ଭୂବନେଶ୍ବର: ବହୁଚର୍ଚ୍ଚିତ ନୟାଗଡ ନାବାଳିକା ପରୀ ମୃତ୍ୟୁ ମାମଲାରେ ଆଜି ସୁପ୍ରିମକୋର୍ଟରେ ଗୁରୁତ୍ୱପୂର୍ଣ୍ଣ ଶୁଣାଣୀ ହୋଇଛି । ପୂର୍ବରୁ ପରୀ ମାମଲାରେ ସଠିକ୍ ତଦନ୍ତ ହୋଇନଥିବା ଅଭିଯୋଗ କରିଥିଲେ ପରୀର ପରିବାର ଲୋକେ । ଏନେଇ ହାଇକୋର୍ଟରେ ରାଜ୍ୟ ସରକାରଙ୍କ ତଦନ୍ତ ବିରୋଧରେ ଅଭିଯୋଗ କରି ରିଟ୍ ପିଟିସନ୍ ଦାଖଲ କରିଥିଲେ । ପରନ୍ତୁ ହାଇକୋର୍ଟ ଏହାକୁ ଖାରଜ କରିବା ପରେ ପରୀର ବାପା ଓ ମା ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ଅନ୍ୟପଟେ ଏହି ମାମଲାର ପରବର୍ତ୍ତୀ ଶୁଣାଣୀ ଅଗଷ୍ଟ ୧୭ରେ ହେବାକୁ ଥିବା ବେଳେ ନ୍ୟାୟ ପାଇଁ ଏହି ମାମଲାରେ ସିବିଆଇ ତଦନ୍ତ ଦାବି କରିଛନ୍ତି ପରୀରର ମା’ ସୌଦାମିନୀ ଦେବୀ ।
ସୁପ୍ରିମକୋର୍ଟରେ ଆଜି ଏହି ମାମଲାର ଶୁଣାଣୀ ସମୟରେ ବିଚାରପତି ରାୟ ଦେଇ ହାଇକୋର୍ଟରେ ଏକ ଏସଏଲପି ଦାୟର କରିବା ପାଇଁ ପରାମର୍ଶ ଦେଇଛନ୍ତି । ହାଇକୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ୍ କରି ଏହି ସ୍ପେଶାଲ ଲିଭ୍ ପିଟିସନ୍ ଦାୟର କରିବାକୁ ସୁପ୍ରିମକୋର୍ଟ ପରୀର ପରିବାର ଲୋକଙ୍କୁ ପରାମର୍ଶ ଦେଇଛନ୍ତି । ତେବେ ପରୀ ମୃତ୍ୟୁକୁ ଦୀର୍ଘ ବର୍ଷେ ବିତି ଯାଇଥିଲେବି ଏବେବି ନ୍ୟାୟ ଅପେକ୍ଷାରେ ପରୀର ପରିବାର ଲୋକେ ରହିଛନ୍ତି ।