ଦଶମ ଶ୍ରେଣୀ ପ୍ରଥମ ସମେଟିଭ ଫର୍ମଫିଲପ ପାଇଁ ବୋର୍ଡ କର୍ତ୍ତୃପକ୍ଷଙ୍କ ଟଙ୍କା ଆଦାୟ ପ୍ରତିବାଦରେ ଏଆଇଡିଏସଓ ପକ୍ଷରୁ ବିକ୍ଷୋଭ

କଟକ,(ନାଗରାଜ ନ୍ୟୁଜ): ଦଶମ ଶ୍ରେଣୀ ପ୍ରଥମ ସମେଟିଭ ଫର୍ମଫିଲପ ପାଇଁ ବୋର୍ଡ କର୍ତ୍ତୃପକ୍ଷଙ୍କ ଅନ୍ୟାୟ ଭାବେ ୪୨୦ ଟଙ୍କା ଆଦାୟ କରିବା ନିଷ୍ପତ୍ତି ପ୍ରତିବାଦରେ ଆଜି କଟକ ସ୍ଥିତ ବୋର୍ଡ କାର୍ଯ୍ୟାଳୟ ସମ୍ମୁଖରେ ଏଆଇଡିଏସଓ ପକ୍ଷରୁ ପ୍ରତିବାଦ ବିକ୍ଷୋଭ ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରତିବାଦ ବିକ୍ଷୋଭ ସ୍ଥଳରୁ ଏକ ପ୍ରତିନିଧି ମଣ୍ଡଳୀ ବୋର୍ଡ ସଭାପତିଙ୍କୁ ଭେଟି ସ୍ମାରକପତ୍ର ପ୍ରଦାନ କରିଛନ୍ତି । ବିକ୍ଷୋଭ ସ୍ଥଳରେ ଏଆଇଡିଏସଓ କଟକ ଜିଲ୍ଲା ସମ୍ପାଦକ ତରୁଣ ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପ୍ରତିବାଦ ସଭାରେ ଏଆଇଡିଏସଓ ରାଜ୍ୟ ସମ୍ପାଦକ ସିଦ୍ଧାର୍ଥ ରଥ, ଉପ-ସଭାପତି ଭାଗ୍ୟରବି ଦାସ, ସମ୍ପାଦକ ମଣ୍ଡଳୀ ସଦସ୍ୟ ବିନୋଦ ସେଠୀ, କଟକ ଜିଲ୍ଲା ସଭାପତି ଇଷା ଧର, ସମ୍ପାଦକ ତରୁଣ ନାୟକ, ଶିବାନୀ ସାହୁ, ଶୁଭସ୍ମିତା ସାହୁ, ଜ୍ୟୋତ୍ସାରାଣୀ ଦାସ, ଭାଗ୍ୟଶ୍ରୀ ପ୍ରଧାନ ପ୍ରମୂଖ ନିଜର ବକ୍ତବ୍ୟ ଉପସ୍ଥାପନ କରିଥିଲେ । ସେମାନେ କହିଥିଲେ ଆମ ରାଜ୍ୟର ଅନେକ ପରିବାର ଦାରିଦ୍ର‌୍ୟ ସୀମାରେଖା ତଳେ ବାସ କରନ୍ତି । ଅନ୍ୟଦିଗରେ କରୋନା ମହାମାରୀ ପରେ ରାଜ୍ୟର ଜନସାଧାରଣଙ୍କ ଆର୍ôଥକ ଅବସ୍ଥା ଅତ୍ୟନ୍ତ ଦୟନୀୟ ହୋଇଯାଇଛି ।

ଲକ୍ଷ ଲକ୍ଷ ଲୋକ ନିଜର କାର୍ଯ୍ୟ ହରାଇଛନ୍ତି । ଏହି ପରିସ୍ଥିତିରେ ଛାତ୍ର ଛାତ୍ରୀ ମାନଙ୍କ ପାଠପଢାର ଦାୟିତ୍ୟ ସଂପୂର୍ଣ୍ଣ ସରକାର ନେବା କଥା ମାତ୍ର ଓଡିଶା ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ଦଶମ ଶ୍ରେଣୀ ପ୍ରଥମ ସମେଟିଭ ପରୀକ୍ଷା ଫର୍ମ ପୂରଣ କରିବା ପାଇଁ ୪୨୦ ଟଙ୍କା ଫିସ ଆଦାୟ ନିଷ୍ପତ୍ତି ହୋଇଛି । ଯାହାକି ଦୁଇଟି ସମେଟିଭ ବାବଦରେ ଗୋଟିଏ ଛାତ୍ର ପାଇଁ ୮୪୦ ଟଙ୍କା ହେବ । ଯାହା ଫଳରେ ବହୁ ଗରିବ ଘରର ଛାତ୍ର ଛାତ୍ରୀ ଟଙ୍କା ଅଭାବରୁ ଫର୍ମପୂରଣ କରି ନପାରି ପରୀକ୍ଷା ଦେବାରୁ ବଂଚିତ ହେବେ । ସମେଟିଭ ପରୀକ୍ଷା ଆଳରେ ନବମ ଓ ଦଶମ ଶ୍ରେଣୀର ଛାତ୍ର ଛାତ୍ରୀମାନଙ୍କ ପାଖରୁ ୪ ଥର ଫିସ ଆଦାୟ କରାଯିବ । ଏହିଭଳି ଫିସ୍ ଆଗରୁ ଆଦାୟ କରାଯାଉ ନଥିଲା । ଚଳିତ ବର୍ଷରୁ ଏହିଭଳି ଫିସ୍ ଆଦାୟ କରିବା ଅତ୍ୟନ୍ତ ଅନ୍ୟାୟ । ଏଣୁ ତୁରନ୍ତ ଦଶମ ଶ୍ରେଣୀ ସମେଟିଭ ପରୀକ୍ଷା ଫିସ୍ ଆଦାୟ କରିବା ନିଷ୍ପତ୍ତିକୁ ସଂପୂର୍ଣ୍ଣ ପ୍ରତ୍ୟାହାର କରିବା ସହ ଛାତ୍ର ଛାତ୍ରୀମାନଙ୍କର ମାଗଣାରେ ଫର୍ମ ପୂରଣ କରାଇବା ଓ ସମେଟିଭ ପରୀକ୍ଷା ଆଳରେ ନବମ ଓ ଦଶମରେ ୪ ଥର ଫର୍ମପୂରଣ ଆଦାୟ ବନ୍ଦ କରିବାକୁ ଛାତ୍ର ନେତା ମାନେ ଦାବି କରିଥିଲେ । ଅନ୍ୟଥା ଆଗାମୀ ଦିନରେ ଦୁର୍ବାର ଛାତ୍ର-ଅଭିଭାବକଙ୍କ ଆନ୍ଦୋଳନ ହେବ ବୋଲି ଚେତାବନୀ ଦେଇଛନ୍ତି ।

Leave a Reply

Your email address will not be published.