ଶ୍ରାବଣ ମାସର ପ୍ରଥମ ସୋମବାର

ପୁରୀ,(ନାଗରାଜ ନ୍ୟୁଜ): ଦେବଦେବ ମହାଦେବଙ୍କୁ ଜଳାଭିଷେକ କରିବା ପାଇଁ ଆରମ୍ଭ ହୋଇଛି କାଉଡ଼ି ଯାତ୍ରା । ଆଜି ଶ୍ରାବଣମାସର ପ୍ରଥମ ସୋମବାର ହୋଇଥିବାରୁ ରାଜ୍ୟର ବିଭିନ୍ନ ଶୈବପୀଠରେ ଶ୍ରଦ୍ଧାଳୁଙ୍କ ଜଳାଭିଷେକ ଅନୁଷ୍ଠିତ ହୋଇଥିଲା । ଗତ ଦୁଇବର୍ଷ ଧରି କରୋନା କଟକଣା ଯୋଗୁଁ ଶ୍ରଦ୍ଧାଳୁମାନେ ପ୍ରଭୁ ଶିବଶଙ୍କରଙ୍କୁ ଜଳାଭିଷେକ କରିବାର ସୁଯୋଗ ପାଇନଥିଲେ । ମାତ୍ର ଚଳିତ ବର୍ଷ କଟକଣା କୋହଳ ହୋଇଥିବାହେତୁ ଶ୍ରଦ୍ଧାଳୁଙ୍କ ମଧ୍ୟରେ ବେଶ ଆନନ୍ଦ ପ୍ରକାଶ ପାଇଛି । ଏହି ଅବସରରେ ଶ୍ରଦ୍ଧାଳୁମାନେ ପ୍ରଭୁ ଶିବଶଙ୍କରଙ୍କ ଉଦ୍ଧେଶ୍ୟରେ କାଉଡ଼ି ଭାର ନେଇ ଶିବାଳୟ ଅଭିମୁଖେ ବାହାରିଥିଲେ । ବିଶେଷ କରି ଆଜି କଟକରୁ ଭୁବନେଶ୍ୱର ଲିଙ୍ଗରାଜ ଓ ପୁରୀର ଲୋକନାଥଙ୍କ ଠାରେ ଜଳାଭିଷେକ କରିବା ପାଇଁ କାଉଡ଼ିଆମାନେ ବାହାରିଥିଲେ । ଏଥି ପାଇଁ କଟକର ଐତିହାସିକ ଗଡ଼ଗଡ଼ିଆ ଘାଟରୁ ଶ୍ରଦ୍ଧାଳୁମାନେ ପାଣି ଉଠାଇ ଯାତ୍ରା ଆରମ୍ଭ କରିଥିଲେ । ଆସନ୍ତା କାଲି ସୋମବାର ଦିନ ପ୍ରଭୁଙ୍କ ଉପରେ ପାଣି ଢ଼ାଳିବା ପାଇଁ ବାହୁଙ୍ଗି ଭାର ଧରି ରାସ୍ତାରେ ବୋଲ ବମ ହରହର ବମ ଧ୍ୱନୀର ତାଳେ ତାଳେ ଚାଲିଥିଲେ । ଏହି ଅବସରରେ ସ୍ଥାନୀୟ ମହାନଦୀ କୂଳ ଗଡ଼ଗଡ଼ିଆ ଘାଟରେ କାଉଡ଼ିଆଙ୍କ ଭିଡ଼ ଜମିଥିବା ଦେଖିବାକୁ ମିଳିଥିଲା । ବିଭିନ୍ନ ଗଣ ପୋଷାକରେ କାଉଡ଼ିଆମାନେ ମହାନଦୀରୁ ଜଳ ଉଠାଇ ସେଠାରେ ବାବା ଲିଙ୍ଗରାଜଙ୍କ ଉଦ୍ଦେଶ୍ୟରେ ବାଲୁଙ୍କା ପୂଜା କରିଥିଲେ ।

ଧୂପ ଦୀପ, ଫୁଲ, ଚନ୍ଦନ, ସିନ୍ଦୁର ସହ ବେଲପତ୍ର ଦେଇ ଦେବଦେବ ମହାଦେବଙ୍କୁ ପୂଜାର୍ଚ୍ଚନା କରିବା ପରେ ଶିବପଞ୍ଚାକ୍ଷର ଗାନ କରି ପାଣି ଭାର ନେଇ ଧବଳେଶ୍ୱର ଓ ଭୁବନେଶ୍ୱର ଅଭିମୁଖେ ଯାତ୍ରା କରିବା ଦେଖିବାକୁ ମିଳିଥିଲା । କାଉଡ଼ିଆମାନଙ୍କ ବୋଲ ବମ ହରହର ବମ, ବାବାମଣି ନିଅ ଟାଣି, ଧବଳେଶ୍ୱର ପାର କରେଗା, କପିଳାସ ବାବା ପାର କରେଗା, ଲିଙ୍ଗରାଜ ପାର କରେଗା ଆଦି ଧ୍ୱନୀରେ ଗଗନ ପବନ ମୁଖରିତ ହୋଇଥିବାବେଳେ ଏକ ସାତ୍ତ୍ୱିକ ବାତାବରଣ ସୃଷ୍ଟି ହୋଇଥିଲା । କାଉଡ଼ିଆମାନଙ୍କୁ ଉତ୍ସାହିତ କରିବା ପାଇଁ ଗାଡ଼ିରେ ଡାକବାଜିଯନ୍ତ୍ର ଦ୍ୱାରା ବୋଲବମ ଗୀତ ବାଜୁଥିବାବେଳେ କାନ୍ଧରେ ପାଣିଭାର ଧରି ଶ୍ରଦ୍ଧାଳୁଙ୍କ ପାଦ ଆଗେଇ ଚାଲିଥିଲା ଶୈବପୀଠ ଅଭିମୁଖେ । ଏହି ଶ୍ରଦ୍ଧାଳୁଙ୍କ ମଧ୍ୟରେ ମହିଳାମାନେ ମଧ୍ୟ ଭାଗ ନେଇଥିବା ଦେଖିବାକୁ ମିଳିଛି । ଏହି କାଉଡ଼ିଯାତ୍ରୀମାନେ ବିଭିନ୍ନ ଦଳଦଳ ହୋଇ ଯାଉଥିବାବେଳେ ଗଣପୋଷାକ ସାଙ୍ଗକୁ କାନ୍ଧରେ କାଉଡ଼ି ଭାରର ଦୃଶ୍ୟ ମଧ୍ୟ ବେଶ ମନୋରମ ହୋଇଥିଲା । ଏଥିପାଇଁ ରାସ୍ତାର ବିଭିନ୍ନ ସ୍ଥାନରେ ଦାତବ୍ୟ ଅନୁଷ୍ଠାନମାନଙ୍କ ପକ୍ଷରୁ କାଉଡ଼ିଆମାନଙ୍କ ନିମନ୍ତେ ମାଗଣାରେ ଖାଦ୍ୟ ସହିତ ବିଶ୍ରାମ ପାଇଁ ମଧ୍ୟ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି ।

Leave a Reply

Your email address will not be published.