କଟକ, (ନାଗରାଜ ନ୍ଯୁଜ): ଆଗକୁ ଆସୁଛି ପାର୍ବଣ ଋତୁ । ଶାରଦୀୟ ଦୁର୍ଗା ପୂଜା ପାଇଁ ଆଜିଠାରୁ କଟକ ସହରରେ ଆରମ୍ଭ ହୋଇଯାଇଛି ପ୍ରସ୍ତୁତି ପର୍ବ । ଦୁର୍ଗା ଏବଂ ହରପାର୍ବତୀଙ୍କ ମୂର୍ତ୍ତି ନିର୍ମାଣ ପାଇଁ ସହରର ଅଧିକାଂଶ ପୂଜା ମଣ୍ଡପ ଆଜି ନନ୍ଦ ଉତ୍ସବରେ ନଦୀ କୂଳରେ ବିଧି ଅନୁସାରେ ପୂର୍ଜାର୍ଚ୍ଚନା କରି ଉଠାଇଛନ୍ତି ପବିତ୍ର ମାଟି । ତେବେ କରୋନା କଟକଣା ଯୋଗୁଁ ସହରର ଅଧିକାଂଶ ପୂଜା ମଣ୍ଡପଗୁଡିକର ସୀମିତ ସଂଖ୍ୟକ ସଦସ୍ୟ ଆସି ଘଣ୍ଟଘଣ୍ଟା ବଜାଇ ପରମ୍ପରା ଅନୁସାରେ ଉଠାଇଛନ୍ତି ମୃଣୟମୟୀ ମୂର୍ତ୍ତି ତିଆରି ପାଇଁ ନଦୀର ପବିତ୍ର ମାଟି।
ଆଜି ହେଉଛି ପବିତ୍ର ନନ୍ଦ ଉତ୍ସବ । ଆଜିଠାରୁ ହିଁ ସଂସ୍କୃତି ଓ ପରମ୍ପରାର ପ୍ରାଚୀନ ନଗରୀ କଟକରେ ଆରମ୍ଭ ହୋଇଯାଇଛି ଶାରଦୀୟ ଦୁର୍ଗା ପୂଜା ପାଇଁ ପ୍ରସ୍ତୁତି । ଜନ୍ମାଷ୍ଟମୀରେ ଶକ୍ତିସ୍ୱରୂପିଣୀ ମା ଦୁର୍ଗାଙ୍କର ଆବିର୍ଭାବ ବିଜୁଳି କନ୍ୟା ରୂପରେ ହୋଇଥିଲା । ତେଣୁ ସହରର ଅଧିକାଂଶ ପୂଜା କମିଟି ପକ୍ଷରୁ ଆଜି କାଠଯୋଡି ନଦୀରୁ ମା ଦୁର୍ଗା ଏବଂ ହରପାର୍ବତୀଙ୍କ ମୂର୍ତ୍ତି ତିଆରି ପାଇଁ ଉଠାଯାଇଛି ପବିତ୍ର ମାଟି । ହେଲେ ବିଗତ ବର୍ଷଗୁଡିକ ଭଳି ଆଜି ସକାଳୁ ନଦୀକୂଳରେ ଦେଖିବାକୁ ମିଳିନାହିଁ ଭିଡ । ସହରର ଅଧିକାଂଶ ପୂଜା ମଣ୍ଡପଗୁଡିକ କରୋନା କଟକଣା ଯୋଗୁଁ ପୋଲିସ ପ୍ରଶାସନର ନିର୍ଦ୍ଦେଶ ଅନୁସାରେ କେବଳ କିଛି ସଦସ୍ୟଙ୍କୁ ନେଇ ନଦୀ କୂଳରେ ପହଞ୍ଚି କରିଛନ୍ତି ପୁଜା ଅର୍ଚନା ।
ବିଧି ଅନୁସାରେ ପୂଜାର୍ଚ୍ଚନା ପରେ ନଦୀରୁ ଉଠାଇଛନ୍ତି ପବିତ୍ର ମାଟି । ଏଥର କୌଣସି ପ୍ରକାରର ଝାଞ୍ଜ କୀର୍ତ୍ତନର ସଂକୀର୍ତ୍ତନ କିମ୍ବା ସାହି ମୁରବୀ, ଯୁବକଙ୍କ ଭିଡ ମଧ୍ୟ ଦେଖିବାକୁ ମିଳିନାହିଁ ନଦୀ ଘାଟରେ । ପୂଜାର କର୍ତ୍ତା ନଦୀ ରେ ବୁଡ ପକାଇ ଉଠାଇଛନ୍ତି ମାଙ୍କ ମୃଣୟମୟୀ ମୂର୍ତ୍ତି ତିଆରି ପାଇଁ ପବିତ୍ର ମାଟି । ତେବେ ଏଥର ମଧ୍ୟ ପୂଜାରେ ଜାରି କରାଯାଇଥିବା ୪ ଫୁଟର ମୁର୍ତ୍ତି କଟକଣା ଏବଂ ପର୍ଦ୍ଦା ଆଢୁଆଳରେ ପୂଜା କରିବା ପାଇଁ ଥିବା ସରକାରଙ୍କ ନିର୍ଦେଶନମାକୁ ନା ପସନ୍ଦ କରିଛନ୍ତି କିଛି ପୂଜା କମିଟି ।
ଆଜିଠାରୁ ହିଁ ପ୍ରାଚୀନ ନଗରୀ କଟକରେ ଦଶହରା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି । ତେବେ ସହରର ପ୍ରାୟ ସବୁ ପୂଜା ମଣ୍ଡପଗୁଡିକ ଏଥର କରୋନା ମହାମାରୀ ଯୋଗୁଁ ମାଙ୍କ ପୂଜାକୁ ନିରାଡମ୍ବର ଭାବେ ପାଳନ କରିବା ପାଇଁ ସ୍ଥିର କରିସାରିଛନ୍ତି । ଏଥର ଅଧିକ ଗୁରୁତ୍ବ ଦିଆଯିବ ମାଙ୍କ ପୂଜା ଉପରେ । ତେବେ ଜନ୍ମାଷ୍ଟମୀରେ ବିଜୁଳି କନ୍ୟାଭାବେ ମା ଯୋଗମାୟା ଆର୍ବିଭାବ ହେବାର କିମ୍ବଦନ୍ତୀ ରହିଛି । କିମ୍ବଦନ୍ତୀ ଅନୁସାରେ ମାଙ୍କ ଆଗମନ ପାଇଁ ମାଟି ଅନୁକୂଳ କରାଯାଇ ମାଙ୍କ ମୂର୍ତ୍ତି ତିଆରି କରାଯାଇଥାଏ । ମା ପ୍ରକୃତି ସ୍ବରୂପିଣୀ ହୋଇଥିବାରୁ ଏଥିପାଇଁ ପୂଜାରେ ବିଭିନ୍ନ ପ୍ରକାର ର ପୂଜା କରିବା ର ପରମ୍ପରା ଶାସ୍ତ୍ରରେ ରହିଛି ।
ଏଥର ମଧ୍ୟ କରୋନା ଯୋଗୁଁ ଦଶହରା ର ମାହୋଲ ନିଶ୍ଚିତରୂପେ କଟକ ସହର ରେ ଫିକା ଫିକା ରହିବ ତାହା ଏବେଠାରୁ ସ୍ପଷ୍ଟ ବାରି ହୋଇପଡୁଛି ।
କଟକରୁ ଭରତ ମହାରଣାଙ୍କ ରିପୋର୍ଟ ନାଗରାଜ ନ୍ଯୁଜ