କଟକ, (ନାଗରାଜ ନ୍ୟୁଜ ): ଉତ୍କଳ ଗଣକବି ବୈଷ୍ଣବ ପାଣି ସ୍ମୁତି ସଂସଦ ଅନୁକୁଲ୍ୟରେ ଆୟୋଜିତ ରାଜ୍ୟସ୍ତରୀୟ ପାଣି ଜୟନ୍ତୀ ସମାରୋହ ମଙ୍ଗଳବାର ସନ୍ଧ୍ୟାରେ ମାହାଙ୍ଗା ବ୍ଲକ ମଣିଯୋରୀ ଶହୀଦ ଭବନ ପ୍ରାଙ୍ଗଣରେ ଉଦଯାପିତ ହୋଇଯାଇଛି । ପ୍ରାକ୍ତନ ମନ୍ତ୍ରୀ ମତୁଲୁବ ଅଲ୍ଲୀଙ୍କ ଦ୍ୱାରା ପ୍ରତିଷ୍ଠିତ ଏହି ସାରସ୍ୱତ ସଂଗଠନ ପକ୍ଷରୁ ଆୟୋଜିତ ଜୟନ୍ତୀ ସଭାକୁ ମନ୍ତ୍ରୀ ପ୍ରତାପ ଜେନା ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ଏହି ଅବସରରେ ମନ୍ତ୍ରୀ କହିଛନ୍ତିଯେ, ସୃଜନର ପବିତ୍ର ଭୂମି ମାହାଙ୍ଗାର ବରପୁତ୍ର ବୈଷ୍ଣବ ପାଣିଙ୍କ ପ୍ରତିଟି ନାଟକ ଓଡ଼ିଆ ବାଣୀ ଭଣ୍ଡାର ପାଇଁ କାଳଜୟୀ କୃତୀ ।
ଗଣକବିଙ୍କ ସାହିତ୍ୟର ଛତ୍ରେ ଛତ୍ରେ ମାନବିକତାର ଜୟଗାନ ପ୍ରତିଫଳିତ ହୋଇଥିବାରୁ, ଯୁବ ପୀଢ଼ି ଏହି ପ୍ରଥିତଯଶା କବିଙ୍କ ଭାବଧାରରେ ଅନୁପ୍ରାଣିତ ହେବାକୁ ଆହ୍ୱାନ ଦେଇଥିଲେ । ଉତ୍ସବରେ ମୁଖ୍ୟ ଅତିଥିଭାବେ ସାହିତ୍ୟିକ ଡକ୍ଟର ହୁସେନ ରବି ଗାନ୍ଧୀ, ଓଡ଼ିଆ ଭାଷା ଉପଦେଷ୍ଟା ପରିଷଦ ଆବାହକ ଡକ୍ଟର ବିଜୟାନନ୍ଦ ସିଂହ, ସାହିତ୍ୟିକ ଡକ୍ଟର ଅଶୋକ କୁମାର ରାଉତ ଓ ବ୍ଲକ ଚେୟାରମ୍ୟାନ ଶରତ ନାୟକ ପ୍ରମୁଖ ଯୋଗ ଦେଇ ଗଣକବିଙ୍କ ସହିତ ଗଣ ହୃଦୟକୁ ଛୁଇଁ ପାରିଛି ବୋଲି କହିଥିଲେ । ଶିକ୍ଷାବିତ ଉମେଶ ଚନ୍ଦ୍ର ସାହୁ ସଭା ପରିଚାଳନା କରିଥିଲେ । ସୁକାନ୍ତ ନନ୍ଦ ସ୍ୱାଗତ ଭାଷଣ ପ୍ରଦାନ କରିଥିବାବେଳେ ଆଡ଼ଭୋକେଟ ଦୀପକ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ । ଅନୁଷ୍ଠାନର ସାଧାରଣ ସମ୍ପାଦକ କ୍ଷୀରୋଦ ସାହୁ ଓ ଆଗାମୀ ଶତାବ୍ଦୀର ସଂପାଦକ ମାସୁଦ ଅଲ୍ଲୀ ପ୍ରମୁଖ ଉତ୍ସବ ପରିଚାଳନା କରିଥିଲେ ।