ଓଡିଶାରେ ପହଞ୍ଚିଛି ଟର୍ଚ୍ଚ ରିଲେ

ପୁରୀ, (ନାଗରାଜ ନ୍ୟୁଜ): ଆଜି ଓଡିଶା ପାଇଁ ଏକ ଐତିହାସିକ ଦିନ । ପ୍ରଥମ ଥର ପାଇଁ ଭାରତରେ ଅନୁଷ୍ଠିତ ହେବାକୁ ଥିବା ୪୪ ତମ ଚେସ୍ ଓଲିମ୍ପିଆଡ ଟର୍ଚ୍ଚ ରିଲେ ଶୁକ୍ରବାର ଓଡିଶାରେ ପହଞ୍ଚିଛି । ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଅନ୍ୟ ମନ୍ତ୍ରୀମଣ୍ଡଳର ସଦସ୍ୟଙ୍କ ସମେତ ଓଡିଶାର ବରିଷ୍ଠ ଅଧିକାରୀ ଏହି ଟର୍ଚ୍ଚ ରିଲେକୁ ଲୋକସଭା ଭବନରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ସ୍ୱାଗତ କରିଛନ୍ତି । ସକାଳ ୬ଟାରେ ଭୁବନେଶ୍ୱର ବିମାନ ବନ୍ଦରରେ ଏହି ଟର୍ଚ୍ଚ ପହଞ୍ଚିବା ପରେ ଭବ୍ୟ ସ୍ୱାଗତ କରାଯାଇଥିଲା । ପରେ ଲୋକସଭା ଭବନରେ ଦିନ ୧୧ଟା ସମୟରେ ଏହି ଟର୍ଚ୍ଚ ରିଲେ ପହଞ୍ଚିଥିଲା । ଏହାପରେ ଏହି ଟର୍ଚ୍ଚ ଟି ଭୁବନେଶ୍ୱରର ବିଭିନ୍ନ ସ୍ଥାନ ବୁଲିବା ପରେ ଦିନ ୨.୩୦ରେ ପୁରୀ ବଡଡାକ୍ତରଖାନା ଛକ ଠାରେ ପହଞ୍ଚି ଥିଲା । ସେଠାରେ ଜିଲ୍ଲା କ୍ରୀଡାଧିକାରୀ ଚନ୍ଦନ କୁମାର ସାହୁ ଓ ପୁରୀ ଚେସ୍ ଆସୋସିଏସନ ସମ୍ପାଦକ ପ୍ରଦ୍ୟୁମ୍ନ ମିଶ୍ର ସ୍ୱାଗତ କରିବା ସହ ସିଂହଦ୍ୱାର ନିକଟକୁ ପାଛୋଟି ନିଆଯାଇଥିଲା । ଏଥିରେ ପୁରୀ ଜିଲ୍ଲାର ବିଭିନ୍ନ କ୍ରୀଡାବୀତ୍ ଓ କ୍ରୀଡାଶିକ୍ଷକ ଓ ଶିକ୍ଷୟତ୍ରୀମାନେ ଯୋଗ ଦେଇଥିଲେ । ସିଂହଦ୍ୱାରରେ ଏକ ସ୍ୱତନ୍ତ୍ର ମଞ୍ଚରେ ପୁରୀ ଏଡିଏମ ପ୍ରଦୀପ କୁମାର ସାହୁ, ଉପଜିଲ୍ଲାପାଳ ଭବତାରଣ ସାହୁ ଉପସ୍ଥିତ ରହି ରିଲେ ଟର୍ଚ୍ଚକୁ ଆଣିଥିବା ବ୍ୟକ୍ତିବିଶେଷକୁ ସ୍ୱାଗତ କରାଯିବା ସହ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା । ଏହା ପରେ ଏହି ରିଲେ ଟର୍ଚ୍ଚ ବ୍ଲୁ ଫ୍ଲାଗ ବିଚରେ ପହଞ୍ଚିଥିଲା ।

ସେଠାରେ କୁନି କୁନି ପିଲାଙ୍କ ସହ ଚେସ୍ ଖେଳ ପ୍ରଦର୍ଶନ କରିଥିଲେ ଅନ୍ତରାଷ୍ଟ୍ରୀୟ ଖେଳାଳି ପଦ୍ମିନୀ ରାଉତ ଓ ଅପରାଜିତା ଗୋଚ୍ଛିକାର । ସମୁଦ୍ର ବେଳା ଭୂମୀରେ ଏହି ରିଲେ ଟର୍ଚ୍ଚକୁ ଅତି ଆକର୍ଷଣୀୟ ଭାବେ ସ୍ୱାଗତ କରାଯାଇଥିବା ସୂଚନା ମିଳିଛି । ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ଶିଶୁ ମଙ୍ଗଳ ଅଧିକାରୀ ମନୋଜ ତ୍ରିପାଠୀ, ସିଦ୍ଧାର୍ଥ ରୟ,ଚନ୍ଦନ କୁମାର ସାହୁ, ପ୍ରଦ୍ୟୁମ୍ନ ମିଶ୍ର , ଓଡିଶା ଚେସ୍ ଆସୋସିଏସନ ସମ୍ପାଦକ ଦେବ ବ୍ରତ ଭଟ୍ଟ, ସୁବାସ ସାହୁ, ଅନ୍ତରାଷ୍ଟ୍ରୀୟ ଚେସ୍ ମହାସଂଘର ଯୁଗ୍ମ ସମ୍ପାଦକ ରଞ୍ଜନ ମହାନ୍ତି ତଥା ପୁରୀର ଏକାଧିକ ଚେସ୍ ଖେଳାଳି ଏହି କାର୍ଯ୍ୟକ୍ରମକୁ ଆୟୋଜନ କରିବାରେ ସହଯୋଗ କରିଥିଲେ । ଏହା ପରେ ୫ଟା୩୦ ସମୟରେ କୋଣାର୍କରେ ପହଞ୍ଚିବା ପରେ ପରେ ଭୁବନେଶ୍ୱର ଫେରିଯିବାର ସମୟ ଧାର୍ଯ୍ୟ କରାଯାଇଛି । ସୂଚନା ଥାଉକି ଏହି ଚେସ୍ ଅଲମ୍ପିଆଡ ପ୍ରଥମଥର ଭାରତ ଆୟୋଜନ କରୁଛି । ପ୍ରାୟ ୨୦୦ ଟି ଦେଶରୁ ୨ହଜାରରୁ ଊର୍ଦ୍ଧ୍ୱ ଖେଳାଳି ଏଥିôରେ ଭାଗ ନେବେ । ଏହି ଟୁର୍ଣ୍ଣାମେଣ୍ଟ ଆସନ୍ତା ୨୮ ତାରିଖରୁ ଅଗଷ୍ଟ ୧୦ ପର୍ଯ୍ୟନ୍ତ ଚେନ୍ନାଇ ଠାରେ ଖେଳାଯିବ ।

Leave a Reply

Your email address will not be published.