ସାମ୍ବାଦିକ ଅବହେଳିତ, ସୁରକ୍ଷା ଆଇନ୍ ପ୍ରଣୟନ ପାଇଁ ଦାବି

ବାଲେଶ୍ବର, (ନରେନ୍ଦ୍ର ପ୍ରସାଦ ବେହେରା): ଗଣତନ୍ତ୍ରର ୪ର୍ଥ ସ୍ତମ୍ଭ କୁହାଯାଉଥିବା ସାମ୍ବାଦିକମାନେ ଆଜି ଅବହେଳିତ ।ପ୍ରତ୍ୟେକ ଦିନ ସାରା ଦେଶରେ କେଉଁଠି ନା କେଉଁଠି ସାମ୍ବାଦିକମାନେ ଆକ୍ରମଣର ଶିକାର ହେଉଥିବାର ପରିଲକ୍ଷିତ ହେଉଛି । ସେଥିପ୍ରତି ନା ଅଛି ରାଜ୍ୟ ସରକାରଙ୍କ ନଜର ନା କେନ୍ଦ୍ର ସରକାର ନା ଅଛି ସ୍ଥାନୀୟ ପ୍ରଶାସନର । ସମାଜ ସେବାରେ ନିୟୋଜିତ ହୋଇଥିବା ସାମ୍ବାଦିକଟିଏ ସକାଳ ଠାରୁ ରାତି ପର୍ଯ୍ୟନ୍ତ ପ୍ରତି ମୂହୁର୍ତ୍ତରେ ଜୀବନକୁ ଜନ ସାଧାରଣଙ୍କ ସ୍ବାର୍ଥରେ ଲଗାଇଥାଏ । ଖରା, ବର୍ଷା, ଶୀତ ଓ କାକରକୁ ଖାତିର ନକରି ନିଜ ଜୀବନକୁ ବିପନ୍ନ କରି ସମାଜରେ ଘଟିଯାଉଥିବା ଘଟଣା ଓ ଦୁର୍ଘଟଣା ଗୁଡିକୁ ଲୋକଲୋଚନକୁ ଆଣିବାରେ ସକ୍ଷମ ହୋଇଥାଏ ।

ବହୁ ଲୋକାୟିତ ଦୁର୍ନୀତି ଗୁଡିକୁ ଖୋଜି ବାହାର କରି ବୈଦ୍ଯୁତିକ କିମ୍ବା ପ୍ରିଣ୍ଟ୍ ମିଡିଆରେ ଛାପି ସମାଜକୁ ଜଣାଇ ଥାଏ । ଆଶା ଥାଏ ଏହାଦ୍ବାରା ସମାଜ ପରିବର୍ତ୍ତନ ହେବ । କିନ୍ତୁ ପରିବର୍ତ୍ତନ ପରିବର୍ତ୍ତେ ସମାଜ ଆହୁରି ନିମ୍ନଗାମୀ ହେଉଛି । ସ୍ବାଧୀନ ନିରପେକ୍ଷ ସମ୍ବାଦ ସଂଗ୍ରହ ଓ ପ୍ରେରଣ ପାଇଁ କେହି ଜଣେ କୌଣସି ସ୍ବୀକୃତି ପ୍ରାପ୍ତ ମିଡ଼ିଆ(ପ୍ରେସ୍) ସଂସ୍ଥାରୁ ପ୍ରେସ୍ କାର୍ଡ ବା ସାମ୍ବାଦିକ କାର୍ଡ ଆଣି କାର୍ଯ୍ୟ କରିଥାଏ । ବାସ୍ତବରେ ସତ୍ଯ ଓ ନିର୍ଭୀକ ଖବର ସଂଗ୍ରହ ଓ ପ୍ରେରଣ ପାଇଁ ସାମ୍ବାଦିକର ଭୂମିକା ଅତି ଗୁରୁତ୍ୱପୂର୍ଣ୍ଣ । ଏଥିପାଇଁ ଜୀବନ ମଧ୍ୟ ଚାଲିଯାଉଛି । ହେଲେ ସରକାରଙ୍କର ଏଥିପ୍ରତି ନିଦ ଭାଙ୍ଗୁନି । ତାହାର ଏକ ଜ୍ବଳନ୍ତ ଉଦାହରଣ ଦେଖିବାକୁ ମିଳିଛି ବାଲେଶ୍ବର ଜିଲ୍ଲା ଖଇରା ବ୍ଲକରେ । ଉକ୍ତ ବ୍ଲକର କାର୍ଯ୍ୟରତ ଦୈନିକ ସମାଜ ଖବରକାଗଜର ବ୍ଲକ ସାମ୍ବାଦିକ କୈଳାସ ଚନ୍ଦ୍ର ଦାସ ଗତକାଲି ଆକ୍ରମଣର ଶିକାର ହୋଇଛନ୍ତି । ଖବର ସଂଗ୍ରହ କରୁଥିବା ବେଳେ ଆଞ୍ଚଳିକ ଖଣିମାଫିଆଙ୍କ ଦ୍ବାରା ଗୁରୁତର ଆହତ ହୋଇ ଖଇରା ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିଲେ ଓ ପରେ ଥାନାରେ ଅଭିଯୋଗ କରିଥିଲେ ।

