ଜିଲ୍ଲା ପରିଷଦ ତୃତୀୟ ବୈଠକ ଅନୁଷ୍ଠିତ

ପୁରୀ,(ନାଗରାଜ ନ୍ୟୁଜ): ଜିଲ୍ଲା ପରିଷଦ ତୃତୀୟ ବୈଠକ ସ୍ଥାନୀୟ ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଛି । ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ସ୍ବପ୍ନାରାଣୀ ସ୍ବାଇଁ ଏଥିରେ ଅଧ୍ୟକ୍ଷତା କରିଥିଲେ । ଖରାଦିନେ ପାନୀୟ ଜଳ ସମସ୍ୟା ସମ୍ପର୍କରେ ବିଶଦ ଭାବରେ ଆଲୋଚନା କାରାଯାଇଥିଲା । ପାଇପ ମାଧ୍ୟମରେ ଜଳ ଯୋଗାଣ ପ୍ରକଳ୍ପରେ ଥିବା ସଂପୃକ୍ତ ଅଞ୍ଚଳକୁ ସାମିଲ କରିବା ଏବଂ ଜଳକ୍ଳିଷ୍ଟ ଅଞ୍ଚଳରେ ଟ୍ୟାଙ୍କର ଦ୍ବାରା ଜଳ ଯୋଗାଣ ଓ ଆବଶ୍ୟକସ୍ଥଳେ ଜଳଛତ୍ର ବ୍ୟବସ୍ଥା କରିବାକୁ ଜିଲ୍ଲାପାଳ ଶ୍ରୀ ସମର୍ଥ ବର୍ମା ଅଧିକାରୀ ମାନଙ୍କୁ ପରାମର୍ଶ ଦେଇଥିଲେ । ଆସନ୍ତା ବର୍ଷାଋତୁ ପୂର୍ବରୁ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନା ଅଧିନରେ ବାକିଥିବା ରାସ୍ତା କାର୍ଯ୍ୟ ଶେଷ କରିବାକୁ ପୁରୀ ଓ ନିମାପଡା ଡିଭିଜନର ନିର୍ବାହୀ ଯନ୍ତ୍ରୀ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ସେହିଭଳି ଜିଲ୍ଲାରେ ଥିବା ୨୫୯୯ ଅଙ୍ଗନୱାଡି କେନ୍ଦ୍ର ମଧ୍ୟରୁ ୧୧୫୩ଟିର ନିଜସ୍ବ ଗୃହ ରହିଛି । ଅନ୍ୟ ଅଙ୍ଗନୱାଡି କେନ୍ଦ୍ର ନିମନ୍ତେ ଜମି ଚିହ୍ନଟ ପ୍ରକ୍ରିୟା ଶେଷ କରିବାକୁ ତହସିଲଦାର ମାନଙ୍କୁ ପରାମର୍ଶ ଦିଆଯାଇଛି । ୫-ଟି ମାଧ୍ୟମରେ ସ୍କୁଲ ରୂପାନ୍ତରଣ କାର୍ଯ୍ୟ ତ୍ବରାନ୍ବିତ, ରାସନ କାର୍ଡଧାରୀଙ୍କୁ ଗହମ ଯୋଗାଣ, ପାନୀୟ ଜଳ ଆଦି ପ୍ରସଙ୍ଗ ଉପରେ ବୈଠକରେ ଆଲୋଚନା ହୋଇଥିଲା । ଗତମାର୍ଚ୍ଚ ମାସ ସୁଦ୍ଧା ମହାତ୍ମାଗାନ୍ଧୀ ନିଶ୍ଚିତ କର୍ମନିଯୁକ୍ତି ଯୋଜନାରେ ପ୍ରାୟ ୯୦ କୋଟି ଟଙ୍କା ଖର୍ଚ୍ଚ କରାଯାଇଥିବା ବେଳେ ୨୫ ଲକ୍ଷ ୫୩ ହଜରା ଶ୍ରମ ଦିବସ ସୃଷ୍ଟି କରାଯାଇଥିବା ନେଇ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ଜ୍ୟୋତି ଶଙ୍କର ମହାପାତ୍ର ସୂଚନା ଦେଇଥିଲେ ।

ବୈଠକରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ସମୀର ରଞ୍ଜନ ଦାଶ, ସୂଚନା ଓ ପ୍ରଯୁକ୍ତି, କ୍ରୀଡା ଓ ଯୁବ ସେବା ମନ୍ତ୍ରୀ ଶ୍ରୀ ତୁଷାରକାନ୍ତି ବେହେରା, ପୁରୀ ବିଧାୟକ ଶ୍ରୀ ଜୟନ୍ତ କୁମାର ଷଡଙ୍ଗୀ, ବ୍ରହ୍ମଗିରି ବିଧାୟକ ଶ୍ରୀ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର, ପିପିଲି ବିଧାୟକ ଶ୍ରୀ ରୁଦ୍ର ପ୍ରତାପ ମହାରଥି, ଜିଲ୍ଲାପରିଷଦ ଉପାଧ୍ୟକ୍ଷ ଶ୍ରୀ ସ୍ବାଧୀନ କୁମାର ନାୟକ, ବ୍ଲକ ଅଧ୍ୟକ୍ଷ ଅଧ୍ୟକ୍ଷା, ଜିଲ୍ଲା ପରିଷଦ ସଦସ୍ୟ ସଦସ୍ୟା, ବିଡିଓ ଓ ବିଭାଗୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply

Your email address will not be published.