ମା’ଙ୍କ ଭୋଗ ଖାଇବା ଲାଳସାରେ ମନ୍ଦିରକୁ ଆସୁଛନ୍ତି ଭାଲୁ

ନୂଆପଡ଼ା, (ନାଗରାଜ ନ୍ୟୁଜ): ନୂଆପଡ଼ା ଜିଲ୍ଲା ଜଙ୍ଗଲୀ ଭାଲୁ କହିଲେ ଲୋକଙ୍କ ମନରେ ଆତଙ୍କ ଖେଳିଯାଏ । ଭାଲୁଙ୍କୁ ଦେଖିବା ମାତ୍ରେ ଲୋକେ ସେହି ସ୍ଥାନରୁ ପଳାୟନ କରନ୍ତି । ଅନ୍ୟପକ୍ଷେ ମଣିଷକୁ ଦେଖିବା ମାତ୍ରେ ଭାଲୁ ମଧ୍ୟ ଜୀବନ ବିକଳରେ ଗୋଟେ ଜାଗାରୁ ଅନ୍ୟ ଜାଗାକୁ ଚାଲି ଯାଇଥାଏ, କିନ୍ତୁ ଏଠି କିଛି ନିଆରା ଦୃଶ୍ୟ ଦେଖିବାକୁ ମିଳିଛି । ମଣିଷ ଓ ଜଙ୍ଗଲୀ ଭାଲୁ ମଧ୍ୟରେ ବନ୍ଧୁତା କହିଲେ ଭୁଲ ହେବ ନାହିଁ । ନୂଆପଡ଼ା ଜିଲ୍ଲା ସଦର ବ୍ଲକ ସାଲିହା ସଂରକ୍ଷିତ ଜଙ୍ଗଲର ଜନ୍ମଦାତ୍ରୀ ଆଦିଶକ୍ତି ଛୁଆରୀ ମାତା ମନ୍ଦିରରେ ମଣିଷ ଓ ଭାଲୁଙ୍କ ପ୍ରେମର ଭିନ୍ନ ଚିତ୍ର ଦେଖିବାକୁ ମିଳିଛି । ଏବେ ନବରାତ୍ରୀରେ ଜଙ୍ଗଲୀ ଭାଲୁ ମନ୍ଦିରକୁ ଆସି ମା’ଙ୍କ ଦର୍ଶନ କରି ଭକ୍ତଙ୍କ ହାତରୁ ନଡିଆ ଭୋଗ ଖାଇ ଫେରି ଯାଉଛନ୍ତି ।

କଣାଭଇଁରା ସଂରକ୍ଷିତ ଜଙ୍ଗଲର ତୀକ୍ଷ୍ଣ ପଥର ଚଟାଣ ଉପରେ ପାହାଡ଼ ଶୀର୍ଷରେ ରହିଛି ଜନ୍ମଦାତ୍ରୀ ଆଦିଶକ୍ତି ଛୁଆରୀ ମାତାଙ୍କ ମନ୍ଦିର । ଏହି ମନ୍ଦିରରେ ବର୍ଷ ବର୍ଷ ହେବ ମା’ଙ୍କ ପୂଜାର୍ଚ୍ଚନା ହୋଇ ଆସୁଛି । ଗତ କିଛି ବର୍ଷ ହେବ ଦଶହରା ପର୍ବ ଉପଲକ୍ଷେ ନବରାତ୍ରୀ ପୂଜା ଆୟୋଜିତ ହେଉଛି । ପ୍ରତିଦିନ ସକାଳେ ଓ ସନ୍ଧ୍ୟାରେ ମା’ଙ୍କ ଆଳତି ହୋଇ ଆମ ରୀତିନୀତି ଅନୁଯାଇ ନଡିଆ ଓ କଦଳୀ ଭୋଗ ଲାଗିଥାଏ । ଏବେ ଦୁଇଗୋଟି ଜଙ୍ଗଲୀ ଭାଲୁ ମନ୍ଦିର ପରିସରକୁ ଆସି ମା’ଙ୍କ ଦର୍ଶନ କରୁଛନ୍ତି । ସେଠାରେ ଭକ୍ତଙ୍କ ହାତରୁ ନଡିଆ ଭୋଗ ଖାଇ ଦୁଇ ଭାଲୁ ଜଙ୍ଗଲ ଭିତରକୁ ଫେରି ଯାଉଛନ୍ତି। ଏକଥା ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ । ତେବେ ଏହା ମା’ଙ୍କ ଆର୍ଶୀବାଦ ହେଉ କି ଭୋକରେ ବିକଳରେ ହେଉ, କିନ୍ତୁ ମଣିଷ ହାତରୁ ଜଙ୍ଗଲୀ ଭାଲୁ ନଡ଼ିଆ ଭୋଗ ଖାଇବା ଏଇ ନିଆଁରା ଦୃଶ୍ୟ ଦେଖିବାକୁ ମିଳିଛି । ଏମିତି ଜଙ୍ଗଲୀ ଭାଲୁ ଓ ମଣିଷ ହାତରୁ ଭୋଗ ଖାଉଥିବା ସମ୍ପର୍କକୁ ଦେଖି ଲୋକଙ୍କୁ ଆଶ୍ଚର୍ଯ୍ୟ କରୁଛି । ଏହି ଭାଲୁକୁ ଦେଖିବାକୁ ଲୋକଙ୍କ ଭିଡ଼ ମଧ୍ୟ ଜମୁଛି ।

Leave a Reply

Your email address will not be published.