ରିପୋଏଜେଣ୍ଟ କହି ଲୁଟ୍ ଉଦ୍ୟମ, ୪ ଅଟକ, ୨କାର ଜବତ

ରାଜଗାଙ୍ଗପୁର: ସୁନ୍ଦରଗଡ଼ ଜିଲ୍ଲାର ରାଜଗାଙ୍ଗପୁର ସହରରେ ଚୋରି, ଡକାୟତି, ଛିନ୍ନତାଇ ଓ ରାହାଜାନୀ ଦିନକୁ ଦିନ ବଢିବାରେ ଲାଗିଛି । ହେଲେ ଆଜି ଭିନ୍ନ ଧରଣର ଲୁଟ୍ ଉଦ୍ୟମ ହୋଇଥିଲା । ଟ୍ରକ ମାଲିକଙ୍କ ଉପସ୍ଥିତି ବୁଦ୍ଧିଯୋଗୁ ୪ ଅଭିଯୁକ୍ତ ଧରାହେବା ସହିତ ୨କାର ମଧ୍ୟ ଜବତ ହୋଇଛି । ଆଜି ଏକ ୧୨ ଚକିଆ ଟ୍ରକ ଯାହାର ମାଲିକ ଏମ୍ ଡି ତସଲିମ୍ ସେହି ଟ୍ରକଟି କୋଇଡାରୁ ସୁନ୍ଦରଗଡ଼ ପଟକୁ ଯାଉଥିବାବେଳେ ରାଜଗାଙ୍ଗପୁର ରାଣୀ ବନ୍ଦ ଜଲାନ୍ ପେଟ୍ରୋଲ ପମ୍ପ ନିକଟରେ ଦୁଇଟି କାରରେ ୧୫/୧୬ଜଣ ଯୁବକ ଆସି ନିଜକୁ ରିପୋଏଜେଣ୍ଟ ପରିଚୟ ଦେଇ ଟ୍ରକ ଡ୍ରାଇଭରକୁ ଟ୍ରକର କିସ୍ତି ବାକି ଅଛି କହି‌ ୧୨୫୦୦ ଟଙ୍କା ମାଗିଥିଲେ । ଏହାସହ ଟଙ୍କା ନଦେଲେ ଗାଡ଼ି ଛଡ଼ାଇ ନେଇଯିବାକୁ ଧମକ ମଧ୍ୟ ଦେଇଥିଲେ ।

ଡ୍ରାଇଭର ଏସମ୍ପର୍କରେ ଫୋନରେ ମାଲିକକୁ ଜଣାଇବାକୁ ମାଲିକ ନିଜ ଉପସ୍ଥିତି ବୁଦ୍ଧି ଖଟାଇ ସାଙ୍ଗେ ସାଙ୍ଗେ ରାଜଗାଙ୍ଗପୁର ଟ୍ରକ ମାଲିକ ସଂଘ ଏବଂ ରାଉରକେଲା ଟ୍ରକ ମାଲିକ ସଂଘ ଏବାବଦରେ ଜଣାଇ ଘଟଣାସ୍ଥଳରେ ପହଞ୍ଚିଥିଲେ । ସେପଟେ ଖବରପାଇ ରାଉରକେଲା ଏବଂ ରାଜଗାଙ୍ଗପୁର ଉଭୟ ସଂଘର କର୍ମକର୍ତ୍ତାମାନେ ପହଞ୍ଚି ସେମାନଙ୍କୁ ରିପୋଏଜେଣ୍ଟର ପରିଚୟପତ୍ର ମାଗିଥିଲେ, ହେଲେ ସେମାନେ ପରିଚୟପତ୍ର ଦେଖାଇନପାରି ଲୋକ ଗହଳି ଦେଖି ସେଠାରୁ କାରଛାଡି ଫେରାର ହେବାକୁ ଚେଷ୍ଟା କରୁଥିବାବେଳେ ୪ଜଣକୁ କାବୁ କରି ପୋଲିସକୁ ଖବର ଦେଇଥିଲେ । ପରେ ଖବରପାଇ ରାଜଗାଙ୍ଗପୁର ପୋଲିସ ଘଟଣାସ୍ଥଳରେ ପହଂଚି ୪ଜଣକୁ ଥାନାରେ ଅଟକ ରଖି ପଚରାଉଚରା କରିବା ସହିତ ଘଟଣାର ଅଧିକ ତଦନ୍ତ ଜାରି ରଖିଛନ୍ତି । ୨ଟି କାରକୁ ମଧ୍ୟ ଜବତ କରିଥିବା ଜଣାପଡ଼ିଛି ।

Leave a Reply

Your email address will not be published.