ଭୂବନେଶ୍ୱର: ଓପିଏଚଡ଼ବ୍ଲ୍ୟୁସି ଡେପୁଟି ମ୍ୟାନେଜର ପ୍ରତାପ ସାମଲଙ୍କ ଘରୁ ରେଡ ସରିଛି । ପ୍ରତାପ ସାମଲଙ୍କୁ ଅଟକ ରଖି ପଚରାଉଚରା କରୁଛି ଭିଜିଲାନ୍ସ । କାଲିଠାରୁ ଭିଜିଲାନ୍ସର ଚଢ଼ାଉ ପରେ ସମ୍ପତ୍ତିର ମୂଲ୍ୟାୟନ ଚାଲିଥିଲା । ଏହାସହ ତାଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଫ୍ରିଜ କରାଯାଇଛି । ଭିଜିଲାନ୍ସ ପକ୍ଷରୁ ମିଳିଥିବା ସୂଚନା ମୁତାବକ ପ୍ରତାପ ଓ ତାଙ୍କ ପରିବାରର ବ୍ୟାଙ୍କ ଆକାଉଣ୍ଟରେ ମୋଟ ୧ କୋଟି ୬୧ ଲକ୍ଷ ୩୫ ହଜାର ୮୧୨ ଟଙ୍କା ରହିଛି । ୨୫ଟି ଜମିର ମୂଲ୍ୟ ୩ କୋଟି ୪୧ ଲକ୍ଷ ୫୮ ହଜାର ଟଙ୍କା ହୋଇଥିବାବେଳେ ଗୋଠପାଟଣାରେ ଥିବା ୫ ମହଲା ଘରର ମୂଲ୍ୟ ୩ କୋଟି ୮୯ ଲକ୍ଷ ତାଙ୍କର ବୋଲି ଜଣାପଡିଛି । ସେହିପରି ପ୍ରତାପ ସାମଲ ୫୭ ଲକ୍ଷ ଟଙ୍କାର ବୀମା ପଇଠ ହୋଇଥିବାବେଳେ ଏବେ ସମସ୍ତ ବ୍ୟାଙ୍କ ଆକାଉଣ୍ଟକୁ ଫ୍ରିଜ କରାଯାଇଛି ।
ସରକାରୀ ବାବୁଙ୍କ ଭୁବନେଶ୍ୱର, ଖୋର୍ଦ୍ଧା, ଭଦ୍ରକ ଓ ବାସୁଦେବପୁରରେ ପ୍ଲଟ ଓ କୋଠା ରହିଛି । ପ୍ରତାପ ସାମଲଙ୍କ ସମ୍ପତ୍ତି ଅଧିକ ଆକଳନ ଟେକ୍ନିକାଲ ଟିମ କରିବ । ଭୁବନେଶ୍ୱର ଗୋଠପାଟଣାରେ ଥିବା ୫ ମହଲା ଘର ପ୍ରତାପଙ୍କ ପତ୍ନୀ ସସ୍ମିତା ସାମଲଙ୍କ ନାଁରେ ରହିଛି । ୨୦ ହଜାର ୩୫୦ ସ୍କୋୟାରଫୁଟରେ ଏହି ୫ ମହଲା କୋଠା ତିଆରି ହୋଇଛି । ଭିଜିଲାନ୍ସ ଚଢାଉ ବେଳେ ଘରୁ ୩୮ ଲକ୍ଷ ଟଙ୍କା ନଗଦ ଟଙ୍କା ଜବତ ହୋଇଥିବା ବେଳେ ୨୦ ଲକ୍ଷ ଟଙ୍କାର ନଗଦ ଭର୍ତ୍ତି ବ୍ୟାଗକୁ ଫିଙ୍ଗି ଦେଇଥିଲେ ।