଛାତ୍ରୀ ମାନେ ନିଜସ୍ୱ ଉଦ୍ୟମରେ ପ୍ରସ୍ତୁତ କରିଛନ୍ତି ଏକ ଇ-ବାଇକ । ଏକ ପୁରୁଣା ଅଦରକାରୀ ଗାଡି କୁ ନେଇ କଲେଜର ଇଲେକ୍ଟ୍ରିକାଲ ଓ ମେକାନିକାଲ ଛାତ୍ର ମାନେ ଇ-ବାଇକରେ ରୁପାନ୍ତରିତ କରିବାରେ ସଫଳ ହୋଇଛନ୍ତି। ଏବେ ଆସନ୍ତୁ ନଜର ପକାଇବା ଏହି ଇ-ବାଇକ ଉପରେ।ଏହି ବାଇକରେ ନା ପକାଇବାକୁ ପଡିବ ପେଟ୍ରୋଲ ନା ପ୍ରଦୁଷଣ ହେବ ପରିବେଶ।ଏଥିରେ ଏକ ହଜାର ୱ।ଟ ର ଏକ ମୋଟର ୪୮ଭୋଲଟର ଏକ ବ୍ୟାଟେରୀ ଖଞ୍ଜା ଯାଇଥିବା ବେଳେ ଫୁଲ ଚାର୍ଜିଂ ପାଇଁ ପାଞ୍ଚ ଘଣ୍ଟା ଲାଗିଥାଏ।ଆଉ ଥରକେ ୧୦୦କିଲୋମିଟର ପର୍ଯ୍ୟନ୍ତ ଗଡିପାରେ।ଅର୍ଥାତ କିଲୋମିଟର ପିଛା ମାତ୍ର ୨୦ପଇସା ଖର୍ଚ୍ଚ ହେଉଥିବାରୁ ସାମ୍ପ୍ରତିକ ପରିସ୍ଥିତିରେ ଆକାଶ ଛୁଆଁ ତୈଳଦରକୁ ଦୃଷ୍ଟିରେ ରଖି ଏହି ଗାଡି ବିକଳ୍ପ ହେବ ବୋଲି ଆଶା କରାଯାଉଛି । ଏହି ବାଇକଟିକୁ ପ୍ରସ୍ତୁତ କରିବା ପାଇଁ କଲେଜ ଛାତ୍ରଙ୍କୁ ଲାଗି ଯାଇଥିଲା ପୁରା ଦେଢମାସ । ସବୁଠାରୁ ବଡକଥା ହେଉଛି ଯେହେତୁ ବିନା କ୍ଲଜ ଓ ଗିୟରରେ ଏହାକୁ ପ୍ରସ୍ତୁତ କରାଯାଇଛି ତେଣୁକରି କଲେଜ ଛାତ୍ରୀ ଓ ମହିଳା ମାନେ ଚାହିଁଲେ ମଧ୍ୟ ଏହି ଗାଡିକୁ ବିନା ଦ୍ୱିଧାରେ ଚଲାଇ ପାରିବେ ।

 

କେବଳ ସେତିକି ନୁହଁ ଗାଡିରେ ଜିପିଏସ ଟେକ୍ନୋଲୋଜି ସହ ଗାଡି ଚୋରି ରୋକିବା ପାଇଁ ଏଥିରେ ରହିଛି ଲାଟେଷ୍ଟ ଆଣ୍ଟିଥେପଟର ସିଷ୍ଟମ।ଆଗାମୀ ଦିନ ମାନଙ୍କରେ ଜିଲ୍ଲାର ବିଭିନ୍ନ ସ୍ଥାନରୁ ଅଦରକାରୀ ପୁରୁଣା ଗାଡି ସବୁ ସଂଗ୍ରହ କରାଯାଇ ତାକୁ ଇ-ବାଇକରେ ରୁପାନ୍ତରିତ କରିବାକୁ କଲେଜ ଛାତ୍ର ମାନେ ଲକ୍ଷ୍ୟ ରଖିଛନ୍ତି।ତେଣୁ କରି ଜିଲ୍ଲା ପ୍ରଶାସନ ଓ ଶିଳ୍ପ ନିଗମର ସହାୟତା ଦ୍ୱାରା ଯଦି ଏହାକୁ ବ୍ୟବସାୟୀକରଣ କରାଯାଇ ପାରନ୍ତା ତେବେ ଏହାର ସୁଫଳ ମିଳିପାରନ୍ତା ବୋଲି ଆଶାବ୍ୟକ୍ତ କରିଛନ୍ତି କଲେଜ ଅଧ୍ୟକ୍ଷ।ଏପଟେ କଲେଜର ଏହି ଇ-ବାଇକ ଉନ୍ମୋଚନ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଯୋଗଦେବା ସହ ନିଜେ ଏହି ଇ-ବାଇକକୁ ଚଲାଇ ଆନନ୍ଦିତ ହୋଇଥିଲେ। ପିଲାମାନଙ୍କ ଦ୍ୱାରା ନିର୍ମିତ ଏହି ବାଇକ ପାଇଁ ସେମାନେ ପ୍ରଶଂସା ର ପାତ୍ର ବୋଲି କହିଛନ୍ତି ଜିଲ୍ଲାପାଳ ସରୋଜ କୁମାର ସେଠୀ । କଲେଜର ଛାତ୍ର ଛାତ୍ରୀ ମାନେ ବାର୍ଷିକ ଦେଢଶହ ଅଦରକାରୀ ଗାଡିକୁ ଇ-ବାଇକରେ ରୁପାନ୍ତରିତ କରିବାକୁ ଲକ୍ଷ୍ୟ ରଖିଥିବା ବେଳେ ପ୍ରଥମ ପର୍ଯ୍ୟାୟରେ ଏହି ସବୁ ଗାଡି କଲେଜର କର୍ମକର୍ତ୍ତା ଓ ଅନ୍ୟ ଛାତ୍ରଛାତ୍ରୀ ମାନଙ୍କୁ ପ୍ରଦାନ କରାଯିବ ବୋଲି କଲେଜ ପକ୍ଷରୁ କୁହା ଯାଇଛି।

Leave a Reply

Your email address will not be published.