ରାଜ୍ୟ ସରକାରଙ୍କ ଦ୍ୱାରା ଓଡିଶାରେ ହେବ କ୍ରୀଡ଼ାଭିତ୍ତିକ ଶିଳ୍ପର ପ୍ରତିଷ୍ଠା

ଭୁବନେଶ୍ୱର, (ନାଗରାଜ ନ୍ଯୁଜ): ଓଡିଶାରେ ରାଜ୍ୟ ସରକାର କ୍ରୀଡାକୁ ଅଧିକ ସୁଦୃଢ କରିବା ନିମନ୍ତେ କ୍ରୀଡ଼ାଭିତ୍ତିକ ଶିଳ୍ପ ପ୍ରତିଷ୍ଠା କରିବାକୁ ଯାଉଛନ୍ତି । ବୁଧବାର ଅନୁଷ୍ଠିତ ‘ବୈଶ୍ୱିକ ମୂଲ୍ୟ ଶୃଙ୍ଖଳ ପାଇଁ ଓଡ଼ିଶା ରାଜ୍ୟ ଦକ୍ଷତା ସୃଷ୍ଟି’ ଶୀର୍ଷକ ଆଲୋଚନାଚକ୍ରରେ ଯୋଗଦେଇ ନିବେଶକମାନଙ୍କ ନିମନ୍ତେ ଓଡ଼ିଶା ଏକ ପ୍ରକୃଷ୍ଟ ରାଜ୍ୟ ବୋଲି ମନ୍ତ୍ରୀ କହିଥିଲେ । ଏହି ଅବସରରେ ପର୍ଯ୍ୟଟନ ସମ୍ଭାରର ବର୍ଣ୍ଣନା କରି ପର୍ଯ୍ୟଟକମାନେ ଲଣ୍ଡନ, ସୁଇଜରଲ୍ୟାଣ୍ଡ୍‌ ଯିବା ପରିବର୍ତ୍ତେ ଥରେ କଳାହାଣ୍ଡି ବୁଲି ଆସିବାକୁ ନିମନ୍ତ୍ରଣ କରିଥିଲେ । ଏଠାରେ ଥିବା ନୈସର୍ଗିକ ଶୋଭା ସମ୍ଭାର, ସ୍ଥାନୀୟ ଜନଜାତିଙ୍କ ନିଆରା ଜୀବନ ଶୈଳୀ ଏବଂ ସେମାନଙ୍କ ଜୀବନଧାରା ବିଷୟରେ ଅବଗତ ହେବାକୁ ଆହ୍ୱାନ ଦେଇଥିଲେ ।

କ୍ରୀଡ଼ାଭିତ୍ତିକ ଶିଳ୍ପ ପ୍ରତିଷ୍ଠା ନେଇ ଆସୋଚାମ୍‌ର ଆଭାସୀ ସମ୍ମିଳନୀରେ ଶିଳ୍ପ ମନ୍ତ୍ରୀ କ୍ୟାପ୍‌ଟେନ୍‌ ଦିବ୍ୟଶଙ୍କର ମିଶ୍ର କହିଛନ୍ତି, ଶିଳ୍ପ ଉଦ୍ୟୋଗୀମାନଙ୍କୁ ଆମନ୍ତ୍ରଣ କରାଯାଉଛି । ଏହା ହେଲେ ଦେଶର କ୍ରୀଡ଼ା ଚାହିଦା ପୂରଣ ହେବ । ଆନ୍ତର୍ଜାତିକ ବଜାରକୁ ମଧ୍ୟ କ୍ରୀଡ଼ା ଉପକରଣ ଯୋଗାଇପାରିବ ।

ଏହି ଆଲୋଚନାରେ ଆସୋଚାମ୍‌ର ଅଧ୍ୟକ୍ଷ ସୋହମ୍‌ ମିଶ୍ର, ସହଅଧ୍ୟକ୍ଷ ଦୀପକ ଗୁଲାଟି, ଟାଟା ପାୱାର କଳିଙ୍ଗ ନଗର ପ୍ରକଳ୍ପ ମୁଖ୍ୟ ଭକ୍ତି ରାଜ୍‌, ଜିନ୍ଦଲ ଷ୍ଟିଲର ନିର୍ବାହୀ ଉପସଭାପତି (କର୍ପୋରେଟ୍‌ ବ୍ୟାପାର) ବିଭୁ ପ୍ରସାଦ ମିଶ୍ର, ଫୋୟେନିକ୍ସ ଇଣ୍ଡିଆ ନିର୍ଦ୍ଦେଶକ ତଥା ଆସୋଚାମ୍‌ ସଦସ୍ୟ ଶ୍ରୀକାନ୍ତ ବାଡ଼ିଗା, ଆସୋଚାମ୍‌, ଜାତୀୟ କ୍ରୀଡ଼ା ଓ ଫିଟ୍‌ନେସ୍‌ ଶିଳ୍ପ ପରିଷଦର ଅଧ୍ୟକ୍ଷ ରାଜେଶ ଖରବାନ୍ଦା ପ୍ରମୁଖ ଅଂଶଗ୍ରହଣ କରିଥିଲେ ।

ଏହି ଅବସରରେ ଶିଳ୍ପ ବିଭାଗ ପ୍ରମୁଖ ଶାସନ ସଚିବ ହେମନ୍ତ ଶର୍ମା କହିଥିଲେ, ଓଡ଼ିଶା ଖଣିଜ ସମ୍ପଦରେ ଭରପୂର । ବିଶ୍ୱର ଯେ କୌଣସି କାରଖାନା ପାଇଁ ଆବଶ୍ୟକ ଖଣିଜ ଏଠାରେ ରହିଛି । ମାନବଜାତି ବଞ୍ଚିବା ଲାଗି ସବୁ ଉପକରଣର କଞ୍ଚାମାଲ ବି ମହଜୁଦ ଅଛି । ତା’ ଛଡ଼ା ୪୮୦ କିମି ବିସ୍ତୃତ ଉପକୂଳ, ବହୁ ସଂଖ୍ୟକ ବନ୍ଦର, କୁଶଳୀ ମାନବ ସମ୍ବଳ ଶିଳ୍ପକ୍ଷେତ୍ରକୁ ସମୃଦ୍ଧ କରିବାରେ ସହାୟକ ହୋଇଛି । ସରକାରଙ୍କ ନିର୍ମଳ ଶିଳ୍ପନୀତି, ସିଙ୍ଗଲ୍‌ ୱିଣ୍ଡୋ ବ୍ୟବସ୍ଥା, ବ୍ୟବସାୟ ନିମନ୍ତେ ସର୍ବନିମ୍ନ ମୂଲ୍ୟ ଭଳି ସୁବିଧା ଶିଳ୍ପଜଗତକୁ ଉତ୍ସାହିତ କରିପାରୁଥିବା ସଚିବ କହିଥିଲେ ।

Leave a Reply

Your email address will not be published.