ଆଜିଠୁ ସର୍ବସାଧାରଣ ଦର୍ଶନ ନିମନ୍ତେ ଖୋଲିଲା ଶ୍ରୀମନ୍ଦିର, ସକାଳ ୭ରୁ ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ

ପୁରୀ: ସବୁ ପ୍ରତିକ୍ଷାର ପରିଶେଷରେ ଅନ୍ତ ଘଟିଛି । ଦୀର୍ଘ ଦିନର ବ୍ୟବଧାନ‌ ପରେ ସର୍ବସାଧାରଣଙ୍କ ନିମନ୍ତେ ଖୋଲିଲା କାଳିଆ ସାଆନ୍ତଙ୍କ ବଡ ମନ୍ଦିର । ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କୁ ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ । ସକାଳ ୭ଟାରୁ ସଂଧ୍ୟା ୭ ଯାଏଁ ଦର୍ଶନ କରିପାରିବେ ଶ୍ରଦ୍ଧାଳୁ । ସର୍ବସାଧାରଣ ଦର୍ଶନ ପାଇଁ ପ୍ରଶାସନିକ ସ୍ତରରେ ମଧ୍ୟ ତତ୍ପରତା ପ୍ରକାଶ ପାଇଛି । ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ସ୍ୱତନ୍ତ୍ର ଛାମୁଣ୍ଡିଆ ସହ ବ୍ୟାରିକେଡ଼ ମଧ୍ୟ ତିଆରି ହୋଇଛି । ରବିବାର ଶ୍ରୀମନ୍ଦିର ଭିତର ଓ ବାହାର ବିଶୋଧନ କରାଯାଇଛି । ଶ୍ରୀମନ୍ଦିର ଚାରି ଦ୍ୱାର, ଜୋତା ଷ୍ଟାଣ୍ଡ, କିଓସ୍କ, ବ୍ୟାରିକେଡ୍‌ ସହ ସଂପୃକ୍ତ ଅଞ୍ଚଳକୁ ବିଶୋଧନ କରାଯାଇଛି ।

ଭକ୍ତଙ୍କ ପ୍ରତିବନ୍ଧକ ମୁକ୍ତ ଦର୍ଶନ ପାଇଁ ପୁରୀ ପୁଲିସ ପ୍ରସ୍ତୁତ ରହିଛି । ଭିଡ଼ ନିୟନ୍ତ୍ରଣ ପାଇଁ ୧୦ ପ୍ଲାଟୁନ୍‌ ଫୋର୍ସ ମୁତୟନ ହେବେ । ଜଣେ ଏଏସ୍‌ପି, ୩ଜଣ ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ର‌୍ୟାଙ୍କ ଅଫିସର ଓ ୨୦ ଜଣ ଅଧିକାରୀ ଦାୟିତ୍ୱ ନିର୍ବାହ କରିବେ । ଭକ୍ତଙ୍କ ଠାକୁର ଦର୍ଶନ ବ୍ୟବସ୍ଥା ଶୃଙ୍ଖଳିତ କରିବା ରହିବ ସୁରକ୍ଷାକର୍ମୀଙ୍କ ପ୍ରାଥମିକତା । ପ୍ରତି ଶନିବାର ଓ ରବିବାର ମନ୍ଦିର ବନ୍ଦ ରହିବ । ଏହି ଦୁଇ ଦିନ ମନ୍ଦିରକୁ ସାନିଟାଇଜ୍ କରାଯିବ।

ଗତ ଏପ୍ରିଲ ମାସ ୨୪ ତାରିଖରୁ ବଡ଼ଦେଉଳ ପ୍ରବେଶ ମନା ଥିଲା । କରୋନା ସଂକ୍ରମଣର ଭୟ କଳାଶ୍ରୀମୁଖଙ୍କ ଦର୍ଶନରୁ ବଞ୍ଚିତ କରିଥିଲା । ପ୍ରତିଦିନ ଅସଂଖ୍ୟ ଭକ୍ତ ଶ୍ରୀମନ୍ଦିର ସମ୍ମୁଖରେ ଠିଆହୋଇ ପଲକେ ଦର୍ଶନ ପାଇଁ ନେହୁରା ହେଉଥିଲେ । ଆଜି ସବୁ ପ୍ରତିକ୍ଷାର ଅନ୍ତ ହୋଇଛ। ଆରମ୍ଭ ହେଉଛି ଶ୍ରୀମନ୍ଦିରରେ ସର୍ବସାଧାରଣ ଦର୍ଶନ ।

Leave a Reply

Your email address will not be published.