କାଳୀ ପୂଜା ଅବସରରେ ଚଳଚଞ୍ଚଳ କଟକର ବିଭିନ୍ନ ପୂଜା ମଣ୍ଡପ

କଟକ, (ନାଗରାଜ ନ୍ୟୁଜ): ରାତି ପାହିଲେ କାଳୀପୂଜା । ଏଥିପାଇଁ ଉତ୍ସବମୁଖର କଟକର ବିଭିନ୍ନ ପୂଜା ମଣ୍ଡପ। ଶେଷ ପର୍ଯ୍ୟାୟରେ ପ୍ରସ୍ତୁତି । କାରିଗରମାନେ ମା’ କାଳୀଙ୍କ ମୃଣ୍ମୟୀ ମୂର୍ତ୍ତିରେ ଶେଷ ସ୍ପର୍ଶ ଦେବା ପାଇଁ ବ୍ୟସ୍ତ । ତେବେ କଟକର ବିଦ୍ୟାଧରପୁର କାଳୀପୂଜାକୁ ନେଇ ରହିଛି ଅନନ୍ୟ ପରମ୍ପରା । ୧୬ଶହ ଖ୍ରୀଷ୍ଟାବ୍ଦରେ ଚୈତନ୍ୟ ଦେବଙ୍କ କଟକ ଆଗମନ ସମୟରେ କଲିକତାର କିଛି ବଙ୍ଗୀୟ ପରିବାର ଆସି ଏଠାରେ ବସବାସ କରିଥିଲେ । ସାଙ୍ଗରେ ଆଣିଥିବା ଖଡ୍ଗ ଓ ପିତଳ ମୂର୍ତ୍ତି ରଖି ପୂଜା ଆରମ୍ଭ କରିଥିଲେ । ପରବର୍ତ୍ତି ସମୟରେ ଗ୍ରାମବାସୀଙ୍କ ସହଯୋଗରେ ସେହିଦିନଠୁ ମା’ କାଳୀଙ୍କ ମୃଣ୍ମୟୀ ମୂର୍ତ୍ତି ତିଆରି କରି ପୂଜା କରାଯାଇ ଆସୁଅଛି । ବିଶେଷ କରି ରାଜ୍ୟର ବିଭିନ୍ନ ସ୍ଥାନରେ ଗୋଟେ ମଣ୍ଡପରେ ଗୋଟିଏ କାଳୀଙ୍କୁ ପୂଜା କରାଯାଏ । ହେଲେ ଏଠାରେ ଦୁଇ ମୂର୍ତ୍ତି ବଡକାଳୀ ଏବଂ ସାନ କାଳୀ ଭାବରେ ପୂଜା ପାଉଛନ୍ତି । ତେବେ ମୂର୍ତ୍ତିରେ ରଙ୍ଗ କାମ ପ୍ରାୟତଃ ସରିଯାଇଥିବାବେଳେ ଆଜି ରାତି ସୁଦ୍ଧା ସମ୍ପୁର୍ଣ୍ଣ କାମ ଶେଷ ହୋଇଯିବ ବୋଲି କହିଛନ୍ତି କାରିଗର । ଗତବର୍ଷ ଓ ଚଳିତ ବର୍ଷ ମଧ୍ୟ ୪ ଫୁଟ ଉଚ୍ଚତାରେ ମୂର୍ତ୍ତି ହେଉଥିବାରୁ କୋଭିଡ ଗାଇଡଲାଇନ ପାଳନ କରି ପୂଜା କରାଯିବ।

ତେବେ ପୁର୍ବାଞ୍ଚଳର ପ୍ରସିଦ୍ଧ ବିଦ୍ୟାଧରପୁରର ଏହି କାଳୀଙ୍କ ପଛରେ ରହିଛି ଅନେକ କିମ୍ବଦନ୍ତୀ । ଶହ ଶହ ବର୍ଷ ତଳେ ପୂଜା ଆରମ୍ଭ ହୋଇଛି । ସହରର ଅନ୍ୟ ମଣ୍ଡପରେ ମା’ କାଳୀ ପୂଜା ପାଇ ସେହି ଦିନରାତିରେ ବିସର୍ଜନ ହେଉଥିବା ବେଳେ ଏଠାକାର ଦୁଇ କାଳୀ ୪ ଦିନ ଷୋଡଶ ଉପଚାରରେ ପୂଜା ପାଇବା ପରେ ଚତୁର୍ଥ ଦିନ ଅପରାଚିତା ପୂଜା କରାଯାଇ ଘଟବିସର୍ଜନ ହୁଅନ୍ତି । ଏହାପରେ ଏଠାରେ ଏକ ବଡ ଧରଣର ମେଳଣ ଆୟୋଜନ କରାଯାଇଥାଏ । ଆଉ ୨୮ ଗୋଟି ସାହିର ବିଭିନ୍ନ ଦେବାଦେବୀଙ୍କ ମେଢ ସାମିଲ ହୋଇଥାନ୍ତି । ମେଳଣକୁ ଦେଖିବା ପାଇଁ ପ୍ରବଳ ଜନସମାଗମ ହୁଏ । ବିଶେଷ କରି ଅନ୍ୟ କାଳୀଙ୍କ ମେଢକୁ ଟ୍ରାକ୍ଟର ବା ଚେଚିସ ସାହାଯ୍ୟରେ ବିସର୍ଜନ ପାଇଁ ନିଆଯାଉଥିବାବେଳେ ଏହି ଦୁଇ ଭଉଣୀଙ୍କୁ ଭକ୍ତମାନେ କାନ୍ଧରେ ନେଇ ବିସର୍ଜନ କରିବାର କାହିଁ କେଉଁ କାଳରୁ ପ୍ରଥା ରହିଆସିଛି । ତେବେ ଏହି ୪ ଦିନର ପୂଜା ପରେ ନାଗଲଚତୁର୍ଥି ଦିନ ହିଁ ବିସର୍ଜନ ହେଉଥିଲା । ହେଲେ ପରବର୍ତ୍ତୀ ସମୟରେ ତାହାକୁ ପରିବର୍ତ୍ତନ କରାଯାଇ ଅଁଅଳା ନବମୀ ଅର୍ଥାତ ଦଶମୀ ଦିନ ମା’ ଙ୍କୁ ଶ୍ରଦ୍ଧାଳୁ ଭକ୍ତମାନେ କାନ୍ଧେଇ ନେଇ ଭସାଣି ଶୋଭାଯାତ୍ରାରେ ବିସର୍ଜନ କରିବାକୁ ନେଇଥାନ୍ତି । ଏହି ସମୟରେ ମାନସିକ ଧାରିମାନେ ରାସ୍ତାରେ ହଳଦୀ ପାଣି ଢ଼ାଳି ନୂଆ ଲୁଗା ରାସ୍ତାରେ ପକାଇବା ସହ ଠାକୁରାଣୀଙ୍କ ପାଖରେ ନଡ଼ିଆ ବାଡେଇ ଥାନ୍ତି । ତେବେ ବିଦ୍ୟାଧରପୁରର ଏହି ସ୍ୱତନ୍ତ୍ର ଏବଂ ନିଆରା କାଳୀପୂଜା ଅନ୍ୟ କୌଣସି ସ୍ଥାନରେ ରହି ନଥିବା ପ୍ରମାଣ ମିଳିଛି ।

Leave a Reply

Your email address will not be published.