ସରକାରୀ ଅର୍ଥ ହଡପ ନେଇ ଗ୍ରାମବାସୀଙ୍କ ସାମ୍ବାଦିକ ସମ୍ମିଳନୀ

ବାଲେଶ୍ଵର, (ନାଗରାଜ ନ୍ୟୁଜ ): ବାଲେଶ୍ୱର ଜିଲା ବସ୍ତା ବ୍ଲକ ମଥାନୀ ପଞ୍ଚାୟତ ଅନ୍ତର୍ଗତ ଧାନହଣ୍ଡା ଗ୍ରାମରେ ସରକାରୀ ଅନୁଦାନକୁ ବିଭାଗୀୟ ଜେଇ ଓ ପଞ୍ଚାୟତ କର୍ତ୍ତୃପକ୍ଷ ମିଳିମିଶି ଲୁଟି ନେଇଥିବା ଅଭିଯୋଗ ହୋଇଛି । ଏମଜିଏନଆର ଇଜିଏସ ଓ ଏଫଡିଆର ପାଣ୍ଠିରେ ଆସିଥିବା ମୋଟ ଅନୁଦାନ ରାଶି ୬ ଲକ୍ଷ ୨୦ହଜାର ଟଙ୍କାରେ କାର୍ଯ୍ୟ ନ ହୋଇ ଆତ୍ମସାତ କରାଯାଇଛି ବୋଲି ଧାନହଣ୍ଡା ଗାଁରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଗ୍ରାମବାସୀ ସୂଚନା ଦେଇଛନ୍ତି । ପ୍ରକୃତ ସତ୍ୟାସତ୍ୟ ପାଇଁ ଉଚ୍ଚସ୍ତରୀୟ ତଦନ୍ତ କରାଯାଇ ଦୋଷୀଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ଦାବି ହୋଇଛି । ପ୍ରତିବାଦରେ ଆଗାମୀ ଦିନରେ ଜୋରଦାର ଆନ୍ଦୋଳନ ହେବ ବୋଲି ଗ୍ରାମର ଡ଼. ଭାଗବତ ପ୍ରସାଦ ବେହେରା, ରତ୍ନାକର ଗିରି, ମଧୁସୂଦନ ବାରିକ, ପରମାନନ୍ଦ ବେହେରା, ବରେନ୍ଦ୍ର ଧୀନ୍ଦା, ପ୍ରତାପ ଧୀନ୍ଦା, ଗଜେନ୍ଦ୍ର ବେହେରା, ଅମରଜିତ ଗିରି, ଗୋପାଳ ବାରିକ, ବିଜୟ ବେହେରା, କୈଳାସ ଗିରି, ରଞ୍ଜନ ବେହେରା ଓ ପୂର୍ଣ୍ଣଚନ୍ଦ୍ର ଧୀନ୍ଦାଙ୍କ ସମେତ ଗ୍ରାମବାସୀ ଚେତାବନୀ ଦେଇଛନ୍ତି । ସୂଚନାରୁ ପ୍ରକାଶ ଯେ ଗତ ୨୦୨୧-୨୨ ଆର୍ଥିକ ବର୍ଷରେ ଧାନହଣ୍ଡା ହାଇସ୍କୁଲ ଠାରୁ ପଳାସ ବନ୍ଧ ପର୍ଯ୍ୟନ୍ତ ମାଟି, ମୋରମ ରାସ୍ତା ନିର୍ମାଣ ପାଇଁ ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ତରଫରୁ ୫ ଲକ୍ଷ ଟଙ୍କା ଅନୁମୋଦିତ ହୋଇଥିଲା । ମାତ୍ର ନିର୍ଦ୍ଧାରିତ ସ୍ଥାନରେ କୌଣସି କାର୍ଯ୍ୟ କରାଯାଇ ନ ଥିବା ସ୍ଥଳେ ଗତ ଜୁନ ମାସରେ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଥିବା ନେଇ ବିଭାଗ ପକ୍ଷରୁ ସୂଚନା ଫଳକ ଲାଗିଛି ।

ସେହିପରି ୨୦୨୧-୨୨ ବର୍ଷରେ ଏଫଡ଼ିଅlର ପାଣ୍ଠିରେ ଗଜେନ୍ଦ୍ର ବେହେରା ଘର ଠାରୁ ଅଙ୍ଗନବାଡି କେନ୍ଦ୍ର ପର୍ଯ୍ୟନ୍ତ ଏକ ବନ୍ୟା ପ୍ରତିବନ୍ଧକ ରାସ୍ତା କାର୍ଯ୍ୟ ପାଇଁ ୧ ଲକ୍ଷ ୨୦ ହଜାର ଟଙ୍କା ଅନୁଦାନ ଆସିଥିଲା । ଉକ୍ତ ପ୍ରୋଜେକ୍ଟ ମୁତାବକ ସେଠାରେ ମଧ୍ୟ କୌଣସି କାର୍ଯ୍ୟ ନ ହୋଇ ସୂଚନା ଫଳକ ଲଗାଯାଇଛି । ଗାଁରେ ସ୍ଥାୟୀ ରାସ୍ତା ନ ଥିବାରୁ ଦମକଳ ଗାଡି କି ଆମ୍ବୁଲାନ୍ସ ଆସିପାରୁ ନଥିବାରୁ ଲୋକେ ନାହିଁ ନ ଥିବା ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି । ଉଭୟ ପ୍ରକଳ୍ପରେ ବିଭାଗୀୟ ଜେଇ ଓ ପଞ୍ଚାୟତ କର୍ତୃପକ୍ଷଙ୍କ ସଲାସୁତୁରାରେ ମହାଦୁର୍ନୀତି ହୋଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଏ ସମ୍ପର୍କରେ ଗ୍ରାମବାସୀ ଜିଲାପାଳ, ବିଡ଼ିଓ ଓ ବିଧାୟକଙ୍କୁ ଲିଖିତ ଅଭିଯୋଗ କରିଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ । ତୁରନ୍ତ ତଦନ୍ତ ପୂର୍ବକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଗଲେ ଜୋରଦାର ଆନ୍ଦୋଳନ ହେବ ବୋଲି ଗ୍ରାମବାସୀ ଧମକ ଦେଇଛନ୍ତି । ଉଚ୍ଚସ୍ତରୀୟ ତଦନ୍ତ ହେଲେ ସରକାରୀ ଅନୁଦାନ ଅର୍ଥ ହରିଲୁଟ ସମ୍ପର୍କରେ ପର୍ଦାଫାଶ ହୋଇପାରିବ ବୋଲି ଗାଁ ଲୋକେ ଆଶାପ୍ରକଟ କରିଛନ୍ତି ।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Leave a Reply

Your email address will not be published.