ଅଭିଯୋଗ ପାଇ ଆଇଆଇସି ଶ୍ରୀବଲ୍ଲଭ ସାହୁ ସଙ୍ଗେ ସଙ୍ଗେ ଆକ୍ରମଣକାରୀଙ୍କୁ ଧରିବାରେ ସଫଳ ହୋଇଥିଲେ । ଆଜି ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଛି । ପ୍ରକାଶ ଥାଉକି ଶାରୀଶୁଆ ପାହାଡ ନିଷିଦ୍ଧାଞ୍ଚଳ ଘୋଷଣା ହୋଇଥିବା ବେଳେ ଖଣିମାଫିଆମାନେ ଅବାଧରେ ଲୋଟ କରିଚାଲିଛନ୍ତି । ପୋଲିସ ଏଠାରେ କଡା ପଇଁନ୍ତରା ଦେବାକୁ ସାମ୍ବାଦିକ ମାନଙ୍କ ପକ୍ଷରୁ ଦାବି ହୋଇଛି । ଏଠାରେ ସାମ୍ବାଦିକ ମାନଙ୍କ ସୁରକ୍ଷା ନିତ୍ଯାନ୍ତ ଜରୁରୀ । ବାରମ୍ବାର ସାମ୍ବାଦିକ ମାନଙ୍କ ହେଉଥିବା ଆକ୍ରମଣ ପାଇଁ ବା ସୁରକ୍ଷା ନିମନ୍ତେ ସାମ୍ବାଦିକ ସୁରକ୍ଷା ଆଇନ୍ ପ୍ରଣୟନର ଯଥେଷ୍ଟ ପ୍ରୟୋଜନ ଅଛି । ତେଣୁ ଯଥାଶୀଘ୍ର ସାମ୍ବାଦିକ ସୁରକ୍ଷା ଆଇନ୍ ପ୍ରଣୟନର ବ୍ଯବସ୍ଥା କରିବା ପାଇଁ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ବାଲେଶ୍ବର ଜିଲ୍ଲା କାର୍ଯ୍ୟରତ ସାମ୍ବାଦିକ ତଥା ଗଣମାଧ୍ୟମ ପ୍ରତିନିଧି ନିବେଦନ କରିଛନ୍ତି ।

ଯଦି ସରକାର ଏ ଦିଗରେ କୌଣସି ପଦକ୍ଷେପ ନନିଅନ୍ତି ତେବେ ଆଗାମୀ ଦିନରେ ବାଲେଶ୍ବର ଜିଲ୍ଲା ସହିତ ପୂରା ଓଡ଼ିଶାର ଗଣମାଧ୍ୟମ ପ୍ରତିନିଧିମାନେ ରାଜରାସ୍ତାକୁ ଉହ୍ଲାଇବାକୁ ବାଧ୍ୟ ହେବେ ବୋଲି ଚେତାବନୀ ଦେଇଛନ୍ତି । ସାମ୍ବାଦିକ ମାନଙ୍କ ମଧ୍ୟରେ ନରେନ୍ଦ୍ର ପ୍ରସାଦ ବେହେରା, ବଳରାମ ଲେଙ୍କା, ଉତ୍କଳବନ୍ଧୁ ପଣ୍ଡା, ଅନାମ ଚରଣ ପଣ୍ଡା, ଦୟାନିଧି ମହାପାତ୍ର, ତୁଷାରକାନ୍ତ ବାରିକ,ଲୋଚନ ରାଉତ,ରାଜାରାମ ଦାସ,ତପୋଧନ ବାରିକ,ମନୋଜ ପ୍ରଧାନ, ସଞ୍ଜୟ ବେହେରା, ନିଶିକାନ୍ତ ମହାନ୍ତି, ଗୟାଧର ସାହୁ, ଉମେଶ ଜେନା ଓ ଜୀବନ ନାୟକ ପ୍ରମୁଖ ଦାବି କରିଛନ୍ତି ।

Leave a Reply

Your email address will not be published.