କଟକରେ ଆଜିଠାରୁ ଶାରଦୀୟ ଦୁର୍ଗାପୂଜା ଆରମ୍ଭ

କଟକ,(ନାଗରାଜ ନ୍ୟୁଜ): ହଜାର ବର୍ଷର ପୁରାତନ ଐତିହାସିକ ଭାଇଚାରାର ସହର କଟକରେ ଆଜିଠାରୁ ଶାରଦୀୟ ଦୁର୍ଗାପୂଜା ଆରମ୍ଭ ହୋଇଛି। ଆଜି ବିଭିନ୍ନ ମଣ୍ଡପରେ ମା’ଦୂର୍ଗାଙ୍କର ଷଷ୍ଠୀପୂଜା ସମ୍ପନ୍ନ ହୋଇଥିଲାବେଳେ ଆସନ୍ତା କଲି ଅକ୍ଟୋବର ୨ ତାରିଖ ସୋମବାର ଦିନ ସପ୍ତମୀ ପୂଜା ଅନୁଷ୍ଠିତ ହୋଇ ମା’ ଦୂର୍ଗା ଓ ହରପାର୍ବତୀଙ୍କର ଚକ୍ଷୁଦାନ କରାଯିବ। ଶାରଦୀୟ ଦୁର୍ଗାପୂଜା ପାଇଁ ସହର ଉତ୍ସବ ମୁଖରିତ ଏବଂ ଅନୁକୂଳ ପାଗଯୋଗୁ ବିଭିନ୍ନ ମଣ୍ଡପରେ ମା’ ଙ୍କ ଦର୍ଶନ ପାଇଁ ଜନଗହଳି ଥିବା ପରିଲକ୍ଷିତ ହେଉଛି। ମାତ୍ର ପାଣିପାଗ ସୂଚନା ଅନୁଯାୟୀ ବର୍ଷାର ସମ୍ଭାବନା ଦୃଷ୍ଟିରୁ ସହରବାସୀଙ୍କ ମଧ୍ୟରେ ବେଶ କିଛିଟା ଝଟକା ଆସିଛି। ଚଳିତବର୍ଷ ସହରରେ ୧୭୪ଟି ଏବଂ ସଦର ଅଞ୍ଚଳରେ ୭୨ଟି ମୂର୍ତ୍ତି ନିର୍ମିତ ହୋଇଛନ୍ତି। ସେଥିମଧ୍ୟରୁ କେବଳ କଟକରେ ୮୨ଟି ମଣ୍ଡପରେ ମା’ ଦୂର୍ଗାଙ୍କର ମୃଣ୍ମୟୀ ମୂର୍ତ୍ତି ପୂଜା ପାଉଥିଲାବେଳେ ଅବଶିଷ୍ଟ ମଣ୍ଡପରେ ହରପାର୍ବତୀ, ଚୈତନ୍ୟ ଓ କାଳୀୟ ଦଳନ ୫ଟି ସ୍ଥାନରେ ପିତୁଳା ପୂଜା ହେଉଛି। ଚଳିତବର୍ଷ କଲେଜ ଛକରେ ନୂଆ ଚାନ୍ଦି ମେଢ ନିର୍ମିତ ହୋଇଛି। ଫଳରେ ଏଥର ଚାନ୍ଦି ମେଢର ସଂଖ୍ୟା ୨୭କୁ ବୃଦ୍ଧି ପାଇଛି। ପୂଜାରେ ସୁରକ୍ଷା ବ୍ୟବସ୍ଥାକୁ ଦୃଷ୍ଟିରେ ରଖି କେତେକ ନୂତନ ପଦକ୍ଷେପ ନିଆଯାଇଥିବା ପୋଲିସ ସୂତ୍ରରୁ ପ୍ରକାଶ। ସହରର ବିଭିନ୍ନ ସ୍ଥାନରେ ସି ସି ଟି ଭି କ୍ୟାମେରା ଖଞ୍ଜାଯାଇଛି। ବିଭିନ୍ନ ଛକମାନଙ୍କରେ ଅସ୍ଥାୟୀ ପୋଲିସ ଶିବିରମାନ ଖୋଲାଯାଇଛି। ଚାନ୍ଦି ଓ ସୁନା ଖଞ୍ଜା ଯାଇଥିବା ସ୍ଥାନରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି। ସହରର ପ୍ରମୁଖ ଶକ୍ତିପୀଠରେ ଓ ପୂଜାମଣ୍ଡପ ଗୁଡିକରେ ସକାଳୁ ସକାଳୁ ଭକ୍ତଙ୍କର ଭିଡ ଲାଗିରହିଛି। ଘଣ୍ଟ, ଘଣ୍ଟା, ମୃଦଙ୍ଗ, ଶଙ୍ଖ ଓ ହୁଳହୁଳି ଶବ୍ଦରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଛି।

Leave a Reply

Your email address will not be published.