ବୁଡାକଟାସ୍କାନ ଷ୍ଟିଲ କାରଖାନାର ମୁଖ୍ୟ ଫାଟକ ବନ୍ଦ କଲେ ଉତ୍ୟକ୍ତ ଲୋକେ

ସୁନ୍ଦରଗଡ଼, (ନାଗରାଜ ନ୍ୟୁଜ): ସୁନ୍ଦରଗଡ଼ ଜିଲ୍ଲାର କୁତ୍ରା ଥାନା ଅଧୀନରେ ଥିବା ବୁଡାକଟାସ୍କାନ ଷ୍ଟିଲ କାରଖାନାରେ ଶ୍ରମିକ ମୃତ୍ୟୁ ଅଭିଯୋଗକୁ ନେଇ ଚାପା ଉତ୍ତେଜନା ଦେଖାଦେବା ସହିତ କାରଖାନାର ଉଭୟପଟ ମୁଖ୍ୟ ଫାଟକ ବନ୍ଦକରି କିଛି ଲୋକ ଫାଟକ ସାମ୍ନାରେ ଜଗି ରହିଛନ୍ତି । କାହାରିକୁ ଭିତରକୁ ପ୍ରବେଶ କରିବାକୁ ଦେଉନଥିବା ଦେଖିବାକୁ ମିଳିଛି । ଯାହାଫଳରେ କାରଖାନାକୁ କାମ କରିବାକୁ ଆସିଥିବା ଲୋକମାନଙ୍କୁ ମଧ୍ୟ ଭିତରକୁ ଛାଡୁନଥିବାରୁ ଫାଟକ ସମ୍ମୁଖରେ ଚାପା ଉତ୍ତେଜନା ଦେଖାଦେଇଛି । ଅନ୍ୟ ପକ୍ଷରେ ଏହି କାରଖାନାକୁ କଞ୍ଚାମାଲ ନେଇ ଆସିଥିବା ଟ୍ରକ୍ ଗୁଡିକୁ ମଧ୍ୟ ଭିତରକୁ ଛାଡୁନଥିବାରୁ ରାସ୍ତାରେ ଟ୍ରକସବୁ ଲମ୍ବା ଲାଇନରେ ଛିଡ଼ାହୋଇ ଥିବା ଦେଖିବାକୁ ମିଳିଛି । ବିଶ୍ଵସ୍ତ ସୁତ୍ରରୁ ଜଣାପଡିଛିଯେ, ଗଙ୍ଗାଜଳ ଗ୍ରାମର ପଟନାୟକ ଲାକ୍ରା ଏହି କାରଖାନାରେ ଇଲେକ୍ଟ୍ରିକାଲ ଭାବରେ କାମ କରୁଥିଲେ । ଗତକାଲି ତାଙ୍କର ସି ସିପ୍ଟରେ କାମ ଥିଲା । ସେ କାରଖାନାକୁ ଆସି କିଛି ସମୟ ରହିବା ପରେ ଅସୁସ୍ଥତା ଅନୁଭବ କରିଥିଲେ ଏବଂ ତଳେ ପଡିଯାଇଥିଲେ । ଏହାଦେଖି ତାଙ୍କ ସହଯୋଗୀ କର୍ମଚାରୀ ଏବଂ କାରଖାନା କର୍ତୃପକ୍ଷ ତାଙ୍କ ପରିବାର ଲୋକଙ୍କୁ ଖବର ଦେଇ ଆମ୍ବୁଲାନ୍ସ ଯୋଗେ ସଙ୍ଗେ ସଙ୍ଗେ ବଡ଼ଗାଁ ଡାକ୍ତରଖାନାକୁ ନେଇଯାଇଥିଲେ । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ପରେ ‌ଆଜି ସକାଳୁ ତାଙ୍କ ପରିବାର ଲୋକେ କାରଖାନାକୁ ଆସି ଉଚିତ୍ କ୍ଷତିପୂରଣ ଦେବା ସହିତ ପରିବାରର ଜଣଙ୍କୁ ଚାକିରି ଦେବା ଦାବିରେ ମୁଖ୍ୟ ଫାଟକ ବନ୍ଦ କରିଥିବା ଜଣାଯାଇଛି । ଖବରପାଇ କୁତ୍ରା ପୋଲିସ ଘଟଣାସ୍ଥଳରେ ପହଞ୍ଚି କୌଣସି ଅପ୍ରିତୀକର ପରିସ୍ଥିତି ଯେପରି ସୃଷ୍ଟି ନ ହୁଏ ସେଥିପାଇଁ ତୀକ୍ଷ୍ଣ ନଜର ରଖିଛି ।

Leave a Reply

Your email address will not be published.