ରାଜଗାଙ୍ଗପୁର, (ଦଶରଥ ପୋଡ଼): ସୁନ୍ଦରଗଡ଼ ପରିବହନ ବିଭାଗର ଅଜବନୀତି । ୫ହଜାର ଲାଞ୍ଚ ନଦେବାରୁ ଜଣେ ପିକ୍ଅପ ଡ୍ରାଇଭର ଠାରୁ ୨୮ହଜାର ୨୫୦ଟଙ୍କାର ଫାଇନ କାଟିବା ଘଟଣା ସମସ୍ତିଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି । ଏମିତି ଏକ ଘଟଣା ଘଟିଛି ରାଜଗାଙ୍ଗପୁର ଲିପଲୋଇ ବାଇପାସ୍ ରାସ୍ତାରେ । ଆଜି ବଲରାମ ଯାଦବ ନାମକ ଜଣେ ଡ୍ରାଇଭର ପିକ୍ଅପ ଭ୍ୟାନରେ ରାଜଗାଙ୍ଗପୁର ଠାରୁ ଟମାଟୋ ବୋଝେଇ କରି କୁତ୍ରା ସାପ୍ତାହିକ ବଜାରକୁ ଯାଉଥିବାବେଳେ ରାଜଗାଙ୍ଗପୁର ଲିପଲୋଇ ବାଇପାସ୍ ରାସ୍ତାରେ ସୁନ୍ଦରଗଡ଼ ପରିବହନ ବିଭାଗର କର୍ମଚାରୀ ମାନେ ପିକ୍ଅପ ଗାଡ଼ିକୁ ଅଟକାଇ ୫ହଜାର ଟଙ୍କା ମାଗିଥିଲେ ।
ଡ୍ରାଇଭର ଟଙ୍କା ଦେବାକୁ ଅସମର୍ଥ ଥିବାରୁ ୨ହଜାର ଟଙ୍କା ଦିଅ ଏବଂ ଶିଘ୍ର ଏଠୁ ଚାଲିଯାଅ ବୋଲି କର୍ମଚାରୀ ମାନେ କହିଥିଲେ । ହେଲେ ମୋ ପାଖରେ ଟଙ୍କା ଟିଏ ମଧ୍ୟ ନାହିଁ ମୁଁ ମାଲିକଙ୍କୁ ଫୋନ୍ କରି ଡାକୁଛି ତାଙ୍କ ସହିତ କଥାହେବେ ବୋଲି ଡ୍ରାଇଭର ଜଣଙ୍କ ଫୋନ୍ କରିବାରୁ ପରିବହନ ବିଭାଗର କର୍ମଚାରୀ ମାନେ ମୋବାଇଲ ଫୋନକୁ ଛଡ଼ାଇ ନେଇଯିବା ସହିତ ଆଖିବୁଜା ୨୮ହଜାର ୨୫୦ଟଙ୍କାର ଫାଇନ କାଟିଥିଲେ । ଡ୍ରାଇଭର ଜଣଙ୍କ ନିଜ ଡିଏଲ୍ ଦେଖାଇବା ସହିତ ନେହୁରା ହୋଇଥିଲେ ମଧ୍ୟ କର୍ମଚାରୀ ମାନେ ଶୁଣିନଥିଲେ । ସରକାର କରୋନା ସମୟରେ ଜୀବନ ଜୀବିକାକୁ ଅଗ୍ରାଧିକାର ଦେଉଥିବା ବେଳେ ସୁନ୍ଦରଗଡ଼ ପରିବହନ ବିଭାଗର ଏଭଳି ଘଟଣା ସରକାରଙ୍କ ନୀତି ଆଦର୍ଶ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି। ଏସମ୍ପର୍କରେ ସୁନ୍ଦରଗଡ଼ ପରିବହନ ବିଭାଗର କୋୖଣସି ପ୍ରତିକ୍ରିୟା ମିଳିପାରିନାହିଁ।