ଖପ୍ରାଖୋଲ, (ନାଗରାଜ ନ୍ୟୁଜ): ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ବ୍ଳକ ଆଦିବାସୀପଡ଼ା ଭାବେ ପରିଚିତ ଖୁଣ୍ଟସମଲାଇ ପଞ୍ଚାୟତ ଅଧୀନ ଗରଗଡଛାପର ଗ୍ରାମରେ ସ୍କୁଲକୁ ସମ୍ପୂର୍ଣ୍ଣ ଉଚ୍ଛେଦ କରାଯାଇଥିବାରୁ ଗ୍ରାମବାସୀଙ୍କ ମଧ୍ୟରେ ତିବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଏନେଇ ବାରମ୍ବାର ଜିଲ୍ଲା ପ୍ରଶାସନର ଦ୍ଵାରସ୍ଥ ହୋଇଥିଲେ ମଧ୍ୟ କୌଣସି ସୁଫଳ ମିଳିପାରିନାହିଁ । ଏହି ଗ୍ରାମଟି ଗୋଟିଏ ୱାର୍ଡ ବିଶିଷ୍ଟ ଜନସଂଖ୍ୟା ପ୍ରାୟ ୨୮୦ , ୧୯୬୨ ମସିହାରେ ପ୍ରାଥମିକ ବିଦ୍ୟାଳୟ ସ୍ଥାପନ ହୋଇଥିଲା । କମ ପିଲା ହେତୁ ପାଖ ସ୍କୁଲର ଦୂରତା କମ୍ ଦର୍ଶାଇ ସ୍କୁଲଟିକୁ ଢୋଲ ମହୁଲ ପ୍ରାଥମିକ ବିଦ୍ୟାଳୟରେ ମିଶ୍ରଣ କରାଯାଇଥିଲା । ଏନେଇ ଗ୍ରାମବାସୀ ୨୦୨୧ ମସିହା ଜାନୁଆରୀ ୨୭ ତାରିଖରୁ ସ୍କୁଲ ସମ୍ମୁଖରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଆମରଣ ଅନଶନରେ ବସିଥିଲେ । ଅନଶନର ୬ ଦିନ ପରେ ଉପଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ସହକାରୀ ଜିଲ୍ଲାପାଳ କ୍ଷୀରୋଦ ଚନ୍ଦ୍ର ସାହୁ ଓ ପାଟଣାଗଡ଼ ଗୋଷ୍ଠୀ ଶିକ୍ଷା ଅଧିକାରୀ ଓ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଧାରଣା ସ୍ଥଳରେ ପହଞ୍ଚି ପ୍ରତିଶ୍ରୁତି ଦେବାପରେ ଅନଶନରୁ ଓହରିଥିଲେ ।
ଗ୍ରାମଟି ଆଦିବାସୀ ବହୁଳ ହେତୁ ସ୍କୁଲକୁ ବନ୍ଦ ନ କରିବାକୁ ଆଦିବାସୀ କଲ୍ୟାଣ ମହାସଂଘର ମହାସଚିବ ନୀରଞ୍ଜନ ବିଶି ରାଜ୍ୟ ସରକାର, ଶିକ୍ଷା ବିଭାଗ ମନ୍ତ୍ରୀ ଓ ସଚିବଙ୍କୁ ଲିଖିତ ଦୃଷ୍ଟି ଆକର୍ଷଣ କରିଥିଲେ । ଗ୍ରାମବାସୀ ଏନେଇ ଅନେକ ଥର ଅତିରିକ୍ତ ଜିଲ୍ଲାପାଳଙ୍କୁ ଜଣାଇଥିଲେ ମଧ୍ୟ ଏପର୍ୟ୍ୟନ୍ତ କୌଣସି ସୁଫଳ ମିଳିନାହିଁ । ଏଯାଏଁ ସ୍କୁଲକୁ କାର୍ଯ୍ୟକ୍ଷମ କରାନଯାଇ ନ ଥିବାରୁ ଗ୍ରାମବାସୀ ସମୁହ ଆଗାମୀ ପଞ୍ଚାୟତ ନିର୍ବାଚନ ର ଭୋଟ ବର୍ଜ୍ଜନ କରିବାକୁ ନିଷ୍ପତ୍ତି ନେଇଛନ୍ତି । ପଞ୍ଚାୟତ ନିର୍ବାଚନରେ ଗ୍ରାମରୁ ୱାର୍ଡମେମ୍ବର ମଧ୍ୟ ନାମାଙ୍କନ କରିନଥିବା ବେଳେ ସରକାର ସ୍କୁଲକୁ ପୁନଃ କାର୍ୟ୍ୟକ୍ଷମ ନକରନ୍ତି ତାହେଲେ ନିର୍ବାଚନରେ ଭୋଟ ବର୍ଜନ କରିଥିବା ଚେତାବନୀ ଦେଇଛନ୍ତି ।