ବିହନ ଉତ୍ପାଦନ କେନ୍ଦ୍ରରେ ବିହନ ଉତ୍ପାଦନ ଠପ, ବର୍ଷା ସାଜିଛି ବାଧକ

ବାଙ୍କୀ: ଚଳିତବର୍ଷ ବର୍ଷାର ପରିମାଣ କମ ହେତୁ ଚାଷ ଜମି ପଡିଆ ପଡିଛି । ତତସହିତ ବିହନ ଉତ୍ପାଦନ କେନ୍ଦ୍ରରେ ବିହନ‌ ଉତ୍ପାଦନ ଠପ ହୋଇଯାଇଛି । ବିହନ ଉତ୍ପାଦନ ନେଇ ଚିନ୍ତାରେ ସରକାରୀ କୃଷି ଫାର୍ମ ଅଧିକାରୀ । ଏଭଳି ଘଟଣା ଦେଖିବାକୁ ମିଳିଛି ବାଙ୍କୀ କୃଷି ଅଧିକାରୀ ଅଫିସ ପରିସରରେ । ଏଠି ରହିଛି ସାତ ହେକ୍ଟର ଚାଷ ଜମି । ଏହି ଜମିରେ ବର୍ଷା ଦିନରେ ସ୍ୱର୍ଣ୍ଣ ଧାନ ଚାଷ କରାଯାଇ କଟକ ଓ ଭୁବନେଶ୍ୱର ଓଏସିସିକୁ ତଥା ସରକାରୀ ବିହନ ନିଗମକୁ ପଠାଯାଇଥାଏ । ସେଠାରେ ବିହନ ବିଶୋଧନ କରାଯାଇ ଚାଷୀଙ୍କୁ ବିହନ ଯୋଗାଇ ଦିଆଯାଇଥାଏ । ହେଲେ ଚଳିତ ବର୍ଷ ବର୍ଷା ଅଭାବରୁ ବିହନ ଉତ୍ପାଦନ କେନ୍ଦ୍ରରେ ଚାଷ ଜମି ପଡିଆ ପଡିଥିବାବେଳେ ଚାଷୀଙ୍କୁ ବିହନ ଯୋଗାଇବା ଅସମ୍ଭବ ହୋଇପଡିଛି ।

ଫାର୍ମ ହାଉସ ଅଧିକାରୀଙ୍କ କହିବାର କଥା ଅନୁଯାୟୀ ଯଦି ପାଣି ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇପାରନ୍ତା ତେବେ ଧାନ ରୁଆ ପୋତା ହୋଇପାରନ୍ତା ଚାଷୀଙ୍କୁ ବିହନ ଯୋଗାଇବା ସଫଳ ହୋଇପାରନ୍ତା । ହେଲେ ତାହା ଏବେ ଅସମ୍ଭବ ହୋଇପଡିଛି । ବିହନ ଉତ୍ପାଦନ କେନ୍ଦ୍ରରେ ଯଦି ଏଭଳି ଅବସ୍ଥା ତେବେ ଅନ୍ୟ କ୍ଷେତ୍ରରେ କଣ ଅସୁବିଧା ହେଉଥିବ ଏଥିରୁ ସ୍ପଷ୍ଟ ଅନୁମାନ କରାଯାଉଛି । ଅନ୍ୟପକ୍ଷେ ପ୍ରତ୍ୟକ ବର୍ଷ ବାଙ୍କୀ କୃଷି ଫାର୍ମ ପକ୍ଷରୁ ୨ ଶହ ପଚାଶ କ୍ବିଇଣ୍ଟାଲ ଧାନ ବିହନ ରାଜ୍ୟ ସରକାରଙ୍କ ବିହନ ନିଗମକୁ ଯୋଗାଇ ଆସୁଥିବା ବେଳେ ଚଳିତ ଖରିଫ ଋତୁରେ ବର୍ଷା ଅଭାବରୁ ଦେଖାଦେଇଛି ସମସ୍ୟା । ତେବେ ସମସ୍ୟା ସମାଧାନ ନେଇ ଉଚପଦସ୍ଥ ଅଧିକାରିଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି ।

Leave a Reply

Your email address will not be published.