ପାନୀୟ ଜଳରୁ ବଞ୍ଚିତ ଜନସାଧାରଣ, ପ୍ରଶାସନ ନୀରବ

ବାଲେଶ୍ବର, (ନରେନ୍ଦ୍ର ପ୍ରସାଦ ବେହେରା): ସରକାର ପାନୀୟ ଜଳ ପ୍ରକଳ୍ପ ବାବଦରେ କୋଟି କୋଟି ଖର୍ଚ୍ଚ କରୁଛନ୍ତି ହେଲେ ମରାମତି ଅଭାବରୁ ନଷ୍ଟ ହେଉଛି । ଏପରି ଏକ ଘଟଣା ଦେଖିବାକୁ ମିଳିଛି ବାଲେଶ୍ବର ଜିଲ୍ଲା ଖଇରା ବ୍ଲକ ଝିଙ୍କିରିଆ ପଞ୍ଚାୟତରେ । ଖବର ସଂଗ୍ରହରୁ ଜଣାପଡିଛି ଯେ ଦୀର୍ଘ ୬ ମାସରୁ ଉର୍ଦ୍ଧ୍ବ ହେବ ଝିଙ୍କିରିଆ ପାନୀୟ ଜଳ ପ୍ରକଳ୍ପଟି ଅଚଳ ହୋଇ ପଡିଛି ଯାହାର କାରଣ ଜାଣିବାକୁ ମିଳିଛି ମେନ୍ ପାଇପ୍ ଫାଟିବା । ଏଯାବତ୍ ହୋଇ ପାରୁନି ମରାମତି । ପାନୀୟ ଜଳ ପାଇବାରୁ ବଞ୍ଚିତ ହେଉଛନ୍ତି ନିର୍ଭରଶୀଳ ଜନସାଧାରଣ । ପମ୍ପ୍ ଡ୍ରାଇଭର ସେଖ୍ ରମଜାନ ଏବାବଦରେ ସରପଞ୍ଚ ମଧୁସୂଦନ ମାଝୀଙ୍କୁ ଜଣାଇଛନ୍ତି ।

ସେ କହିଲେ ମୁଁ ବିଧାୟକ ତଥା ମନ୍ତ୍ରୀ ଜ୍ଯୋତିପ୍ରକାଶ ପାଣିଗ୍ରାହୀଙ୍କୁ ଜଣାଇଛି, ନୂତନ ପାଇପ୍ ପଡିଲେ ପୁନଃ କାର୍ଯ୍ୟକ୍ଷମ ହେବ ବୋଲି ଡ୍ରାଇଭର ପ୍ରକାଶ କରିଛନ୍ତି । ବିଭାଗୀୟ ଜେଇ ତପସ୍ବିନୀ ଦାସଙ୍କୁ ଜଣାଇଥିଲେ ମଧ୍ୟ ଦୀର୍ଘ ୬ ମାସ ଧରି ହୋଇପାରୁନି ମରାମତି ବୋଲି ପମ୍ପ୍ ଡ୍ରାଇଭର ପ୍ରକାଶ କରିଛନ୍ତି । ଏଥିରୁ ଯାହା ଜଣାପଡୁଛି ମରାମତି ପାଇଁ ଜେଇ ଶ୍ରୀମତୀ ଦାସଙ୍କର ଆନ୍ତରିକତା ନାହିଁ । ଏଠାରେ ପ୍ରଶ୍ନ ଉଠେ କ’ଣ ପାଇଁ ଜେଇଙ୍କର ଅବହେଳା ? ସେବା ପ୍ରଦାନରେ ଜେଇ ସମ୍ପୂର୍ଣ୍ଣ ବିଫଳ କାହିଁକି ?

ଯଦି ଆବଶ୍ୟକତା ନାହିଁ ପ୍ରକଳ୍ପ ନିର୍ମାଣ ହେବ କାହିଁକି ? ମରାମତି ନକରିବା ଦିଗରେ ଜେଇଙ୍କର ଅଲଗା କିଛି ଉଦ୍ଦେଶ୍ୟ ନାହିଁ ତ ? ମରାମତି ବାବଦରେ ସରକାରୀ ଅର୍ଥ ଲୋଟ ଚାଲିନି ତ ? ଏହିପରି ମାଣତ୍ରୀ,ବର୍ତ୍ତନା ଓ ସୁଣ୍ଢିରା-ଗଣ୍ଡିବେଡ ପାନୀୟ ଜଳ ପ୍ରକଳ୍ପ ମଧ୍ୟ ସମ୍ପୂର୍ଣ୍ଣ ବନ୍ଦ ହୋଇ ପଡିରହିଛି । ଏହାସହିତ ଖଇରା ବ୍ଲକରେ କେତେଗୁଡିଏ ପ୍ରକଳ୍ପ ମଧ୍ଯ ଆଂଶିକ ଭାବେ କାର୍ଯ୍ଯକ୍ଷମ ଥିବାର ଜାଣିବାକୁ ମିଳିଛି । ମରାମତିର ନାଁ ଧରୁନି ବିଭାଗ । ଘଟଣା ସମ୍ବନ୍ଧରେ ଜାଣିବା ପାଇଁ ଦାୟିତ୍ୱରେ ଥିବା ବିଭାଗୀୟ ଜେଇ ଶ୍ରୀମତୀ ଦାସଙ୍କୁ ଯୋଗାଯୋଗ କରିବା ମଧ୍ୟ ସମ୍ଭବ ହୋଇପାରିନଥିଲା ।

Leave a Reply

Your email address will not be published.