ବାଲେଶ୍ୱର, (ନାଗରାଜ ନ୍ୟୁଜ): ଦିନକୁ ଦିନ ଖଇରା ବ୍ଲକରେ ଶିକ୍ଷା ବ୍ୟବସ୍ଥା ବିପନ୍ନ ହେବାରେ ଲାଗିଛି । ବ୍ଲକରେ ଥିବା ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟରେ ବିଇଓ ପୋଷ୍ଟ ଦୀର୍ଘ ୬ ମାସ ଧରି ପଡିଛି ଖାଲି । କାମଚଳା ବିଇଓଙ୍କୁ ନେଇ ଚାଲୁଛି ଅଫିସ୍ । ବାଲେଶ୍ୱର ସହକାରୀ ଜିଲ୍ଲା ଶିକ୍ଷାଧିକାରୀ ପବିତ୍ର ମୋହନ ବାରିକ ଅଛନ୍ତି ଦାୟିତ୍ୱରେ, କିନ୍ତୁ ସେ ଜିଲ୍ଲା ଅଫିସ୍ କାର୍ଯ୍ୟର ଆଳ ଦେଖାଇ ମାସରେ ଥରେ ହେଲେ ବି ଆସୁନାହାନ୍ତି । ଯାହା ଫଳରେ ବିଭିନ୍ନ ସମସ୍ୟା ନେଇ ଅଫିସ୍ ଚାଲୁଥିବାରୁ ଶିକ୍ଷକ, ଶିକ୍ଷୟିତ୍ରୀ ଓ ଅଭିଭାବକ ମାନେ ଅଫିସ୍ ଆସି ଫେରୁଛନ୍ତି । ନିକଟରେ ସମ୍ପେଇ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କ ମନମୁଖୀ କାର୍ଯ୍ୟ ହେତୁ ପିଲାମାନେ ମଧ୍ୟାହ୍ନ ଭୋଜନ ଚାଉଳ ଟଙ୍କା ପାଇବାରୁ ବଞ୍ଚିତ ହେଉଥିଲେ ।
ଏନେଇ ସେପ୍ଟେମ୍ବର ୯ ତାରିଖରେ ଅଭିଭାବକମାନେ ସ୍କୁଲକୁ ଆସି ପ୍ରଧାନ ଶିକ୍ଷକଙ୍କୁ ପଚାରିଥିଲେ । ହେଲେ ତାଙ୍କଠାରୁ କୌଣସି ସନ୍ତୋଷ ଜନକ ଉତ୍ତର ନ ମିଳିବାରୁ ବିଇଓ ଶ୍ରୀ ବାରିକଙ୍କୁ ଯୋଗାଯୋଗ କରିଥିଲେ । ଉତ୍ତରରେ ସେ କହିଥିଲେଯେ, ସେପ୍ଟେମ୍ବର ୧୨ ତାରିଖରେ ଆସି ସମସ୍ୟାର ସମାଧାନ କରିବେ । ମାତ୍ର ସେଦିନ ବିଇଓ ଶ୍ରୀ ବାରିକ ନ ଆସିବାରୁ ଅଭିଭାବକମାନେ ରାଗିଯାଇ ବିଦ୍ୟାଳୟର ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀ ମାନଙ୍କୁ ତାଲା ପକାଇ ଅଟକ ରଖିଥିଲେ । ଖବରପାଇ ଖଇରା ପୋଲିସ ଓ ଏବିଇଓ ଶ୍ରୀଧର ବେହେରା ଘଟଣା ସ୍ଥଳରେ ପହଞ୍ଚି ବୁଝାସୁଝା କରିଥିଲେ ।
ସେଦିନ ମଧ୍ୟ ବିଇଓଙ୍କୁ ଯୋଗାଯୋଗ କରାଯାଇଥିଲା ହେଲେ ସେ ଅଫିସ୍ କାର୍ଯ୍ୟରେ ଭୁବନେଶ୍ୱର ଯାଉଥିବା ସଫେଇ ଦେଇଥିଲେ । ପୁଣି ସେପ୍ଟେମ୍ବର ୧୫ ତାରିଖରେ ଅଫିସ୍ ଯାଇ ତଦନ୍ତ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । କିନ୍ତୁ ଆସିଲେ ନାହିଁ । ଯାହାଫଳରେ ସ୍କୁଲର ସମସ୍ୟା ସମାଧାନ ହେବା ପରିବର୍ତ୍ତେ ବଢି ବଢି ଚାଲିଛି ବୋଲି ଅଭିଭାବକ, ଏସଏମସି ଓ ଗ୍ରାମବାସୀ ପ୍ରକାଶ କରିଛନ୍ତି । ଉଚ୍ଚ ପଦବୀରେ ଥାଇ ବିଇଓଙ୍କ ଭଣ୍ଡାମୀକୁ ଖଇରା ଅଞ୍ଚଳର ବୁଦ୍ଧିଜୀବୀ ମହଲ ନିନ୍ଦା କରିଛି ।
ସେହିପରି ବିଇଓଙ୍କ କାର୍ଯ୍ୟାଳୟରେ ୩ଜଣ ପରିବର୍ତ୍ତେ ଜଣେ ମାତ୍ର ଏବିଇଓ ଅଛନ୍ତି । ଯେଉଁଥିପାଇଁ କାର୍ଯ୍ୟାଳୟର ସମସ୍ତ ପ୍ରକାର କାର୍ଯ୍ୟ ବାଧାପ୍ରାପ୍ତ ହେଉଥିବା ନେଇ ଶିକ୍ଷକ ମହଲରେ ଚର୍ଚ୍ଚା ହେଉଛି । ଏସବୁ ସମସ୍ୟାର ସମାଧାନ ଦିଗରେ ଜିଲ୍ଲା କର୍ତ୍ତୃପକ୍ଷ ତୁରନ୍ତ ପଦକ୍ଷେପ ନେବାକୁ ସ୍ଥାନୀୟ ବୁଦ୍ଧିଜୀବୀ ମହଲ ଦାବି କରୁଥିବା ଗଣମାଧ୍ୟମ ଆଗରେ ପ୍ରକାଶ କରିଛି ।