ଭୁବନେଶ୍ୱର: ପୂର୍ବତନ ସୂଚନା କମିଶନର ପଦ୍ମଶ୍ରୀ ପ୍ରଫେସର ରାଧାମୋହନଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି । ଏକ ଶୋକବାର୍ତ୍ତାରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ସ୍ବର୍ଗତ ରାଧମୋହନଙ୍କୁ ଜଣେ ବିଶିଷ୍ଟ ପରିବେଶବିତ୍ ତଥା ଶିଷାବିତ୍ ଭାବରେ ବର୍ଣ୍ଣନା କରିଛନ୍ତି । ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ମୁଖ୍ୟମନ୍ତ୍ରୀ ଗଭୀର ସମବେଦନା ଜଣାଇବା ସହ ପରଲୋକଗତ ଆତ୍ମାର ସଦଗତି କାମନା କରିଛନ୍ତି ।
ଗତକାଲି ବିଳମ୍ବିତ ରାତିରେ ଚିକିତ୍ସାଧୀନ ଅବସ୍ଥାରେ ରାଧାମୋହନଙ୍କ ବିୟୋଗ ହୋଇଛି । ପଦ୍ମଶ୍ରୀ ପ୍ରଫେସର ରାଧାମୋହନଙ୍କ ୭୮ ବର୍ଷ ବୟସରେ ପରଲୋକ ଘଟିଛି । କିଛି ଦିନ ହେବ ଅସୁସ୍ଥ ହୋଇ ସମ୍ ହସପିଟାଲରେ ଚିକିତ୍ସାଧୀନ ଥିଲେ । ଜଣେ ଅର୍ଥନୀତି ଶିକ୍ଷାବିତ୍, ସାମାଜିକ କର୍ମୀ ଓ ପରାମର୍ଶଦାତା ଭାବେ ଖୁବ୍ ପରିଚିତ ଥିଲେ ପ୍ରଫେସର ରାଧାମୋହନ ।
ରାଜ୍ୟରେ ଜୈବିକ ଚାଷ ମାଧ୍ୟମରେ ତାଙ୍କ ଦ୍ୱାରା ଅଣାଯାଇଥିବା ପରିବର୍ତ୍ତନ ସର୍ବଦା ମନେ ରହିବ। ଶୋକସନ୍ତପ୍ତ ପରିବାର ସଦସ୍ୟଙ୍କୁ ମୋର ସମବେଦନା। ଏମିତି କହି ପ୍ରଫେସର ରାଧାମୋହନଙ୍କ ସ୍ମୃତିଚାରଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।