ଅଂଶୁଘାତରେ ମୃତ୍ୟୁବରଣ କଲେ ଟ୍ରକ ହେଲପର

ବାଲେଶ୍ବର, (ନାଗରାଜ ନ୍ୟୁଜ): ପ୍ରବଳ ଗୁଳୁଗୁଳି ଓ ଗରମରେ ରାଜ୍ୟବାସୀ ଅସ୍ତବ୍ୟସ୍ତ । ସ୍ଥାନେ ସ୍ଥାନେ ଗରମ ଓ ଗୁଳୁଗୁଳିର ପରିମାଣ ଜନସାଧାରଣଙ୍କ ମୃତ୍ୟୁର କାରଣ ପାଲଟିଛି । ଦୈନଦିନ କେଉଁଠି ନା କେଉଁଠି ଲୋକଙ୍କ ପ୍ରାଣହାନୀ ଘଟୁଥିବାର ନଜରକୁ ଆସୁଛି । ଏହି ପରିପ୍ରେକ୍ଷୀରେ ପ୍ରବଳ ଗରମ ଓ ଗୁଳୁଗୁଳି ସହ୍ଯ କରିନପାରି ବାଲେଶ୍ବର ଜିଲ୍ଲା ଖଇରା ଅଞ୍ଚଳର ଜଣେ ଯୁବକର ଗତକାଲି ଯାଜପୁର ଜିଲ୍ଲା ସୁକିନ୍ଦା ଅଞ୍ଚଳରେ ମୃତ୍ୟୁହେବା ଏ ଅଞ୍ଚଳକୁ ସ୍ତମ୍ଭିଭୂତ କରିଦେଇଛି । ଖବର ସଂଗ୍ରହରୁ ଜଣାପଡିଛି ଯେ, ଖଇରା ତହସିଲ ଖଇରା ଆର ଆଇ ଅଧିନ ଆଳଦା ଗ୍ରାମର ଦୈତାରି ବେହେରା ଜଣେ ଗରିବ ଦୀନମଜୁରିଆ ଶ୍ରେଣୀର ସାଧାରଣ ଲୋକ ଅଟେ । ପରଘରେ ମୂଲ ଲାଗି ପରିବାର ପ୍ରତିପୋଷଣ କରେ ଦୈତାରି । ତାଙ୍କର ଏକମାତ୍ର ରାଜଗାରିଆ ପୁତ୍ର ଗୌତମ ବେହେରା(୩୯) ପରିବାର ପ୍ରତିପୋଷଣ ପାଇଁ ଟ୍ରକରେ ହେଲପର କାମ କରେ । ଗତକାଲି ତା ୦୯/୬/୨୨ ରିଖ ଗୁରୁବାର ତାଳଚେରରୁ ଗାଡି ଲୋଡ୍ କରି ଫେରୁଥିବା ବେଳେ ସୁକିନ୍ଦା ନିକଟରେ ଗରମ ସହ୍ୟ କରିନପାରି ହଠାତ୍ ଅସୁସ୍ଥ ହୋଇ ପଡିଥିଲେ । ଡ୍ରାଇଭର ସଙ୍ଗେ ସଙ୍ଗେ ରାସ୍ତା କଡରେ ଗାଡି ଛିଡା କରି ସାଥିରେ ଥିବା ଅନ୍ୟ ଗାଡି ଡ୍ରାଇଭର ଓ ହେଲପର ମାନଙ୍କ ସାହାଯ୍ୟ ଲୋଡିଥିଲେ । ଏହାଦେଖି ସ୍ଥାନୀୟ ଲୋକେ ମଧ୍ୟ ଘଟଣା ସ୍ଥଳକୁ ଦୈଡି ଆସିଥିଲେ । ସ୍ଥାନୀୟ ଲୋକଙ୍କ ସହାୟତାରେ ଡ୍ରାଇଭର ଓ ହେଲପର ମିଳିମିଶି ଚିକିତ୍ସା ପାଇଁ ନିକଟସ୍ଥ ସୁକିନ୍ଦା ମେଡିକାଲକୁ ନେଇଥିଲେ । କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ମୃତ୍ୟୁର ପ୍ରକୃତ କାରଣ ଜଣାପଡି ନଥିଲେ ବି ଅଂଶୁଘାତ ଜନିତ ମୃତ୍ୟୁ ହୋଇଛି ବୋଲି ଚିକିତ୍ସା କରୁଥିବା ଡାକ୍ତର ପ୍ରକାଶ କରିଛନ୍ତି । ଶବ ବ୍ଯବଛେଦ ପରେ ଆଜି ତା ୧୦/୬/୨୨ ରିଖ ଶୁକ୍ରବାର ଅପରାହ୍ନରେ ମୃତଦେହ ଜନ୍ମମାଟି ଆଳଦା ଗ୍ରାମରେ ପହଞ୍ଚିଛି । ଶବ ବ୍ଯବଛେଦ ରିପୋର୍ଟ ଆସିଲା ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡିବ ବୋଲି ପରିବାର ଓ ସମ୍ପୃକ୍ତ ଅଞ୍ଚଳବାସୀ ଆଶା କରିଛନ୍ତି । ସ୍ବର୍ଗତ ଗୌତମ ବେହେରାଙ୍କର ବିଧବା ପତ୍ନୀ ସମେତ ୨ ଝିଅ ଓ ୧ ପୁଅ ଅଛନ୍ତି । ମୃତଦେହ ପହଞ୍ଚିବା ଖବରପାଇ ସାହିପଡିଶା, ଗ୍ରାମବାସୀ, ବନ୍ଧୁବାନ୍ଧବ, ଆତ୍ମୀୟସ୍ବଜନ ଅଞ୍ଚଳବାସୀ ବାସଭବନରେ ପହଞ୍ଚି ଶେଷ ଦର୍ଶନ କରିବା ସହିତ ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ଶାନ୍ତ୍ବନା ଦେଇଥିଲେ । ସରଳ, ନିରୀହ, ଗରିବ ପରିବାରକୁ ସରକାରୀ ସହାୟତା ଯୋଗାଇ ଦେବା ପାଇଁ ସମ୍ପୃକ୍ତ ଅଞ୍ଚଳବାସୀଙ୍କ ତରଫରୁ ଦାବି ହେଉଛି ।

ବାଲେଶ୍ବରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Leave a Reply

Your email address will not be published.