ପୁରୀ: ଆଉ ଦୁଇ ଦିନ ପରେ ରଥାରୂଢ ହେବେ ଶ୍ରୀଜିଉ । ଯାହା ପାଇଁ ବ୍ୟାପକ ପ୍ରସ୍ତୁତି ସରିଲାଣି । ରଥଯାତ୍ରା ପାଇଁ ଆଗକୁ ଲାଗୁ ହେବାକୁ ଯାଉଛି ୩ ଦିନିଆ କର୍ଫ୍ୟୁ । ପୁରୀ ସହରର ସମସ୍ତ ଅଞ୍ଚଳରେ ୧୧ ତାରିଖ ରାତି ୮ ଟାରୁ ୧୩ ତାରିଖ ସକାଳ ୮ ଟା ଯାଏଁ କର୍ଫ୍ୟୁ ଲଗାଯିବ । ପୁରୀରେ ଶନିବାର ସଟଡାଉନ୍ ଉଠାଯିବା ନେଇ ଆଜି ଏସଆରସିଙ୍କ ପକ୍ଷରୁ ବିଜ୍ଞପ୍ତି ଜାରି କରି ସୂଚନା ଦିଆଯାଇଛି । ରଥ ଯାତ୍ରାରେ ଭିଡ କମାଇବାକୁ ତଥା ସମ୍ପୂର୍ଣ୍ଣ କଟକଣା ମଧ୍ୟରେ ରଥ ଯାତ୍ରା ପାଳନ କରିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଏଭଳି ନିଷ୍ପତି ନିଆଯାଇଛି ।
ପୁରୀ ବାସୀଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି କର୍ଫ୍ୟୁ ପୂର୍ବରୁ ଶନିବାର ସଟଡାଉନ୍ କଟକଣାକୁ କୋହଳ କରାଯାଇଛି । ପୂର୍ବ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ କରୋନା କଟକଣା ମଧ୍ୟରେ ଶ୍ରୀଜୀଉଙ୍କ ରଥଯାତ୍ରା ଅନୁଷ୍ଠିତ ହେଉଥିବାରୁ ଏବର୍ଷ ରଥ ଯାତ୍ରା ପୂର୍ବରୁ ପୁରା ସହରରେ କର୍ଫୁ ଲଗାଇବାକୁ ନିଷ୍ପତି ନେଇଛି ଜିଲ୍ଲା ପ୍ରଶାସନ ।
ସାରା ସହରରେ ୧୪୪ ଧାରା ଜାରି ହେବ । ଜନସାଧାରଣଙ୍କ ଚଳପ୍ରଚଳ ଉପରେ ରୋକ୍ ଲାଗିବ । ପ୍ରବେଶ ପଥ ସମ୍ପୂର୍ଣ୍ଣ ସିଲ୍ କରି ଦିଆଯିବ । ଜୁଲାଇ ୧୨ ତାରିଖ ସାରା ଦିନ ଏହି କଟକଣା ବଳବତ୍ତର ରହିବା ପରେ ପରଦିନ ଅର୍ଥାତ୍ ଜୁଲାଇ ୧୩ ତାରିଖ ସକାଳ ୮ଟାରୁ ଏହି କଟକଣାକୁ ହଟାଇ ଦିଆଯିବ । ତଥାପି ରଥ ପହଞ୍ଚିବାକୁ ନେଇ କଟକଣା ବଢ଼ିପାରେ ବୋଲି ଉପଜିଲ୍ଲାପାଳ ଭବତାରଣ ସାହୁ କହିଛନ୍ତି ।