ଆଗକୁ ଆସୁଛି ରାକ୍ଷୀ ପର୍ବ, ସ୍ବତନ୍ତ୍ର ଧରଣର ରାକ୍ଷୀ ତିଆରି କରି ଚର୍ଚ୍ଚାରେ କଟକ କାରିଗର

କଟକ: ଆଗକୁ ଆସୁଛି ରାକ୍ଷୀ ପର୍ବ । ସ୍ନେହ ଓ ବନ୍ଧନର ପର୍ବ ପାଇଁ ମଝିରେ ଆଉ ମାତ୍ର କେତେ ଦିନ ଥିବା ବେଳେ କଟକର କାରିଗରମାନେ ଏବେ ରାକ୍ଷୀ ତିଆରିରେ ବ୍ୟସ୍ତ ।ତେବେ ଏଥର କରୋନାକୁ ଦେଖି ସେମାନେ ପ୍ରସ୍ତୁତ କରୁଛନ୍ତି ନୂଆ ନୂଆ ରାକ୍ଷୀ । କିଛି କାରିଗର କୋଭିଡ଼କୁ ଦୃଷ୍ଟିରେ ରଖି ସ୍ୱତନ୍ତ୍ର ଧରଣର ରାକ୍ଷୀ ପ୍ୟାକେଟ ପ୍ରସ୍ତୁତ କରିଛନ୍ତି । ଯାହାକୁ ନେଇ ସେମାନେ ଏବେ ଚର୍ଚ୍ଚାରେ ।

ରାକ୍ଷୀ ପର୍ବକୁ ରହିଲା ଆଉ ମାତ୍ର ୪ ଦିନ ସମୟ । ଏଥିପାଇଁ କଟକର ରାକ୍ଷୀ କାରିଗରଙ୍କ ହାତକୁ ନାହିଁ ଫୁରସତ । ତେବେ କଟକ ନୂଆ ବଜାରର କିଛି ଯୁବକ ବର୍ତ୍ତମାନର ସମୟକୁ ଧ୍ୟାନରେ ରଖି ପ୍ରସ୍ତୁତ କରିଛନ୍ତି କିଛି ସ୍ପେସାଲ ରାକ୍ଷୀ । ଗୋଟିଏ ରାକ୍ଷୀରେ ଭାଇ ଭଉଣୀଙ୍କ ଫଟୋ ରହୁଥିବା ବେଳେ ଚକଲେଟ, ଚାଉଳ, ଚନ୍ଦନ ଓ ସିନ୍ଦୁର ଆଦି ରହୁଛି । ଆଉ ଏହାର ଦର ୬୦ଟଙ୍କାରୁ ଆରମ୍ଭ ହୋଇଥିବା ବେଳେ ଆଉ ଏକ ରାକ୍ଷୀ କିଟରେ ରହିଛି ରାକ୍ଷୀ, ଚକଲେଟ୍, ଚାଉଳ, ଚନ୍ଦନ, ସିନ୍ଦୁର ଓ ରାକ୍ଷୀର ସନ୍ଦେଶ ଥିବା କାର୍ଡ ସହ କୋଭିଡ଼କୁ ଦୃଷ୍ଟିରେ ରଖି ସାନିଟାଇଜର ଓ ମାସ୍କ ଆଦି ମଧ୍ୟ ରଖାଯାଇଛି ।

ଏହି କୋଭିଡ଼ କିଟ ରାକ୍ଷୀର ଦର ୨୪୧ ଟଙ୍କାରୁ ଆରମ୍ଭ ହୋଇଛି । ଏହଛଡା ଆଉ ଏକ ସ୍ପେସାଲ ଅକ୍ସିଜେନ ରାକ୍ଷୀ କିଟ ରହିଛି । ଯେଉଁଥିରେ ଭାଇ ଭଉଣୀଙ୍କ ଫଟୋ ଥିବା ରାକ୍ଷୀ ସହ ସବୁ ଆବଶ୍ୟକ ଜିନିଷ ରହିଛି ଏବଂ ତା ସହିତ ରହିଛି ଏକ ଔଷଧୀୟ ଚାରା ।ସଯାହାର ମୂଲ୍ୟ ରହିଛି ୩୬୧ ଟଙ୍କା । ଏସବୁ ସ୍ପେସାଲ ରାକ୍ଷୀ ପାଇଁ ଅନ୍ ଲାଇନ୍, ଫୋନ୍ କଲ ଓ ଓ୍ବାଟ୍ସଅପରେ ଢେର ଅର୍ଡର ମିଳିଥିବାରୁ ଏବେ ଏହି କାରିଗର ମାନେ ଏସବୁ ରାକ୍ଷୀ କିଟ ପ୍ରସ୍ତୁତ କରିବା ପାଇଁ ଖୁବ୍ ବ୍ୟସ୍ତ ଅଛନ୍ତି ।

ଏବେବି କରୋନା ସଙ୍କ୍ରମଣ ସମ୍ପୂର୍ଣ୍ଣ ରୂପେ ଦୂର ହୋଇ ନଥିବାରୁ ଏସବୁ ବ୍ୟବସାୟ ଏବେ ଅନଲାଇନରେ ଚାଲିଛି । ଦୋକାନ ବଜାର ଏବେ ଖୋଲିଲାଣି । ତେଣୁ ଆଗକୁ ଏସବୁ ରାକ୍ଷୀର ଚାହିଦା ଆହୁରି ବଢିବ ବୋଲି ଆଶା ରଖିଛନ୍ତି ବ୍ୟବସାୟୀ ।ରାଜ୍ୟର ବିଭିନ୍ନ ସ୍ଥାନରୁ ଏସବୁ ରାକ୍ଷୀ ପାଇଁ ଆସୁଛି ଅର୍ଡର୍ । ତେଣୁ ଏବେ ସେମାନେ ରାକ୍ଷୀ କିଟ ପ୍ରସ୍ତୁତିରେ ଜୋର୍ ସୋରରେ ଲାଗି ପଡିଛନ୍ତି । ତେବେ କୋଭିଡ଼ ଏବଂ ଅକ୍ସିଜେନ ରାକ୍ଷୀ କିଟ କୁ ଖୁବ୍ ପସନ୍ଦ କରୁଛନ୍ତି ଗ୍ରାହକ । ରାକ୍ଷୀ ପାଇଁ ଦିନ ପାଖେଇ ପାଖେଇ ଆସୁଥିବାରୁ ରାକ୍ଷୀ କାରିଗର ମିଳିଥିବା ଅର୍ଡରକୁ ପୁରା କରିବା ପାଇଁ ଦିନରାତି ଏକ କରି ଲାଗି ପଡିଛନ୍ତି କାରୀଗର ।

 

Leave a Reply

Your email address will not be published.