ଭୁବନେଶ୍ୱର, (ନାଗରାଜ ନ୍ୟୁଜ ): ଆଜି ବିଧାନସଭା ଶୀତକାଳୀନ ଅଧିବେସନର ଦ୍ୱିତୀୟ ଦିନ । ମମିତା ମେହେର ହତ୍ୟାକାଣ୍ଡ ପ୍ରସଙ୍ଗରେ ବିଜେପି ଓ କଂଗ୍ରେସ ସଭ୍ୟଙ୍କ ମଧ୍ୟରେ ହୋହଲ୍ଲା ଦେଖିବାକୁ ମିଳିଛି । ବିଧାନସଭା ଆରମ୍ଭରୁ ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ ଦେଖିବାକୁ ମିଳିଛି । ଏପରିକି ଗୃହର ମଧ୍ୟଭାଗକୁ ଆସି ପୋଷ୍ଟର ଓ ବ୍ୟାନର ଦେଖାଇଛି ବିଜେପି । ତେଣୁ ଗୃହରେ ହୋହଲ୍ଲା କାରଣରୁ ୪ ଯାଏଁ ଗୃହକୁ ମୁଲତବି ରଖାଯାଇଛି । ଏନେଇ ଘୋଷଣା କରିଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର । ମମିତା ମୃତ୍ୟୁ ମାମଲାରେ ଗୃହରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ବିଧାନସଭା ଭିତରକୁ ନପୁରାଇ ଦେବାକୁ କଂଗ୍ରେସ ବିଧାୟକମାନେ ‘ମୁଖ୍ୟମନ୍ତ୍ରୀ ଜବାବ ଦିଅ,ମମିତା ମେହରେଙ୍କୁ ନ୍ୟାୟ ଦିଅ,ମମିତା ହତ୍ୟାକାରୀ ଜହ୍ଲାଦ ଗୃହରାଷ୍ଟ୍ରମନ୍ତ୍ରୀଙ୍କୁ ବରଖାସ୍ତ ଓ ଗିରଫ’ ଆଦି ବ୍ୟାନର ଧରି ଧାରଣାରେ ବସିଛନ୍ତି ।
ଗତକାଲି ମଧ୍ୟ ବିରୋଧୀଙ୍କ ପ୍ରବଳ ହୋହଲ୍ଲା ମଧ୍ୟରେ ବିଧାନସଭାରେ ଉପସ୍ଥାପିତ ହୋଇଥିଲା ଅତିରିକ୍ତ ବଜେଟ୍ । ମୋଟ ୧୯,୮୩୩ କୋଟିର ବଜେଟ୍ ଉପସ୍ଥାପନ କରିଥିଲେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ । ଆରମ୍ଭରୁ କଂଗ୍ରେସ ପକ୍ଷରୁ ଜୋରଦାର ବିରୋଧ ପ୍ରଦର୍ଶନ କରାଯାଇ ଗେଟ ଆଗରେ ଧାରଣା ଦିଆଯାଇଥିଲା ।