ପିପିଲି, (ନାଗରାଜ ନ୍ୟୁଜ): ଉପ- ନିର୍ବାଚନ ପାଇଁ ପିପିଲିରେ ଜମିଲାଣି ପ୍ରଚାର ପ୍ରସାର । ଦଳ ନିଜ ନିଜ ପାର୍ଥୀକୁ ଜିତାଇବା ପାଇଁ ରାଜନୈତିକ ଗୋଟି ଚଳାଇବା ଆରମ୍ଭ କରିସାରିଲାଣି । ଘରଘର ବୁଲି ପ୍ରଚାର କରୁଛନ୍ତି ପ୍ରାର୍ଥୀ । ଆସନ୍ତା ୨୮ ତାରିଖ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ପ୍ରଚାର ହୋଇପାରିବ ବୋଲି ପୂର୍ବରୁ ରାଜ୍ୟ ନିର୍ବାଚନ କମିଶନଙ୍କ ପକ୍ଷରୁ ସୂଚନା ମିଳିସାରିଥିଲା ବେଳେ ୩୦ ତାରିଖରେ ପିପିଲି ବିଧାନସଭା ନିର୍ବାଚନମଣ୍ଡଳୀରେ ଉପନିର୍ବାଚନ ହେବାକୁ ଯାଉଛି ।
ଏନେଇ ସୋମବାର ରାଜ୍ୟ ପୋଲିସ ମୁଖ୍ୟ କାର୍ଯ୍ୟାଳୟରେ ଭିଡିଓ କଫରେନ୍ସ ମାଧ୍ୟମରେ ପୋଲିସ ମହାନିର୍ଦ୍ଦେଶକ ( ଡିଜିପି ) ଅଭୟ ବରିଷ୍ଠ ପୋଲିସ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି । ନିର୍ବାଚନକୁ ଅବାଧ, ନିରପେକ୍ଷ ଏବଂ ଶାନ୍ତିଶୃଙ୍ଖଳାର ସହ ସମାପ୍ତ କରିବା ପାଇଁ ଡିଜିପି ନିର୍ଦ୍ଦେଶ ଦେଇଛନ୍ତି । ଏଥିସହ ନିର୍ବାଚନ ଆୟୋଗକୁ ନିୟମାନୁଯାୟୀ ଆଦର୍ଶ ଆଚରଣ ବିଧ ଓ କୋଭିଡ ନିୟମର କଡ଼ାକଡ଼ି ଅନୁପାଳନ ଉପରେ ମଧ୍ୟ ସେ ଗୁରୁତ୍ୱାରୋପ କରିଥିଲେ ।
ଗୋଇନ୍ଦା ନିର୍ଦ୍ଦେଶକ ଲଳିତ ଦାସ ଉପନିର୍ବାଚନ ସଂକ୍ରାନ୍ତ ବିଭିନ୍ନ ଗୋଇନ୍ଦା ତଥ୍ୟ ସମ୍ପର୍କରେ ଡିଜିପିଙ୍କ ସହ ଆଲୋଚନା କରିଥିଲେ । ଏହାବ୍ୟତୀତ ନିର୍ବାଚନ ପ୍ରଚାର ଉଦ୍ଦେଶ୍ୟରେ ନିର୍ବାଚନମଣ୍ଡଳୀକୁ ଭିଆଇପି , ଭିଭିଆଇପିଙ୍କ ଆଗମନ, ନିର୍ବାଚନ ସମ୍ପର୍କିତ ସମସ୍ତ ମାମଲାରେ ତୁରନ୍ତ ପଦକ୍ଷେପ , ସମ୍ବେଦନଶୀଳ ବୁଥ ଏବଂ ପୋଲିସ ‘ ସୁରକ୍ଷା ବ୍ୟବସ୍ଥା ନେଇ ବିସ୍ତୃତ ଭାବେ ଆଲୋଚନା କରାଯାଇଥିଲା । କଫରେନ୍ସରେ ଆଇଜି ( ଆଇନ ଓ ଶୃଙ୍ଖଳା ) ତଥା ନୋଡାଲ ଅଫିସର, କେନ୍ଦ୍ରାଞ୍ଚଳ ଆଇଜି, ପୁରୀ ଏସ୍ପି ବିଶାଲ ସିଂ ପ୍ରମୁଖ ଉପସ୍ଥିତ ଥିଲେ ।