ଆହୁରି ବର୍ଷିବ ବର୍ଷା

ଭୂବନେଶ୍ବର: ରାଜ୍ୟରେ ମୌସୁମୀ ପ୍ରଭାବ ଜାରୀ ରହିଛି । ଏନେଇ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହୋଇଥିବା ବେଳେ ଆଜି ମଧ୍ୟ କିଛି ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି । ଏନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି । ଗତ ୨୪ ଘଣ୍ଟାରେ ରାଜ୍ୟର ଅଧିକାଂଶ ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇଛି। ବିଶେଷକରି ଉତ୍ତର ଓ ଦକ୍ଷିଣ ଆଭ୍ୟନ୍ତରୀଣ ଜିଲ୍ଲା ଗୁଡ଼ିକରେ ଏବଂ ଉପକୂଳ ଓଡ଼ିଶାର ପୁରୀ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇଛି।ଆଜି ମୟୂରଭଞ୍ଜ, ସୁନ୍ଦରଗଡ, କେନ୍ଦୁଝର ଓ ବାଲେଶ୍ବର ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା । ତେଣୁ ଏସବୁ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । 

ବରଗଡ଼ ଜିଲ୍ଲା ଅମ୍ବାଭନାରେ ସର୍ବାଧିକ ୧୫୫ ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ସେହିପରି ସମ୍ବଲପୁର ନାକଟିଦେଉଳରେ ୧୪୫ ମିଲିମିଟର, ବୌଦ୍ଧ କଣ୍ଟାମାଳରେ ୧୩୮.୪ ମିଲିମିଟର, ବରଗଡ଼ ଭଟଲୀରେ ୧୩୪  ମିଲିମିଟର, ଯୁଯୁମରାରେ ୧୦୮.୨ ମି.ମି., କେନ୍ଦୁଝର ଚମ୍ପୁଆରେ ୯୯.୪ ମିଲିମିଟର, ଯୋଡ଼ା ୯୬.୪ ମି.ମି., ଲାଇକେରାରେ ୯୪.୮ ମି.ମି., ଝୁମ୍ପୁରାରେ ୯୪.୨ ମି.ମି. ଓ ଗୁରୁଣ୍ଡିଆରେ ୯୦ ମି.ମି. ବର୍ଷା ରେକର୍ଡ ହୋଇଛି। ତେବେ ଆସନ୍ତା ୨ରୁ ୩ ଦିନ ପାଇଁ ବର୍ଷା ସାମାନ୍ୟ କମ୍‌ ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ଆକଳନ କରିଛି। 

ଜୁନ୍‌ ୧ରୁ ଜୁଲାଇ ୨୨ ପର୍ଯ୍ୟନ୍ତ ଓଡ଼ିଶାରେ ୩୪୬.୩ ମିଲିମିଟର ବର୍ଷା ରେକର୍ଡ କରାଯାଇଥିଲା। ଗୁରୁବାର ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଥିଲା। ଏହାର ପ୍ରଭାବରେ ଓଡ଼ିଶାର ଅନେକ ସ୍ଥାନରେ ବର୍ଷା ସମ୍ଭାବନା ନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂଚନା ଦିଆଯାଇଥିଲା।

Leave a Reply

Your email address will not be published.