ଲଘୁଚାପ ପ୍ରଭାବରେ ୫ ଦିନ ପର୍ଯ୍ୟନ୍ତ ଭିଜିବ ଓଡିଶା

ଭୂବନେଶ୍ବର: ରାଜ୍ୟରେ ୫ ଦିନ ଯାଏଁ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଯେହେତୁ ରାଜ୍ୟରେ ଲଘୁଚାପ ସୃଷ୍ଟି ହୋଇଛି ଏହାର ପ୍ରଭାବରେ ନୂଆପଡା, କଳାହାଣ୍ଡି, ମାଲକାନଗିରି, କୋରାପୁଟ ଓ ନବରଙ୍ଗପୁର ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି । ଏନେଇ ପାଣିପାଗ କେନ୍ଦ୍ର ଭୁବନେଶ୍ୱର ପକ୍ଷରୁ ପୁର୍ବାନୁମାନ କରାଯାଇଛି । ଆଜି ଓ ଆସନ୍ତା କାଲି ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ଆଶଙ୍କା ଥିବାରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ପାଣିପାଗ ବିଭାଗର ଏହି ସୂଚନା ପରେ ସତର୍କ ରହିବା ପାଇଁ ସ୍ୱତନ୍ତ୍ର ରିଲିଫ କମିଶନର(ଏସଆରସି) ସମସ୍ତ ଜିଲ୍ଲାପାଳ ମାନଙ୍କୁ ନିର୍ଦ୍ଧେଶ ଦେଇଛନ୍ତି । 

ରାଜ୍ୟରେ ସାମ୍ଭାବ୍ୟ ଲଘୁଚାପ ପ୍ରଭାବରେ ବର୍ଷାର ପରିମାଣ ବଢିବା ଆଶାରେ ଚାଷିକୁଳ ଆଶା ବାନ୍ଧି ବସିଛି । ବଲାଙ୍ଗିର, ରାୟଗଡା, କନ୍ଧମାଳ, ଗଜପତି, ବୌଦ୍ଧ, ସୋନପୁର, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ଭଦ୍ରକ ଓ ବାଲେଶ୍ୱର ଆଦି ଜିଲ୍ଲାର କିଛିକିଛି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । 

ସେହିପରି ଆସନ୍ତାକାଲି ଠାରୁ କନ୍ଧମାଳ, ରାୟଗଡା, କୋରାପୁଟ ଓ‌ ନବରଙ୍ଗପୁର ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ଏବଂ ନୂଆପଡା, ବଲାଙ୍ଗିର, କନ୍ଧମାଳ, ବୌଦ୍ଧ, ସୋନପୁର, ବରଗଡ, ଝାରସୁଗୁଡା, ସମ୍ବଲପୁର, ଅନୁଗୁଳ, କେନ୍ଦୁଝର, ଯାଜପୁର, ମୟୁରଭଞ୍ଜ ଏବଂ ବାଲେଶ୍ୱରର କିଛି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।

Leave a Reply

Your email address will not be published.