ଭୁବନେଶ୍ୱର: ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚ୍ଏସ୍ଇ)ର ଯୁକ୍ତ ଦୁଇ ମୂଲ୍ୟାୟନ ଶୀଘ୍ର କରାଯିବ । ଯାହା ସୂଚନା ମିଳିଛି । ସିବିଏସ୍ଇ ଓ ଆଇସିଏସ୍ଇ ଭଳି ସମାନ ସମୟରେ ଫଳ ପ୍ରକାଶ କରିବାକୁ ପଡିବ । ସିବିଏସ୍ଇ ୧୫ ଦିନ ସମୟ ନେଇଥିବା ବେଳେ ସିଏଚ୍ଏସ୍ଇ ୧୦ ଦିନ ମଧ୍ୟରେ କେମିତି ମୂଲ୍ୟାୟନ ହେବ ତାହା ଚୂଡାନ୍ତ କରିବ । ତେଣୁ ଆଜି ପରିଷଦ କାର୍ଯ୍ୟାଳୟରେ ୧୪ଜଣିଆ ବିଶେଷଜ୍ଞ କମିଟିର ପ୍ରଥମ ବୈଠକ ଅନୁଷ୍ଠିତ ହେବ ବୋଲି ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି ।
ସୂଚନା ମୁତାବିକ, ଗତକାଲି ବୈଠକ ବସିବାର ଥିଲା । ମାତ୍ର ରବିବାର ଛୁଟିଦିନ ଓ ସଟଡାଉନ୍ ଥିବାରୁ ଅଧିକାଂଶ ସଦସ୍ୟ ରାଜି ହୋଇନଥିଲେ । ଗତକାଲି କମିଟି ଗଢ଼ା ହୋଇଥିବା ବେଳେ ଯୋଗାଯୋଗ ପାଇଁ ଗୋଟିଏ ଦିନ ସମୟ ନିଆଯାଇଛି । ସୋମବାର ପ୍ରଥମ ବୈଠକରେ ସବୁ କଥା ଚୂଡାନ୍ତ ହୋଇପାରିବ ନାହିଁ । ତେଣୁ ବାରମ୍ବାର ବୈଠକ ହେବ । ତେବେ କରୋନା ସମୟରେ ସଂକ୍ରମଣର ଭୟ ରହିଥିବାରୁ ସବୁ ସମୟରେ ପରିଷଦ କାର୍ଯ୍ୟାଳୟରେ ବୈଠକ ନ କରି କିଛି ବୈଠକ ଭର୍ଚୁଆଲ୍ ମୋଡ୍ରେ ଅନୁଷ୍ଠିତ ହେବ ବୋଲି ବରିଷ୍ଠ ଅଧିକାରୀ କହିଛନ୍ତି । ତେବେ ବୈଠକରେ ପିଲାମାନଙ୍କୁ କେମିତି ମାର୍କ ଦିଆଯିବ, ସେ ନେଇ କମିଟି ତର୍ଜମା କରିବ ।
ଉଲ୍ଲେଖଯୋଗ୍ୟ, କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଚଳିତବର୍ଷ ଯୁକ୍ତ ଦୁଇ ଦ୍ୱିତୀୟ ବର୍ଷ ପରୀକ୍ଷା ବାତିଲ କରାଯାଇଛି । ତେବେ ଯେଉଁ ପିଲାମାନେ ଯୁକ୍ତ ଦୁଇ ପ୍ରଥମ ବର୍ଷ କ୍ଲାସ୍ ପରୀକ୍ଷା ଦେଇନାହାନ୍ତି ବା କରୋନା ଲକଡାଉନ୍ ଓ ସଟ୍ଡାଉନ୍ ପାଇଁ ସେମାନଙ୍କର ପରୀକ୍ଷା ହୋଇପାରିନାହିଁ, ସେମାନଙ୍କର ଇଣ୍ଟରନାଲ ଆସେସମେଣ୍ଟ କେମିତି ହେବ । ସିବିଏସଇ ଭଳି ସିଏଚ୍ଏସ୍ଇର ଇଣ୍ଟରନାଲ୍ ଆସେସମେଣ୍ଟ୍ ବ୍ୟବସ୍ଥା ନଥିବାରୁ ଛାତ୍ରଛାତ୍ରୀଙ୍କର ଦଶମ ବେଳର ମାର୍କକୁ ଗୁରୁତ୍ୱ ଦିଆଯିବ ବୋଲି ବୁଦ୍ଧିଜୀବୀ ଯୁକ୍ତି ବାଢ଼ୁଛନ୍ତି । ହେଲେ ବିଶେଷଜ୍ଞ କମିଟି ବସିବା ପରେ ଏ ବାବଦରେ ଚୂଡାନ୍ତ ନିଷ୍ପତ୍ତି ବାହାରିବ । ଆସନ୍ତା ୧୫ ତାରିଖ ସୁଦ୍ଧା ଚୂଡାନ୍ତ ରିପୋର୍ଟ ପ୍ରସ୍ତୁତ କରିବାକୁ ବିଶେଷଜ୍ଞ କମିଟିକୁ ନିର୍ଦ୍ଦେଶ ଦିଆଯାଇଛି ।