ଲାଞ୍ଚ ନେବା ବେଳେ ଧରାପଡ଼ିଲେ ଡାକ୍ତରବାବୁ

କଟକ,(ନାଗରାଜ ନ୍ୟୁଜ): LIC ଡେଥ୍‌ କ୍ଲେମ୍‌ ମାମଲା ଫର୍ମରେ ଦସ୍ତଖତ କରିବା ପାଇଁ ୧୧ ହଜାର ଟଙ୍କା ଲାଞ୍ଚ ମାଗୁଥିଲେ ଡାକ୍ତର । ଆଉ ଲାଞ୍ଚ ନେବା ବେଳେ ଧରାପଡ଼ିଥିଲେ ଡାକ୍ତର ମହାଶୟ । ଏହି ଘଟଣାରେ ଆଜି ସଂପୃକ୍ତ ଡାକ୍ତରଙ୍କୁ ଭିଜିଲାନ୍ସ ଟିମ ଗିରଫ କରିବା ସହ କୋର୍ଟ ଚାଲାଣ କରିଛି । ଏହି ଲାଞ୍ଚୁଆ ଡାକ୍ତର ଜଣକ ହେଲେ ଢେଙ୍କାନାଳ ହସ୍ପିଟାଲର ମେଡିସିନ ସ୍ପେଶାଲିଷ୍ଟ ଉମାକାନ୍ତ ଖେଜୁରିଆ ।ସୂଚନା ଅନୁସାରେ ଢେଙ୍କାନାଳ ସଦର ବ୍ଲକ ଚାଉଳିଆ ଗାଁର ନନ୍ଦିନୀ ନାୟକ ଏକ LIC ପଲିସି କରିଥିଲେ । ହେଲେ ନନ୍ଦିନୀଙ୍କର ମୃତ୍ୟୁ ପରେ ତାଙ୍କ ୮ ବର୍ଷର ଝିଅକୁ ବୀମା ଟଙ୍କା ପାଇଁ ଡେଥ୍ କ୍ଲେମ୍ କରିଥିଲେ ପରିବାର ଲୋକେ । ଏଥିପାଇଁ ଡାକ୍ତର କ୍ଲେମ୍ କେସ ଫର୍ମରେ ଏକ କାଉଣ୍ଟର ଦସ୍ତଖତ କରିବା ଆବଶ୍ୟକ ପଡ଼ିଥିଲା । ଏନେଇ ଏଲଆଇସି ଏଜେଣ୍ଟ ବୈକୁଣ୍ଠ ସାହୁ ଡାକ୍ତର ଉମାକାନ୍ତଙ୍କ ସହଯୋଗ ଲୋଡ଼ିଥିଲେ ।

ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଡାକ୍ତର ଉମାକାନ୍ତ ଏଥିପାଇଁ ତାଙ୍କୁ ୧୧ ହଜାର ଟଙ୍କା ଲାଞ୍ଚ ମାଗିଥିଲେ । ଡାକ୍ତର ଜଣକ ଲାଞ୍ଚ ମାଗୁଥିବା ନେଇ ଭିଜିଲାନ୍ସର ଦ୍ବାରସ୍ଥ ହୋଇଥିଲେ ଏଲଆଇସି ଏଜେଣ୍ଟ । ଏହି ଅଭିଯୋଗକୁ ଭିତ୍ତି କରି ଭିଜିଲାନ୍ସ ବିଭାଗୀୟ ଅଧିକାରୀ ଲାଞ୍ଚୁଆ ଡାକ୍ତରଙ୍କୁ ଧରିବା ନିମନ୍ତେ ଯୋଜନା କରିଥିଲେ । ଯୋଜନା ମୁତାବକ ଅଭିଯୋଗକାରୀ ଆଜି ଡାକ୍ତର ଉମାକାନ୍ତଙ୍କୁ ଲାଞ୍ଚ ଦେଉଥିବା ସମୟରେ ଭିଜିଲାନ୍ସ ଟିମ ଆତର୍କିତ ଭାବେ ଚଢାଉ କରି କେମିକାଲ ବୋଳା ଲାଞ୍ଚ ଟଙ୍କା ଜବତ କରିଥିଲେ । ଏନେଇ ଏକ ମାମଲା ରୁଜୁ କରି ଡାକ୍ତରଙ୍କୁ ଗିରଫ କରିବା ପରେ କୋର୍ଟ ଚାଲାଣ କରିଛି । ଘଟଣାର ଅଧିକ ତଦନ୍ତ ଚଳାଇଛି ଭିଜିଲାନ୍ସ ବିଭାଗ ।

Leave a Reply

Your email address will not be published.