ଆରମ୍ଭ ହୋଇଛି ଶ୍ରାବଣ ମାସ

କଟକ,(ନାଗରାଜ ନ୍ୟୁଜ): ଆରମ୍ଭ ହୋଇଛି ଶ୍ରାବଣ ମାସ । ଏହି ମାସର ସୋମବାରରେ ଦେବଦେବ ମହାଦେବଙ୍କ ମସ୍ତକରେ ଜଳଲାଗି କରିଥାନ୍ତି କାଉଡ଼ିଆ ଭକ୍ତ । ତେବେ କୋଭିଡ କଟକଣା ଯୋଗୁଁ ଗତ ଦୁଇବର୍ଷ ଧରି ଶ୍ରାବଣ ମାସରେ ବୋଲବମ ଯାତ୍ରା ବନ୍ଦ ରହିଥିଲା । ହେଲେ ଏଥର କଟକଣା ନଥିବାରୁ ଉତ୍ସାହିତ କାଉଡ଼ିଆ । ପୂର୍ବ ବର୍ଷ ଗୁଡ଼ିକ ଭଳି ଏଥର କଟକର ଐତିହାସିକ ଗଡଗଡ଼ିଆ ଘାଟରୁ ଜଳ ନେଇ ରାଜ୍ୟର ବିଭିନ୍ନ ଶୈବାଳୟକୁ ଯାତ୍ରା ଆରମ୍ଭ କରିଛନ୍ତି କାଉଡିଆ ।ବୋଲ ବମ୍.. ହରହର ବମ ଧ୍ବନିରେ ପ୍ରକମ୍ପିତ ହୋଉଛି ବିଭିନ୍ନ ଶୈବ ପୀଠ । ଦିର୍ଘ ଦୁଇ ବର୍ଷର ବ୍ୟବଧାନ ପରେ ମଧ୍ୟ ଏହି ଧ୍ବନିରେ ପ୍ରକମ୍ପିତ ହେଉଛନ୍ତି କଟକର ଐତିହାସିକ ଗଡ଼ଗଡ଼ିଆ ଘାଟ । ଶ୍ରାବଣ ମାସ ସୋମବାରରେ ଶିବଙ୍କ ମସ୍ତକରେ ଜଳଲାଗି କରିବା ପାଇଁ ଗଡଗଡ଼ିଆ ଘାଟରେ ଜମିଛି ବୋଲବମ ଭକ୍ତଙ୍କ ଭିଡ଼ । କାନ୍ଧରେ ବାହୁଙ୍ଗି ଓ ବାହୁଙ୍ଗିରେ କଳସ ଧାରଣ କରି ରାଜ୍ୟର ବିଭିନ୍ନ ଶୈବପୀଠ ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି କାଉଡିଆ । ଖାଲି ପାଦରେ ପାଣି ଭାର ଧରି ଆଗକୁ ଆଗକୁ ମାଡି ଚାଲିଛନ୍ତି କାଉଡ଼ିଆ । ବିଶ୍ବାସ ରହିଛି ଏହି ମାସରେ ଭକ୍ତି ମନରେ ପ୍ରଭୁଙ୍କ ନାମ ଜପି ଜପି ଦେବ ଦେବ ମହାଦେବଙ୍କ ପାଖରେ ଜଳଲାଗି କଲେ ମନସ୍କାମନା ପୂରଣ ହୋଇଥାଏ ।ଲିଙ୍ଗରାଜ, ଲୋକନାଥ, ଆରଡି ଭଳି ଶୈବପୀଠରେ ଜଳ ଲାଗି କରିବା ପାଇଁ ଆଜିଠାରୁ ଗଡଗଡ଼ିଆରେ କାଉଡ଼ିଆଙ୍କ ଧାଡି ଲାଗିଛି ।

ଘାଟରେ ପହଞ୍ଚିବା ପରେ କାଉଡ଼ିଆ ମାନେ ପ୍ରଥମେ ନଦୀରେ ବୁଡ଼ ପକାଇଥାନ୍ତି । ପରେ ନଦୀରୁ ମାଟି ଆଣି ନଦୀ ତୁଠରେ ଶିବ ଲିଙ୍ଗ ନିର୍ମାଣ କରି ପୂଜାରର୍ଚ୍ଚନା କରିଥାନ୍ତି । ଏହାପରେ ନଦୀ ଭିତରକୁ କଳସୀ ନେଇ ୭ ଥର ବୁଡ଼ ପକାଇ ପଛକୁ ୬ ଥର ପାଣି ଢାଳି ନଦୀରୁ ପାଣି ଆଣି ଥାଆନ୍ତି । ତେବେ ବିଭିନ୍ନ ଶୈବପୀଠକୁ ଯିବା ପୂର୍ବରୁ ପ୍ରସ୍ତୁତ କରିଥିବା ଲିଙ୍ଗ ଚାରିପଟେ ୭ ଥର ବୁଲିଥାଆନ୍ତି କାଉଡ଼ିଆ । ପରେ ବିଭିନ୍ନ ଶୈବପୀଠକୁ ଯାତ୍ରା କରାଯାଇଥାଏ ।କଟକର ଐତିହାସିକ ଗଡଗଡ଼ିଆ ଘାଟରୁ ଜଳ ଲଗି କରିବା ଭାର ନେଇ ଶ୍ରାବଣ ସୋମବାର ଦିନ ଶିବ ମନ୍ଦିରରେ ଜଳଲାଗି କରିବାର ପରମ୍ପରା ରହିଆସିଛି । ଏଥିପାଇଁ ଶ୍ରାବଣ ମାସରେ ଗଡଗଡ଼ିଆ ଘାଟକୁ ପ୍ରତିବର୍ଷ ରାଜ୍ୟର ବିଭିନ୍ନ ସ୍ଥାନରୁ ଶିବ ଭକ୍ତ ମାନଙ୍କର ସୁଅ ଛୁଟିଥାଏ । ବିଶେଷ କରି ଗୁରୁବାର ଠାରୁ ଆରମ୍ଭ କରି ରବିବାର ପର୍ଯ୍ୟନ୍ତ ଗଡଗଡ଼ିଆ ଘାଟରେ ବୋଲବମ ଭକ୍ତଙ୍କ ଭିଡ଼ ଦେଖିବାକୁ ମିଳିଥାଏ । ତେବେ କୋଭିଡ କଟକଣା ହଟିବା ପରେ ଦୁଇ ବର୍ଷର ବ୍ୟବଧାନରେ ସେମାନଙ୍କୁ ପୁଣି ଏହି ଜଳଳାଗି କରିବାର ସୁଯୋଗ ମିଳିଥିବାରୁ ଖୁସି ପ୍ରକାଶ କରିଛନ୍ତି କାଉଡିଆ ।

Leave a Reply

Your email address will not be published.