ଢେଙ୍କାନାଳ,(ନାଗରାଜ ନ୍ୟୁଜ): ଢେଙ୍କାନାଳର ପ୍ରସିଦ୍ଧ ଲକ୍ଷ୍ମୀପୂଜା ଅବସରରେ ଲକ୍ଷ୍ମୀ ବଜାର ପାଳନ କରୁଥିବା ହୀରକ ଜୟନ୍ତୀ ଉତ୍ସବରେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଛନ୍ତି ମହାମହିମ ରାଜ୍ୟପାଳ ଗଣେଶ ଲାଲ । ଏହି ଅବସରରେ ରାଜ୍ୟପାଳ ମା’ଲକ୍ଷ୍ମୀଙ୍କ ନିକଟରେ ଆଳତି କରିବା ସହ ଜିଲ୍ଲାବାସୀଙ୍କ ମଙ୍ଗଳ କାମନା କରିଥିଲେ । ଏହି ଅବସରରେ ରାଜ୍ୟପାଳ ହୀରକ ଜୟନ୍ତୀ ପତ୍ରିକା ‘ପଦ୍ମାଳୟା’କୁ ଉନ୍ମୋଚନ କରିଥିଲେ । କମିଟିର ସଭାପତି ଜଗଦିଶ ପ୍ରସାଦ ଅଗ୍ରଫ୍ୱାଲ ଏବଂ ସମ୍ପାଦକ ସତ୍ୟସ୍ୱରୁପ ଦାସ ୭୫ ବର୍ଷ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । କାର୍ଯ୍ୟକ୍ରମକୁ ରତନ ନାୟାର ପରିଚାଳନା କରିଥିବା ବେଳେ ସଭ୍ୟ ପଦ୍ମଭୂଷଣ ସାହୁ ଧନ୍ୟବାଦ ଦେଇଥିଲେ । ରାଜ୍ୟପାଳଙ୍କୁ ସର୍କିଟ ହାଉସଠାରେ ଗାର୍ଡ ଅଫ ଅନର ଦିଆଯାଇଥିଲା । ଜିଲ୍ଲାପାଳ ସରୋଜ କୁମାର ସେଠୀ ଏବଂ ଏସପି ଲୋଗାନୟାଗୀ ଦିବ୍ୟା ଭି ସ୍ୱାଗତ କରିଥିଲେ । ଏହାପରେ ରାଜ୍ୟପାଳ ଢେଙ୍କାନାଳ ନଟରାଜ ସଙ୍ଗୀତ ମହାବିଦ୍ୟାଳୟ ପକ୍ଷରୁ ସ୍ଥାନୀୟ ମିନି ଷ୍ଟାଡିୟମ ଗଜଲକ୍ଷ୍ମୀ କଳାମଣ୍ଡପରେ ଚାଲିଥିବା ୩୭ତମ ନଟରାଜ କୁମାରୋତ୍ସବର ସୋମବାର ଦ୍ୱିତୀୟ ସନ୍ଧ୍ୟାକୁ ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ପ୍ରଦୀପ ପ୍ରଜ୍ୱଳନ କରି ଉଦଘାଟନ କରିଥିଲେ ।
ଢେଙ୍କାନାଳରୁ ସୌମ୍ୟ ରଞ୍ଜନ ମହାନ୍ତିଙ୍କ ରିପୋର୍ଟ