ଭୁବନେଶ୍ବର: ନିଟ୍ ଓ ଜେଇଇ ପରୀକ୍ଷା ସ୍ଥଗିତ ରଖିବାକୁ ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ପ୍ରସଙ୍ଗରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଫୋନ୍ରେ କଥା ହୋଇଛନ୍ତି। କୋଭିଡ୍ ପରିସ୍ଥିତି ଓ ରାଜ୍ୟରେ ବନ୍ୟା ସ୍ଥିତିକୁ ଦୃଷ୍ଟିରେ ରଖି ନିଟ୍ ଏବଂ ଜେଇଇ ପ୍ରବେଶିକା ପରୀକ୍ଷାକୁ ସ୍ଥଗିତ ରଖିବାକୁ ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ କହିଛନ୍ତି ଯେ ଓଡ଼ିଶାର କୋଭିଡ୍ ପରିସ୍ଥିତି ଓ ଅନେକ ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିବା ହେତୁ ନିଟ୍ ଏବଂ ଜେଇଇ ପ୍ରବେଶିକା ପରୀକ୍ଷାକୁ ସ୍ଥଗିତ ରଖାଯାଉ । ପରୀକ୍ଷାକୁ ସ୍ଥଗିତ ନ କରିବା ଦ୍ବାରା ଛାତ୍ରଛାତ୍ରୀମାନେ ପରୀକ୍ଷା ଦେବାରେ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି। ପୂର୍ବରୁ ଏନେଇ କେନ୍ଦ୍ର ଶିକ୍ଷା ମନ୍ତ୍ରୀଙ୍କୁ ମଧ୍ୟ ମୁଖ୍ୟମନ୍ତ୍ରୀ ଚିଠି ଲେଖିଥିଲେ। କରୋନା ମହାମାରୀକୁ ଦୃଷ୍ଟିରେ ରଖି ସେପ୍ଟେମ୍ବର ମାସରେ ଅନୁଷ୍ଠିତ ହେବାକୁ ଥିବା ଜେଇଇ (ମେନ୍) ଏବଂ ନିଟ୍ ପରୀକ୍ଷାକୁ ଘୁଞ୍ଚାଇବାକୁ ଅନୁରୋଧ କରି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଡକ୍ଟର ରମେଶ ପୋଖ୍ରିଆଲ୍ ନିଶଙ୍କଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତ ମଙ୍ଗଳବାର ଚିଠି ଲେଖିଥିଲେ। ରାଜ୍ୟର ୫୦,୦୦୦ରୁ ଅଧିକ ଛାତ୍ରଛାତ୍ରୀ ନିଟ୍ ପରୀକ୍ଷା ଦେଉଥିବା ବେଳେ ୪୦,୦୦୦ରୁ ଅଧିକ ଛାତ୍ରଛାତ୍ରୀ ଜେଇଇ (ମେନ୍) ପରୀକ୍ଷା ଦେବେ। ଏଥିଲାଗି ରାଜ୍ୟରେ ମାତ୍ର ୭ଟି ସହରରେ ପରୀକ୍ଷାକେନ୍ଦ୍ର କରାଯାଇଛି। ଫଳରେ ବହୁସଂଖ୍ୟକ ଛାତ୍ରଛାତ୍ରୀ ଏକତ୍ର ହେବେ ଓ କୋଭିଡ ସଂକ୍ରମଣ ଆଶଙ୍କା ବୃଦ୍ଧିପାଇବ ଏବଂ ମାହାମାରୀ ଦୃଷ୍ଟିରୁ ଏହା ବିପଦମୁକ୍ତ ନୁହେଁ। ତେଣୁ ପରୀକ୍ଷା ଘୁଞ୍ଚାଇବା ଜରୁରୀ ବୋଲି ସେ ଦର୍ଶାଇଥିଲେ।